|
logo
Live

Argus News - ସବୁଠି ମହକିଛି ପୋଡ଼ପିଠାର ବାସ୍ନା, ମନ ମୋହିଛି ରଜପାନ

Odisha

ସବୁଠି ମହକିଛି ପୋଡ଼ପିଠାର ବାସ୍ନା, ମନ ମୋହିଛି ରଜପାନ

Smruti Parija
Browse all articles by Smruti Parija
·1 year ago·2 min read
ସବୁଠି ମହକିଛି ପୋଡ଼ପିଠାର ବାସ୍ନା, ମନ ମୋହିଛି ରଜପାନ

ଅର୍ଗସ ବ୍ୟୁରୋ: ରଜଦୋଳିର ଆସର, ସୁଆଦିଆ ପିଠାପଣାର ସମ୍ଭାର ଆଉ ସୁବାସିତ ପାନର ମହକ । ବନସ୍ତରେ ଗଜ ଡାକୁ କି ନ ଡାକୁ ବର୍ଷକୁ ଥରେ ନୂତନ ସଜବାଜ ଆଉ ପ୍ରତ୍ୟେକଙ୍କ ମନରେ ଉନ୍ମାଦନାର ନବୀନ ସ୍ବର ଝଙ୍କାର ତୋଳି ଆସିଛି ରଜ ।  ରଜରେ ଆଜି ଗାଁଠୁ ସହର ଯାଏଁ ସବୁଠି ମତୁଆଲା ପରିବେଶ । ଗତକାଲି ସଜବାଜ ପରେ ଆଜି ସକାଳେ ପହିଲି ରଜ ପାଇଁ ସକାଳେ ସକାଳେ ଆରମ୍ଭ ହୋଇଥିଲା ଝିଅବୋହୂଙ୍କ ପ୍ରସ୍ତୁତି । ନୂଆ ଡ୍ରେସ ସାଙ୍ଗକୁ ଅଳତା, କୁଙ୍କୁମ, ମେହେନ୍ଦି, ଚନ୍ଦନ ଏବଂ ଭଳିକି ଭଳି ଅନ୍ୟ ସାଜସଜ୍ଜା ସାମଗ୍ରୀରେ ସଜେଇ ହୋଇଥିଲେ କୁଆଁରୀ ଆଉ ନବବିବାହିତା ।

ଘରେ ଘରେ ଜମିଥିଲା କିସମକିସମର ପିଠା, ମିଠା ଆଉ ସୁଆଦିଆ ଖାଦ୍ୟ ସମ୍ଭାରର ପର୍ବ । ପୋଡ଼ପିଠାର ବାସ୍ନାରେ ମହକିଥିଲା ଚତୁର୍ଦ୍ଦିଗ । ଉପକୂଳ ଓଡ଼ିଶାରେ ସୂର୍ଯ୍ୟ ଆଜି ସାମାନ୍ୟ ନରମ ପଡ଼ିଥିବାରୁ ଝିଅବୋହୂଙ୍କ ଦୋଳିଖେଳ ବେଶ ଜମିଥିଲା । ତେଣୁ ଗାଁମୁଣ୍ଡ ବରଗଛଠୁ ସହରର ପାର୍କ ଯାଏଁ ସବୁଠି ଦେଖିବାକୁ ମିଳିଥିଲା ଦୋଳିର ରାଜୁତି । ରଜଦୋଳିର ପାରମ୍ପରିକ ଗୀତ ସାଙ୍ଗକୁ ଆଧୁନିକ ସଙ୍ଗୀତର ତାଳେତାଳେ ଝୁମିଥିଲେ ସମସ୍ତେ । 

ରାଜଧାନୀରେ ଭୁବନେଶ୍ବରରେ ବାରି ହେଇପଡ଼ୁଥିଲା ରଜର ପ୍ରସ୍ତୁତି ଆଉ ସାଜସଜ୍ଜା । ରାଜ୍ୟ ସଂଗ୍ରହାଳୟରେ ରଜ ପାଳିବା ପାଇଁ ପହଞ୍ଚିଥିଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ଦୁଲଦୁଲି ନୃତ୍ୟରେ ସ୍ବାଗତ କରାଯାଇଥିଲା। ସେଠାରେ ବୃକ୍ଷ ରୋପଣ ସହ ଓଡ଼ିଶୀ ନୃତ୍ୟର ମଜା ନେଇଥିଲେ ମୁଖ୍ୟମନ୍ତ୍ରୀ । ପ୍ରତିବର୍ଷ ଭଳି ଏବର୍ଷ ବି OTDC ପକ୍ଷରୁ ପାନ୍ଥ ନିବାସରେ ସର୍ବସାଧାରଣଙ୍କ ପାଇଁ ଆୟଜିତ ହୋଇଥିଲା ରଜପର୍ବ । ଭୁବନେଶ୍ବର ଉପକଣ୍ଠ କଲ୍ୟାଣପୁରରେ ବି ରଜପାଇଁ ଉତ୍ସାହ ଦେଖିବାକୁ ମିଳିଥିଲା ।ସହିଦ ନଗରରେ ବନାରସୀ ପାନ ଦୋକାନରେ ଲାଗିଥିଲା ଲାଇନ୍ । ଏଇଠି 5 ଟଙ୍କାଠୁ ନେଇ 1111 ଦାମ ଯାଏଁ ମିଳୁଛି ରଜ ପାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସିଲଭର ସିଟିରେ ବି ରଜକୁ ନେଇ ଲୋକଙ୍କ ମନରେ ଥିଲା ଅଭୂତପୂର୍ବ ଉତ୍ସାହ ଓ ଉଦ୍ଦୀପନା । ଖୋର୍ଦ୍ଧାର ମାଆ ଉଗ୍ରତାରାଙ୍କ ପୀଠରେ ବି ଆଜି ରଜରେ ଦେଖିବାକୁ ମିଳିଥିଲା ଶ୍ରଦ୍ଧାଳୁଙ୍କ ଗହଳି । ଉପକୂଳ ଓଡ଼ିଶାରେ ରଜକୁ ନେଇ ଗହଳିଚହଳି ଲାଗି ରହିଥିବା ବେଳେ କେନ୍ଦୁଝର ଘଟଗାଁର ଟିକିରା ଗ୍ରାମରେ ରଜ ପର୍ବକୁ ଏକ ନିଆରା ଢଙ୍ଗରେ ପାଳନ କରାଯାଏ। ଏଠାରେ ରଜକୁ ପାଞ୍ଚ ଦିନ ଧରି ପାଳନ କରାଯିବା ପରେ ରଜବତୀ ବିବାହ ଉତ୍ସବ ପାଳନ କରାଯାଇ ରଜକୁ ବିଦାୟ ଦିଆଯାଏ । 

ମୋଟାମୋଟି ଆଜି ପହିଲି ରଜ ବେଶ ଜାକଜମକରେ ପାଳନ ହୋଇଥିବା ବେଳେ, ଆସନ୍ତାକାଲି ରଜ ସଂକ୍ରାନ୍ତି ଓ ପହର ଦିନ ଶେଷ ରଜ ପାଳିତ ହେବ । ଏହି ତିନି ଦିନ ରଜଦୋଳି ସାଙ୍ଗକୁ ତାସ, ବାଗୁଡ଼ି, ପୁଚି ଖେଳର ଆଖଡ଼ା ଜମୁଛି । 

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
ସବୁଠି ମହକିଛି ପୋଡ଼ପିଠାର ବାସ୍ନା, ମନ ମୋହିଛି ରଜପାନ | Argus News