Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡ଼ିଶାରେ ରଜ ଉତ୍ସବ : ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି,ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

Odisha

Raja Festival Wish / ଓଡ଼ିଶାରେ ରଜ ଉତ୍ସବ : ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି,ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

Bikash Mohanty
Browse all articles by Bikash Mohanty
·1 hour ago·3 min read
ଓଡ଼ିଶାରେ ରଜ ଉତ୍ସବ : ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି,ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ
Raja Parba

Key Points

କୃଷିଭିତ୍ତିକ ରଜ ପର୍ବ ପାଇଁ ଉତ୍ସବମୁଖର ଗାଁ ଠୁ ସହର
ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି,ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ
ଏହି ପର୍ବ ପ୍ରକୃତି ଏବଂ ସମାଜ ମଧ୍ୟରେ ଗଭୀର ସମ୍ପର୍କକୁ ପ୍ରତିଫଳିତ କରେ
ଭୁବନେଶ୍ବର,୧୪/୦୬: ଆଜି ପହିଲି ରଜ । ମାଟି ଓ ଆକାଶର ମିଳନର ପର୍ବ । କୃଷିଭିତ୍ତିକ ଏହି ପର୍ବ ପାଇଁ ଉତ୍ସବମୁଖର ଗାଁ ଠୁ ସହର। ଏହି ରଜ ଅବସରରେ ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାରେ ପାଳିତ ରଜ ଉତ୍ସବ ପାଇଁ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, ଏହି ଫସଲର ଉତ୍ସବ ରଜର ଶୁଭ ଅବସରରେ, ମୁଁ ସମଗ୍ର ଦେଶର ଲୋକମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି।

ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ, ଏହି ପର୍ବ ପ୍ରକୃତି ଏବଂ ସମାଜ ମଧ୍ୟରେ ଗଭୀର ସମ୍ପର୍କକୁ ପ୍ରତିଫଳିତ କରେ । ଏହି ସୁନ୍ଦର ମୌସୁମୀ ମହୋତ୍ସବ ପୃଥିବୀ ଏବଂ ମେଘକୁ ସମ୍ମାନ ଦିଏ। ରାଷ୍ଟ୍ରପତି ଆଶା ପ୍ରକାଶ କରିଛନ୍ତି ଯେ, ଏହି ପର୍ବ ଲୋକମାନଙ୍କୁ ପ୍ରକୃତି ସହିତ ସମନ୍ୱୟରେ ରହିବା ଏବଂ ରାଷ୍ଟ୍ର ନିର୍ମାଣରେ ନିଜକୁ ଉତ୍ସର୍ଗ କରିବାକୁ ପ୍ରେରଣା ଦେବ। ସେ ଏହି ଅବସରରେ ରାଜ୍ୟ ଏବଂ ସମଗ୍ର ଦେଶର ଲୋକଙ୍କ ପାଇଁ ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କରିଛନ୍ତି।


ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି "କୃଷିଭିତ୍ତିକ ଗଣପର୍ବ ରଜ ହେଉଛି ଓଡ଼ିଶାର ସଂସ୍କୃତି, ପ୍ରକୃତି, ପ୍ରଗତି ଏବଂ ପରମ୍ପରାର ମହାନ ପର୍ବ । ପରିବେଶ ସୁରକ୍ଷାର ବାର୍ତ୍ତା ଏହି ପର୍ବରେ ନିହିତ । ମା' ମାଟିର ମହନୀୟତାକୁ ପ୍ରତିପାଦିତ କରିବା ସହ ଭାଇଚାରା, ମୈତ୍ରୀ ଓ ସଦ୍ଭାବନାକୁ ସୁଦୃଢ଼ କରେ ଏହି ପର୍ବ । ହର୍ଷୋଲ୍ଲାସର ପର୍ବ ରଜ ଅବସରରେ ଓଡ଼ିଶାର ଭାଇଭଉଣୀମାନଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ।"
 
ରଜରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମୃଦ୍ଧ ଓଡିଶା ଗଠନରେ ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ। ରଜ କେବଳ ପରିବର୍ତ୍ତିତ ଋତୁଚକ୍ରର ଆବାହନୀ ନୁହେଁ; ଏହା ଆମ ସନାତନ ଚେତନାର ଏକ ମହାନ ସାଂସ୍କୃତିକ ସଂସ୍କାର, ପ୍ରକୃତି ପ୍ରତି କୃତଜ୍ଞତା ଓ ନାରୀତ୍ୱ ପ୍ରତି ଗଭୀର ସମ୍ମାନର ଅନନ୍ୟ ଅଭିବ୍ୟକ୍ତି। ଏହି ପରମ୍ପରା ନାରୀତ୍ୱର ପବିତ୍ରତା, ସୃଜନର ସାମର୍ଥ୍ୟ ଏବଂ ମାତୃତ୍ୱର ଗରିମାକୁ ସର୍ବୋଚ୍ଚ ଆସନ ପ୍ରଦାନ କରି ଓଡ଼ିଆ ଜାତିର ସ୍ୱାଭିମାନକୁ ଏକ ସ୍ୱତନ୍ତ୍ର ଉଚ୍ଚତାରେ ପ୍ରତିଷ୍ଠିତ କରିଛି।

ପଢନ୍ତୁ ଏହି ଖବର: ଆଜି ପହିଲି ରଜ,କୃଷିଭିତ୍ତିକ ଏହି ପର୍ବ ପାଇଁ ଉତ୍ସବମୁଖର ଗାଁ ଠୁ ସହର

ଆମ ସାଂସ୍କୃତିକ ବିଶ୍ୱାସ ଅନୁଯାୟୀ, ସ୍ୱୟଂ ଭୂଦେବୀ ଏହି ତିନିଦିନ ରଜସ୍ୱଳା ହୋଇ ବିଶ୍ରାମ ନିଅନ୍ତି। ପ୍ରକୃତିର ଏହି ସର୍ଜନାତ୍ମକ ବିଶ୍ରାମକୁ ସମ୍ମାନ ଜଣାଇ ଆମ ଅନ୍ନଦାତାମାନେ କୃଷି କାର୍ଯ୍ୟ ସ୍ଥଗିତ ରଖି ମାଟି ମା'ଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରନ୍ତି। ସେହିପରି, ପ୍ରତ୍ୟେକ ଓଡ଼ିଆ ପରିବାରରେ କନ୍ୟା, ମା' ଓ ଭଉଣୀମାନଙ୍କୁ ଦୈନନ୍ଦିନ ଦାୟିତ୍ୱରୁ ମୁକ୍ତି ଦେଇ ସେମାନଙ୍କ ସମ୍ମାନ, ସ୍ୱାଧୀନତା ଓ ଆନନ୍ଦର ମହୋତ୍ସବ ଭାବେ ଏହି ପର୍ବକୁ ପାଳନ କରାଯାଏ।

ରାଜ୍ୟବାସୀଙ୍କୁ ଓଡ଼ିଶାର ଗଣ ପର୍ବ ‘ରଜ’ର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଆ ସଂସ୍କୃତିର ଏହି କୃଷିଭିତ୍ତିକ ପର୍ବ ପ୍ରକୃତି, ମାଟି ମା’ ଏବଂ ନାରୀ ଶକ୍ତିକୁ ସମ୍ମାନ ଜଣାଇବାର ଏକ ଅନନ୍ୟ ଅବସର ବୋଲି ସେ ଉଲ୍ଲେଖ କରିଛନ୍ତି । ପୋଡ଼ ପିଠା, ମିଠା ପାନ ଆଉ ରଜ ଦୋଳି ଗୀତର ଏହି ମହୋତ୍ସବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉତ୍ସାହ ଆଣିଦେଉ ବୋଲି କାମନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored