ବିଜେଡି ବିଧାୟକ ଦଳ ବୈଠକରେ ପରାଜୟ ନେଇ ଅସନ୍ତୋଷ ବ୍ୟକ୍ତ କଲେ ରାଜା ସ୍ବାଇଁ

Key Points
- ଖାଲି ପାଣ୍ଡିଆନ ନୁହେଁ ବିଜେଡିର ପରାଜୟ ଦୋଷରୁ ବାଦ୍ ନୁହନ୍ତି ନବୀନ
- ବିଜେଡି ବିଧାୟକ ଦଳ ବୈଠକରେ ପରାଜୟ ନେଇ ଅସନ୍ତୋଷ ବ୍ୟକ୍ତ କଲେ ରାଜା ସ୍ବାଇଁ
- ରଣେନ୍ଦ୍ର ପ୍ରତାପଙ୍କ ଦାବିକୁ ସମର୍ଥନ ଜଣାଇଲେ ଅରୁଣ ସାହୁ
- ନବୀନଙ୍କ ଏକାଧିପତ୍ୟ ଉପରେ ପ୍ରଶ୍ନ ଉଠାଇଲେ କି ବିଜେଡିର ଆଗ ଧାଡ଼ିର ନେତା ?
- ପୂର୍ବରୁ ବିଶେଷଜ୍ଞ କରିଛନ୍ତି ଆକଳନ, କ୍ଷମତାରୁ ବାହାରିଲେ ଶେଷ ହୋଇଯିବ ବିଜେଡି
- ନବୀନ ବିରୋଧୀ ଦଳ ନେତା ହୋଇ ଦଳକୁ ଏକାଠି ରଖିବା ଉଦ୍ୟମ ଫସର ଫାଟିଯିବ କି ?
ଅର୍ଗସ ବ୍ୟୁରୋ: ବିଜେଡି ବିଧାୟକ ଦଳ ବୈଠକରେ ନିଆଁ ବାଣ ହେଲେ ରାଜା । ଦଳର ଶୋଚନୀୟ ପରାଜୟ ପାଇଁ ସିଧାସଳଖ ନବୀନଙ୍କୁ ପ୍ରଶ୍ନ କଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଖୋଦ୍ ବିଜେଡି ସୁପ୍ରିମୋଙ୍କୁ ରାଜା ସ୍ୱାଇଁଙ୍କ ଏଭଳି ପ୍ରଶ୍ନକୁ ନେଇ ବିଜେଡିର ଅନ୍ଦର ମହଲରେ କମ୍ପନ । ଚର୍ଚ୍ଚା ଅନୁସାରେ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବିଜେଡିର ନବ ନିର୍ବାଚିତ ବିଧାୟକ ମାନଙ୍କର ବୈଠକ। ହଠାତ୍ ନିଜ ଆସନରୁ ଛିଡ଼ା ହୋଇ ସଭାପତିଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କଲେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଓଡ଼ିଶାରେ କେମିତି ଗୋଟିଏ ବି ଲୋକସଭା ସିଟ୍ ଜିତି ପାରିଲା ନାହିଁ ବିଜେଡି ?
ପୁଣି ବିଧାନସଭାରେ ଭୋଟ ପ୍ରତିଶତ ଅଧିକ ଥାଇ ବି ଦଳ କେମିତି ପରାସ୍ତ ହେଲା ? ଏସବୁର ଅନୁଧ୍ୟାନ କରିବାକୁ ଦାବି କରିଥିଲେ ରାଜା । ତେବେ ରାଜା ସ୍ବାଇଁ କ୍ୟାମେରା ଆଗରେ ଏହି ପ୍ରସଙ୍ଗ ଏଡ଼ାଇ ଯାଇଥିବା ବେଳେ ତାଙ୍କ ମତରେ ସତ୍ୟତା ଥିବା କହିଛନ୍ତି ବିଜେଡିର ଆଗଧାଡ଼ିର ନେତା।
ଦଳର ଆଗଧାଡ଼ିର ନେତାଙ୍କ ଏ ସ୍ବର ସ୍ପଷ୍ଟ କରୁଛି କେବଳ ପାଣ୍ଡିଆନ ନୁହଁନ୍ତି ବିଜେଡିର ପରାଜୟ ଦୋଷରୁ ବାଦ୍ ନୁହନ୍ତି ଖୋଦ୍ ନବୀନ ପଟ୍ଟନାୟକ। ବିଜେଡି ଇତିହାସରେ ପ୍ରଥମ ଥର ନବୀନଙ୍କ ଏକାଧିପତ୍ୟ ଉପରେ ବିଜେଡି ଭିତରୁ ଉଠିଛି ସ୍ବର। ପୂର୍ବରୁ ବିଶେଷଜ୍ଞ ବାରମ୍ବାର ଆକଳନ କରିଛନ୍ତି, କ୍ଷମତାରୁ ଗଲେ ବିଜୁ ଜନତା ଦଳର ସତ୍ତା ହଜିଯିବ। ଏବେ ସେହି କଥା ସତ ହେବାର ଆଭାସ ମିଳୁଛି କି ? ଦଳକୁ ଏକାଠି ରଖିବାକୁ ନବୀନ ବିଧାନସଭାରେ ବିରୋଧୀ ଦଳ ନେତା ହୋଇଥିଲେ ବି ତାଙ୍କ ଉଦ୍ୟମ ଫସର ଫାଟିଯିବ କି ?
📱 Get Argus News App
✨ମାତ୍ର 17 ଦିନ ହେଲା କ୍ଷମତାରୁ ଯାଇଛି ବିଜୁ ଜନତା ଦଳ। ପରାଜୟର ସମୀକ୍ଷା ଭିତରେ ଦଳ ଭିତରେ କୁହୁଳିଲାଣି କି ଅସନ୍ତୋଷର ନିଆଁ ? ଏଭଳି ହେଲେ ବିଜେଡିକୁ ବାନ୍ଧି ରଖିବାରେ ସକ୍ଷମ ହେବେ ତ ସୁପ୍ରିମୋ ନବୀନ ପଟ୍ଟନାୟକ ?
ଆହୁରି ପଢନ୍ତୁ ରାଜନୀତି ଖବର...