Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିରବ ଓଡ଼ିଶା ସରକାର, ନିର୍ବାଚନ ଅଧିକାରୀଙ୍କ ନୀତି ଉପରେ ଉଠିଲା ପ୍ରଶ୍ନ ?

Banajyotshna Ray
Browse all articles by Banajyotshna Ray
·2 years ago·2 min read
ନିରବ ଓଡ଼ିଶା ସରକାର, ନିର୍ବାଚନ ଅଧିକାରୀଙ୍କ ନୀତି ଉପରେ ଉଠିଲା ପ୍ରଶ୍ନ ?

ଅର୍ଗସ ବ୍ୟୁରୋ:  ହାତରେ ଲାଗିଛି ଭୋଟ୍ କାଳି । ତଥାପି ଏଠାରେ ଏମାନଙ୍କୁ ଭୋଟ୍ ଦେବାଲାଗି ମିଳୁଛି ଅନୁମତି। ସାରା ଭାରତରେ ଏପରି ଦୃଶ୍ୟ କେଉଁଠି ବୋଧହୁଏ ଦେଖିବାକୁ ମିଳିବ ନାହିଁ। କିନ୍ତୁ କୋରାପୁଟ କୋଟିଆରେ ସୋମବାର ଦେଖିବାକୁ ମିଳିଛି ଏପରି ଅଭାବନୀୟ ସ୍ଥିତି। ଗୋଟିଏ ଦିନରେ କୋରାପୁଟ ଲୋକସଭା ଓ ସେପେଟ ଆନ୍ଧ୍ରର ବିଜୟନଗରମ୍ ଲୋକସଭା ଆସନ ପାଇଁ ଅନୁଷ୍ଠିତ ହେଇଛି ମତଦାନ। ତେବେ କୋଟିଆ ବାସୀ ଉଭୟ ଲୋକସଭା ଆସନ ପାଇଁ ଦେଇଛନ୍ତି ଭୋଟ୍।

ଇଏ କୋଟିଆର ନେରେଡିୱାଲସାରେ ଖୋଲାଯାଇଥିବା ଆନ୍ଧ୍ର ବିଜୟ ନଗରମ ଲୋକସଭା ଆସନ ପାଇଁ ପୋଲିଂ ବୁଥ୍। ଓଡ଼ିଶା ସୀମାରେ କୋଟିଆରେ ଏହି ମତଦାନ କେନ୍ଦ୍ର ଖୋଲିଛି ଆନ୍ଧ୍ର। ଏଠାରୁ ପ୍ରଥମେ ଭୋଟ୍ ଦେଇ ବାହାରିବା ପରେ ନିକଟରେ କୋରାପୁଟ ସଂସଦୀୟ ଓ ପଟ୍ଟାଙ୍ଗି ବିଧାନସଭା ଆସନ ଲାଗି ଖୋଲାଯାଇଥିବା ବୁଥରେ ଭୋଟ୍ ଦେଉଛନ୍ତି କୋଟିଆବାସୀ। ଆଉ ଏଠାରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀର ଉଡୁଛି ଧଜ୍ଜିୟା। ଆନ୍ଧ୍ର ବୁଥରେ ଭୋଟ୍ ଦେଇ ହାତରେ କାଳି ଲାଗାଇ ଆସିବା ପରେ ଏମାନଙ୍କୁ ପୁଣିଥରେ ଭୋଟ୍ ଦେବାକୁ ଓଡ଼ିଶା ବୁଥରେ ମିଳୁଛି ଅନୁମତି। ଏପରି ବେଆଇନ୍ କାର୍ଯ୍ୟ ପଛରେ ରହିଛି କାହା ନିର୍ଦ୍ଦେଶ। ଏକଥା ଜାଣିଛନ୍ତି କି ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ। କୋରାପୁଟ ଜିଲ୍ଲା ପଟାଙ୍ଗି ନିର୍ବାଚନ ମଣ୍ଡଳୀର ବିବାଦୀୟ କୋଟିଆ ପୁଞ୍ଜରେ ଓଡ଼ିଶା ପକ୍ଷରୁ 9ଟି ବୁଥରେ ଭୋଟ ଦେଇଛନ୍ତି ଲୋକେ । କୋଟିଆ ପଞ୍ଚାୟତରେ 5 ହଜାର 502 ଭୋଟରଙ୍କ ମଧ୍ୟରୁ ଆନ୍ଧ୍ର ମତଦାତା ତାଲିକାରେ ସାମିଲ ହୋଇଛି 2 ହଜାର 796 ଜଣ ଭୋଟରଙ୍କ ନାଁ । କୋଟିଆରେ 510, ଫଗୁଣ ଶିନେରୀରେ 598 ଓ ମାଡକର ଗ୍ରାମରେ 335 ଭୋଟର ଥିବାବେଳେ ଗଞ୍ଜେଇ ପଦର ଗ୍ରାମର 769 ଓ ଲୋନା ସିଂ ଗ୍ରାମରେ 584 ଜଣ ଭୋଟର ମତାଧିକାରୀ ସାବ୍ୟସ୍ତ କରିଛନ୍ତି ।

ଏଠାରେ ପ୍ରଶ୍ନ ଉଠୁଛି ଓଡ଼ିଶା ସୀମାରେ ଆନ୍ଧ୍ର ପୋଲିଂ ବୁଥ୍ ଖୋଲିବାକୁ କିଏ ଦେଇଥିଲା ଅନୁମତି। କଣ କରୁଥିଲା କୋରାପୁଟ ଜିଲ୍ଲା ପ୍ରଶାସନ। ବାରମ୍ବାର ଓଡ଼ଶା ସୀମା ଲଙ୍ଘୁଛି ଆନ୍ଧ୍ର। କୋଟିଆକୁ କବଜା ଲଗି କରୁଛି ଲଗାତାର ଷଡ଼ଯନ୍ତ୍ର । ପ୍ରଥମେ ପ୍ରଲୋଭନ ଦେଖାଇ ସୀମାନ୍ତରେ 20ରୁ ଉର୍ଦ୍ଧ୍ବ ଗ୍ରାମବାସୀଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିଥିଲା ଆନ୍ଧ୍ର । ଏବେ ଓଡ଼ିଶା ଭିତରେ ପୋଲିଂ ବୁଥ୍ କରି ଓଡ଼ିଆଙ୍କ ଭୋଟ୍ ନେଉଛି । ଅଥଚ ସବୁଜାଣି ବି ମୁହଁରେ ତୁଣ୍ଡି ଦେଇ ବସିଛନ୍ତି ବିଜେଡି ସରକାର । ନା ଅଛି ପ୍ରତିବାଦ, ନା ଆନ୍ଧ୍ର ପ୍ରଶାସନକୁ ବିରୋଧ । ଲୁଚାଛପାରେ ନୁହେଁ, ସର୍ବସାଧାରଣରେ କୋଟିଆବାସୀ ଗୋଟିଏ ଆଙ୍ଗୁଳିରେ ଦୁଇ ଥର କାଳି ଲଗେଇ ଦୁଇ ରାଜ୍ୟରେ ଭୋଟ ଦେଉଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
Questions raised on the policies of the state government and election officials? | Argus News