Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆକ୍ସନ୍ ମୁଡରେ ବିଜେପି ସରକାର, ଛାନିଆ ମଦ ମାଫିଆ

Manini Pattanayak
Browse all articles by Manini Pattanayak
·1 year ago·2 min read
ଆକ୍ସନ୍ ମୁଡରେ ବିଜେପି ସରକାର, ଛାନିଆ ମଦ ମାଫିଆ

 କଟକ:  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଭଦ୍ରେଶ୍ବର ଥାନା ପ୍ରହରାଜପୁରର SR ବାରରେ ବର୍ଷ ବର୍ଷ ଧରି ଚାଲିଥିଲା ନକଲି ମଦ କାରଖାନା । 10 ଜଣିଆ ଅବକାରୀ ଟିମ୍ ଅତର୍କିତ ଚଢାଉ କରି ଏହି ବେଆଇନ୍ କାରବାରର ପର୍ଦ୍ଦାଫାସ୍ କରିଛି । 11 ଶହ ଲିଟର୍ ଡୁପ୍ଲିକେଟ୍ ମଦ, 8 ହଜାର କେମିକାଲ୍ ଠିପି, ହଜାର ପିସ୍ ଖାଲି ବୋତଲ୍, 1190 ଲୋଗୋ, 5ଟି ମୋବାଇଲ୍ ଫୋନ୍ ଓ 3ଟି ସ୍କୁଟି ଜବତ ହୋଇଛି । ଏସବୁର ମୂଲ୍ୟ 9 ଲକ୍ଷ 15 ହଜାର ଟଙ୍କା । ଅବକାରୀ ବିଭାଗର ସୁପରିଟେଣ୍ଡ୍ ବାରକୁ ସିଲ୍ କରିଥିବାବେଳେ ଘଟଣାରେ ବାର୍ କର୍ମୀଙ୍କ ସହ 5 ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ବାର୍ ମାଲିକ ହିମାଂଶୁ ନାୟକ ଫେରାର୍ ରହିଛି । ହିମାଂଶୁଙ୍କ ପରିବାର ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କ ଅତି ଖାସ୍ ବୋଲି ଚର୍ଚ୍ଚା ହେଉଛି । ପ୍ରତାପଙ୍କ ଛତ୍ରଛାୟା ତଳେ ରହି ଦୀର୍ଘ ବର୍ଷ ହେଲା ବାରରେ ବେଆଇନ୍ ମଦ କାରବାର ଚଳାଇ ମାଲେମାଲ୍ ହେଉଥିଲା ହିମାଂଶୁ । ଆଉ ଏବେ ଅବକାରୀ ବିଭାଗ ଆକ୍ସନ ମୁ଼ଡକୁ ଆସିବା ପରେ ମଦମାଫିଆ ହୋଇଯାଇଛନ୍ତି ଛାନିଆ ।

ସେହିପରି ଦେଶୀମଦର କୁଟୀର ଶିଳ୍ପ ପାଲଟିଥିବା ଆଠଗଡ଼ ଅଞ୍ଚଳରୁ ଦେଶୀ ମଦ ମୁକ୍ତ ଲକ୍ଷ୍ୟରେ ଅବକାରୀ ବିଭାଗ । କୋରୋଙ୍ଗା ଗାଁରେ ଆଠଗଡ଼ ଅବକାରୀ ଏବଂ ମୋବାଇଲ୍ ସ୍କ୍ବାଡ୍ ମିଳିତ ଚଢ଼ାଉ କରି ୯୪୫ ଲିଟର ଦେଶୀ ମଦ ସହ ୯୩୪୫ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ଗୁଡପୋଚ ନଷ୍ଟ କରିଛି । ଗୋଟିଏ ନମ୍ବର ବୀହିନ କାର ଜବତ ସହ 3ଟି ମାମଲା ରୁଜୁ ହୋଇଛି  ।  ସେହିପରି ଚିକିଟି ମଦ ମୃତ୍ୟୁ ପରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ୍ ମଦ ସାମ୍ରାଜ୍ୟ ଉପରେ ଜୋରଦାର୍ ଚଢାଉ ଜାରି ରଖିଛି ପୋଲିସ୍ ଓ ଅବକାରୀ ବିଭାଗ । କୋଦଳାର ବାଇଗଣିଆସାହି ଓ ଧୋବାଝୋଳା ଏବଂ ବେଗୁନିଆପଡାର ସାଙ୍କୁଡାଠାରେ ଚଢ଼ାଉ କରି ୧୩୪ ଲିଟର ବେଆଇନ ଦେଶୀ ମଦ ଜବତ ସହ 3 ଜଣଙ୍କୁ ଗିରଫ କରିଛି ।
 ବାଲିଶିରା ଗାଁ ନିକଟରେ ପୃଥକ୍ ପୃଥକ୍ ସ୍ଥାନରେ ରେଡ୍ କରି 5750 ଲିଟର ପୋଚ ନଷ୍ଟ ସହ 390 ଲିଟର ମଦ ଜବତ କରିଛି ଅବକାରୀ ଟିମ୍ । ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି ।
 ପୁରା ରାଜ୍ୟରୁ ବେଆଇନ ମଦର ନେଟୱାର୍କକୁ ଭାଙ୍ଗିବା ପର୍ଯ୍ୟନ୍ତ ରେଡ୍ ଚାଲିବ ପୂର୍ବରୁ ସ୍ପଷ୍ଟ କରିଛନ୍ତି ଅବକାରୀ ମନ୍ତ୍ରୀ ।  24 ବର୍ଷ ଶାସନରେ ହଜାର ହଜାର ବେଆଇନ ମଦ ଭାଟି ଖୋଲି ବିଜେଡି ନେତାଙ୍କ ହାତପାଣ୍ଠିକୁ ମଜବୁତ କରୁଥିଲେ ମଦ ମାଫିଆ। ସରକାର ସବୁ ଜାଣି ଚୁପ ଥିଲେ। ସେତେବେଳେ ମଦଭାଟି ଭାଙ୍ଗିବା ପାଇଁ ଅଣ୍ଟା ଭିଡିଥିଲେ ମହିଳା । ଏବେ ବେଆଇନ ମଦ ବିରୋଧରେ ବଡ଼ ଅଭିଯାନ ଆରମ୍ଭ କରିଛି ବିଜେପି ସରକାର ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Raid continues on illegal liquor empire across the state | Argus News