ପରିକ୍ରମା ପରିଦର୍ଶନକୁ ନେଇ ସାଘାଂତିକ ଯୋଜନା ବିଜେଡିର

ଅର୍ଗସ ବ୍ୟୁରୋ : ଶ୍ରଦ୍ଧାଳୁଙ୍କୁ ପରିକ୍ରମା ବୁଲେଇବା ନାଆରେ ବି ରାଜନୀତି କଲାଣି ବିଜେଡ଼ି । ପରିକ୍ରମା ପରିଦର୍ଶନକୁ ନେଇ ସାଙ୍ଗାତିକ ଅଭିଯୋଗ, ସରକାରୀ ଟଙ୍କାରେ ଦଳୀୟ ଭିତ୍ତିରେ ପୁରୀକୁ ବୁହା ହେଉଛନ୍ତି ଲୋକେ । ବଞ୍ଚିତ ହେଉଛନ୍ତି ସାଧାରଣ ଭକ୍ତ ! ଅର୍ପଣ ରଥ, ଗୁଆ ଚାଉଳ ପରେ ପଞ୍ଚାୟତରୁ ପୁରୀକୁ ଲୋକଙ୍କୁ ପରିକ୍ରମା ପ୍ରକଳ୍ପ ବୁଲାଇବାକୁ ନେଇ ସାଧାରଣରେ ତେଜିଲାଣି ଅସନ୍ତୋଷ ।
ମାଗଣାରେ ବସ୍ ଯୋଗେ ପୁରୀ ନେଇ ପରିକ୍ରମା ପ୍ରକଳ୍ପ ବୁଲାଇବା ସହ ଜଗା ଦର୍ଶନ ବ୍ୟବସ୍ଥା କରିଛି ପ୍ରଶାସନ । ଏହା ସହ ଫେରିବା ସମୟରେ ଖଜା ଏବଂ ନିର୍ମାଲ୍ୟ ମଧ୍ୟ ଦେଇଛନ୍ତି । ହେଲେ ଏପଟେ ତେଜିଛି ଅସନ୍ତୋଷ । ଦଳୀୟ ଭିତ୍ତିରେ ବାଛି ବାଛି କର୍ମୀଙ୍କୁ ପୁରୀ ନିଆଯାଉଛି ବୋଲି ଅଭିଯୋଗ ।
📱 Get Argus News App
✨ଏପଟେ ସରକାରୀ ଟଙ୍କାରେ ଦଳୀୟ ପ୍ରଚାର ପ୍ରସାର ଅଭିଯୋଗକୁ ନେଇ ତେଜିଛି ରାଜନୀତି । ପୁରୀ ପରିକ୍ରମା ପ୍ରକଳ୍ପର ପ୍ରଚାର ପ୍ରସାର ପାଇଁ ୧୫୬ କୋଟି ଖର୍ଚ୍ଚ କରିବାକୁ ଯେଉଁ ନିଷ୍ପତ୍ତି ହୋଇଥିଲା, ସେଥିରୁ ୨୦ କୋଟି ଟଙ୍କା କେବଳ ଲୋକ ନେବା ଆଣିବା ପାଇଁ ଖର୍ଚ୍ଚ ହେବ । ପ୍ରତିଦିନ ପ୍ରାୟ ୧୦ ହଜାର ଲୋକଙ୍କୁ ପୁରୀ ନେଇ ପରିକ୍ରମା ପ୍ରକଳ୍ପ ବୁଲାଯିବ । ଯାହାକି ଆସନ୍ତା ୨୨ ତାରିଖ ଯାଏଁ ଚାଲିବ । ବିଜେପି କହିଛି ଭୋଟ ବ୍ୟାଙ୍କ ବଢାଇବାକୁ ସରକାରୀ ଟଙ୍କାରେ ଦଳୀୟ କର୍ମୀଙ୍କୁ ପୁରୀ ବୁଲାଉଛନ୍ତି ସରକାର । କଂଗ୍ରେସ ମଧ୍ୟ କହିଛି ପରିକ୍ରମା ପ୍ରକଳ୍ପ ଅନିୟମିତତା ଲୁଚାଇବାକୁ ସରକାରଙ୍କ ଏହା ଭାଣ୍ଡାମୀ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସଂପର୍କରେ ପ୍ରଚାର ପ୍ରସାର କରି ମାଇଲେଜ ନେବାକୁ ଷ୍ଟ୍ରାଟେଜି କରିଥିଲେ ସରକାର । ହେଲେ ଆରମ୍ଭରୁ ଶେଷ ଯାଏଁ ଅସନ୍ତୋଷ ବଢିବାରେ ଲାଗିଛି । ପ୍ରଥମେ ଅର୍ପଣ ରଥ ବୁଲାଇବା ପାଇଁ ପଞ୍ଚାୟତକୁ ଦିଆଯାଉଥିବା ଟଙ୍କା ନେଇ ଜନ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ପରେ ରଥରେ ପାଣ୍ଡିଆନ ଓ ନବୀନଙ୍କ ଫଟୋ ଲାଗିବା ଯାହା ବିବାଦକୁ ଆହୁରି ବଢାଇଥିଲା ଏହାପରେ ଜଗନ୍ନାଥଙ୍କ ନାଁରେ ଗୁଆ ଚାଉଳ ସଂଗ୍ରହ କରି ତାକୁ ପୁରୀ ନପଠାଇବା ଆକ୍ରୋଶକୁ ଆହୁରି ତୀବ୍ର କରିଥିଲା । ଏବେ ପୁଣି ପୁରୀକୁ ନେବାରେ ପାତରଅନ୍ତରକୁ ନେଇ ଅସନ୍ତୋଷ ସରକାରଙ୍କ ପାଇଁ ବୁମେରାଂ ହେବ ନି ତ ?