Videos
|
Odisha

Rasagola Dibasa / ଆଜି ରସଗୋଲା ଦିବସ, ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ

Bikash Mohanty
Browse all articles by Bikash Mohanty
·1 hour ago·2 min read
ଆଜି ରସଗୋଲା ଦିବସ, ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ
Rasagola Dibas

Key Points

ଆଜି ରସଗୋଲା ଦିବସ
ମହାଲକ୍ଷ୍ମୀଙ୍କ  ମାନଭଞ୍ଜନ କରିବେ ମହାପ୍ରଭୁ
ରସଗୋଲା ଖୁଆଇ ମାନଭଞ୍ଜନ କରିବେ
ପୁରୀ,୨୭/୦୭: ଆଜି ରସ ଗୋଲା ଦିବସ। ପ୍ରତିବର୍ଷ ଭଳି ଏବର୍ଷ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ଅବସରରେ ପାଳନ ହେଉଛି ରସଗୋଲା ଦିବସ। ରସଗୋଲା ହେଉଛି ମିଠାମାନଙ୍କ ରାଜା। ଓଡ଼ିଆମାନଙ୍କ ପ୍ରିୟ ଖାଦ୍ୟ ମଧ୍ୟରୁ ରସଗୋଲା ଅନ୍ୟତମ। କେତେକ ଓଡ଼ିଆ ଗବେଷକଙ୍କ ମତରେ ଜଗନ୍ନାଥ ପରମ୍ପରାରେ ରସଗୋଲାର ବ୍ୟବହାର ଦ୍ୱାଦଶ ଶତାବ୍ଦୀରୁ ଚାଲିଆସୁଛି। ବିଶ୍ୱାସ ରହିଛି, ନୀଳାଦ୍ରି ବିଜେରେ ଅଭିମାନିନୀ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ଜଗନ୍ନାଥ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଭେଟି ଦିଅନ୍ତି। ଏହାପରେ ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥାନ୍ତି।

ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲାର ବେଶ୍ ଗୁରୁତ୍ୱ ରହିଛି। ପ୍ରତିବର୍ଷ ଚତୁର୍ଦ୍ଧା ମୂରତିଙ୍କ ନୀଳାଦ୍ରି ବିଜେ ଅବସରରେ ରସଗୋଲା ଭୋଗ ଲାଗୁଥିବାରୁ ଏହି ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ଏହାସହ ସାରା ବିଶ୍ୱରେ ରସଗୋଲାକୁ ଅଧିକ ପରିଚିତ କରିବା ଉଦ୍ଦେଶ୍ୟରେ ମଧ୍ୟ ଏହି ଦିବସକୁ ପାଳନ କରାଯାଏ ।

ପୁରୀ ସମୁଦ୍ର କୂଳରେ ବାଲୁକା କଳା ମାଧ୍ୟମରେ ପାଳିତ ହେଲା ରସଗୋଲା ଦିବସ । ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ଶେଷ ନୀତି ନୀଳାଦ୍ରି ବିଜେ ଅବସରେ ରସଗୋଲା ଦିବସ ପାଳନ କରାଯିବ । ଏହି ଉତ୍ସବ ପୂର୍ବରୁ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକା କଳାକାର ତଥା ପଦ୍ମଶ୍ରୀ ସମ୍ମାନିତ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ର କୂଳରେ ୭ ଫୁଟ ଉଚ୍ଚର ବାଲୁକା କଳା ନିର୍ମାଣ କରିଛନ୍ତି । ଏଥିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଦେବୀ ଲକ୍ଷ୍ମୀଙ୍କୁ ଦେଖାଯାଇଛି । ଏହି କଳାରେ ହ୍ୟାପି ରସଗୋଳା ଦିବସ ବାର୍ତ୍ତା ଦିଆଯାଇଛି ।

