ପବିତ୍ର ରାମନବମୀ ଠାରୁ ଆରମ୍ଭ ହେବ ପୁରୀର ପ୍ରସିଦ୍ଧ ସାହିଯାତ

ଅର୍ଗସ ବ୍ୟୁରୋ : ଆସନ୍ତା ୧୭ ତାରିଖ ରାମନବମୀ ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ । ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ ଏହି ସାହିଯାତରେ ରାମାୟଣ କଥାବସ୍ତୁ ଉପରେ ଆଧାରିତ ଶ୍ରୀରାମ ଜନ୍ମ ଠାରୁ ଆରମ୍ଭ କରି ରାମାଭିଷେକ ପର୍ଯ୍ୟନ୍ତ ନୀତିକାନ୍ତି ଅନୁଷ୍ଠିତ ହେବ । ସାହିଯାତ ପାଇଁ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଯାଗା ଆଖେଡା ଚଳଚଞ୍ଚଳ ହୋଇପଡିଛି । ଥରେ ଦେଖୁନାହାନ୍ତି କେମିତି ଚାଲିଛି ନୃତ୍ୟ ଓ ସମରକଳା ଅଭ୍ୟାସ ।
ବୀର ବାଦ୍ୟରେ କମ୍ପୁଛି ଆଖଡାଘର । ପାହୁଲ ଓ ଠାଣିରେ ମଜ୍ଜିଲେଣି ସାହି ଭେଣ୍ଡିଆ । ବୀରଦର୍ପ ଚାଲି, କଥାକୁହା ଆଖି ଓ ମନମତାଣିଆ ବେଶରେ ବିଭୋର ହେବ ପୁରୀ ସହର । ଆଉ ଉଜ୍ଜଳ ଆଲୋକମାଳାରେ ଝଲସିବ ୭ ସାହି ଓ ୪୨ ଗଳିକନ୍ଦି । କେବଳ ସେତିକି ନୁହେଁ ମଲିଫୁଲ ମାଳର ବାସ୍ନାରେ ମହକିବ ପୁରୁଷୋତ୍ତମ କ୍ଷେତ୍ର । ଆସନ୍ତା ରାମନବମୀ ଦିନ ଭଗବାନ ରାମଚନ୍ଦ୍ରଙ୍କ ଜନ୍ମନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବାବେଳେ ସେହିଦିନ ଠାରୁ ଆରମ୍ଭ ହେବ ପାରମ୍ପରିକ ସାହିଯାତ । ଶ୍ରୀମନ୍ଦିର ରୀତିନୀତି ସହ ସାହିଯାତ ଜଡିତ । ପ୍ରତିଦିନ ସାତ ସାହିରୁ ବାହାରିବାକୁ ଥିବା ଚରିତ୍ର ଗୁଡିକ ବନ୍ଧୁ ସାହି ବା ବାଦିସାହିରେ ନୃତ୍ୟ ପ୍ରଦର୍ଶନ କରିବା ପରେ ଜଗନ୍ନାଥବଲ୍ଳଭ ମଠରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କ ନୀତିରେ ସାମିଲ ହେବେ ।
📱 Get Argus News App
✨ସେଠାରେ ଯଜ୍ଞରକ୍ଷା, ଶିବଧନୁ ଭଙ୍ଗ, ସୀତାବିବାହ, ପର୍ଶୁରାମ ଲୀଳା, ମାୟାମୃଗ ଲୀଳା, ଲଙ୍କାପୋଡି ଲୀଳା ଓ ରାବଣବଦ୍ଧ ଲୀଳାମାନ ସମ୍ପୂର୍ଣ ହୋଇଥାଏ । ସେପଟେ ସାହିଯାତକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ସାତ ସାହି ଆଖେଡା ମୂରବିଙ୍କ ସହ ଆଲୋଚନା ଶେଷ ହୋଇଥିବା ହୋଇଛି ।