ଚାରିଦ୍ୱାର ନଖୋଲି କମ୍ପାନୀ ପୋଷିବା ଚକ୍କରରେ ସରକାର

ଅର୍ଗସ ବ୍ୟୁରୋ : ଗତ ଜାନୁଆରୀରେ ବଡ଼ଦାଣ୍ଡରେ ଏସି ଟନେଲ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ପ୍ରତୀକ୍ଷାଳୟ ଉଦଘାଟନ କରି ଖୁବ୍ ପ୍ରଚାର କରିଥିଲେ ରାଜ୍ୟ ସରକାର । କିନ୍ତୁ ଏସି ଟନେଲ ବାବଦକୁ ଆସିଥିବା ଦୁଇ ମାସର ବିଦ୍ୟୁତ୍ ବିଲ ଏବେ ସବୁ ପ୍ରଚାର ଉପରେ ପକାଇଦେଇଛି ପାଣି । ଜାନୁଆରୀ ଓ ଫେବ୍ରୁଆରୀ ମାସର ବିଲ ଆସିଛି ୧୪ ଲକ୍ଷ ୧୭ ହଜାର ୬୩୦ ଟଙ୍କା । ଅର୍ଥାତ ବାର୍ଷିକ ଏସି ଟନେଲ ଓ ପ୍ରତିକ୍ଷାଳୟର ବିଦ୍ୟୁତ ବିଲ କରିବ କୋଟିଏ ଟଙ୍କା ପାର ।
ଏସି ଟନେଲ ଭକ୍ତଙ୍କୁ ସାମୟିକ ଆଶ୍ବସ୍ତି ଦେଉଛି ସତ କିନ୍ତୁ ଟନେଲରୁ ବାହାରିବା ପରେ ପୁଣି ଖରାତାତିରେ ସିଝି ଭକ୍ତଙ୍କୁ ସିଂହଦ୍ବାର ଯାଏ ଯିବାକୁ ପଡ଼ୁଛି । ଯାହା ସେମାନଙ୍କର ଦୁର୍ଦ୍ଦଶା ଦ୍ବିଗୁଣିତ କରିଦେଉଛି । ଶ୍ରୀମନ୍ଦିର ଚାରି ଦ୍ବାର ନଖୋଲି କ୍ୟୁମ୍ୟାନଜମେଣ୍ଟ ନାଁରେ ବିଦ୍ୟୁତ ବିତରକ କମ୍ପାନୀକୁ ପୋଶାଯାଉଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ।
📱 Get Argus News App
✨ତେବେ ଏହି ବିଦ୍ୟୁତ୍ ବିଲର ଆର୍ଥିକ ବୋଝକୁ କିଏ କରିବ ଭରଣା ଶ୍ରୀମନ୍ଦିର ପ୍ରଶାସନ ନା ରାଜ୍ୟ ସରକାର ତାକୁ ନେଇ ପ୍ରଶ୍ନ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ। କେବଳ ଏସି ଟନେଲ୍ କାହିଁକି ସଂପୂର୍ଣ୍ଣ ପରିକ୍ରମା ମାର୍ଗର ବିଦ୍ୟୁତ୍ ବିଲ୍ ଦେୟ ଦିନକୁ ଦେଢ଼ଲକ୍ଷ ଟଙ୍କାରୁ ଅଧିକ ହେଉଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନର ହୁଣ୍ଡି ଆୟକୁ ଏହା ବଳେଇଯିବ ବୋଲି ହୋଇଛି ଅଭିଯୋଗ।
ଶୀତ ଦିନେ ଯଦି ଆସୁଛି ୧୪ ଲକ୍ଷ ଟଙ୍କାର ବିଲ ଖରା ଦିନେ ବିଲ କେତେ ଆସିବ ଅନୁମାନ କରାଯାଇପାରେ । ଆୟ ଠାରୁ ବ୍ୟୟ ଅଧିକ ହେଲେ ଶ୍ରୀମନ୍ଦିର ପ୍ରଶାସନ କେମିତି କରିବ ଭରଣା । ଚାରିଦ୍ଵାର ଖୋଲି ଭିଡ ନିୟନ୍ତ୍ରଣ ନକରି ଏପରି ଦୂରଦୃଷ୍ଟି ବିହୀନ କାର୍ଯ୍ୟ ବିଜେଡି ସରକାରଙ୍କର ଅପାରଗତାକୁ ପଦାରେ ପକାଇଦେଇଛି ।