ପଢନ୍ତୁ ଏହି ଖବର: ଆଜି ରତ୍ନସିଂହାସନରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ଏହି ଦିନକୁ ପାଳନ ପାଇଁ ୨୦୧୫ ମସିହା ଜୁଲାଇ ୩୦ ତାରିଖ ନିଳାଦ୍ରୀ ବିଜେ ଦିନ ସୋଶିଆଲ ମିଡିଆରେ କ୍ୟାମ୍ପେନ୍ ଆରମ୍ଭ ହୋଇଥିଲା। ଏହାପରେ ୨୦୧୬ ମସିହାରୁ ପାଳିତ ହୋଇ ଆସୁଛି ରସଗୋଲା ଦିବସ। ରସଗୋଲା କାହାର ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଆରମ୍ଭ ହୋଇଥିଲା ମିଠା ଯୁଦ୍ଧ। ଓଡ଼ିଶା ପକ୍ଷରୁ ତଥ୍ୟ ପ୍ରମାଣ ସହ ରସଗୋଲାର ଉତ୍ପତ୍ତି ଓଡ଼ିଶାରୁ ବୋଲି ସ୍ପଷ୍ଟ କରାଯାଇଥିଲା। ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଥିଲା।୨୦୧୯ ଜୁଲାଇ ୨୯ ତାରିଖରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଥିଲା।

ରସଗୋଲାର ସଂରକ୍ଷଣ ଓ ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ପଦକ୍ଷେପ ନେଇଛନ୍ତି । GI ଟ୍ୟାଗ୍ ମିଳିବା ପରେ "ଓଡ଼ିଶା ରସଗୋଲା"ର ବ୍ରାଣ୍ଡିଂ ଉପରେ ଜୋର ଦିଆଯାଇଛି । ପାହାଳ ରସଗୋଲା କ୍ଲଷ୍ଟର ଡିପିଆର୍‌କୁ ସରକାରୀ ଅନୁମୋଦନ ମିଳିଛି । ଏଥିପାଇଁ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଓଡ଼ିଶା ରସଗୋଲାର ସ୍ୱତନ୍ତ୍ରତା କେବଳ ଏବେ ନୁହେଁ , କାହିଁ କେଉଁ କାଳରୁ ରହି ଆସିଛି । ତେବେ ବର୍ତ୍ତମାନ ରସଗୋଲା ଓଡ଼ିଶାରେ ନୁହେଁ ବରଂ ରାଜ୍ୟ ବାହାରେ ମଧ୍ୟ ବେଶ୍ ଚର୍ଚ୍ଚିତ । ଓଡ଼ିଶାର ପ୍ରସିଦ୍ଧ ଏହି ରସଗୋଲାକୁ କିଭଳି ଦେଶ ବିଦେଶରେ ପହଞ୍ଚାଯାଇ ପାରିବ ସେଥି ପାଇଁ ରାଜଧାନୀରେ ଏକ ରସଗୋଲା ହବ୍ କରିବାକୁ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସଂଘ ପକ୍ଷରୁ ପ୍ରାୟ ୭ ବର୍ଷ ପୂର୍ବେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା ।

ଚଳିତ ବର୍ଷ ଏଥିପାଇଁ ପ୍ରସ୍ତୁତ ହୋଇଥିବା ଡିପିଆରକୁ ରାଜ୍ୟ ସରକାରଙ୍କ ଏମଏସଏମଇ ବିଭାଗ ପକ୍ଷରୁ ଅନୁମୋଦନ ମିଳିଛି। ଏଥିପାଇଁ ପାହାଳରେ କମନ୍ ଫାସିଲିଟି ସେଣ୍ଟର (ସିଏଫସି) ନିମନ୍ତେ ରାଜ୍ୟ ସରକାର ଦେଢ଼ ଏକର ଜାଗା ଯୋଗାଇ ଦେଇଛନ୍ତି । ଯେଉଁଠାରେ ମିଠା କାରିଗରମାନଙ୍କୁ ସଂଗଠିତ କରି ସେମାନଙ୍କ ବିକାଶ ଦିଗରେ ଏହି କ୍ଲଷ୍ଟର ପ୍ରମୁଖ ଭୂମିକା ଗ୍ରହଣ କରିବ । ଅତ୍ୟାଧୁନିକ ଉପାୟରେ ମିଠା ପ୍ରସ୍ତୁତି ସହ ରାଜ୍ୟ ଓ ଦେଶ ବାହାରକୁ ମିଠା ପଠାଇ ମିଠା କାରିଗର ଅଧିକ ରୋଜଗାରକ୍ଷମ ହେବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored