Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚଳଚଞ୍ଚଳ ରଥଖଳା, ୨୦୩ ନିର୍ମାଣ ସେବକଙ୍କ ଉପସ୍ଥିତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

Odisha

Preparations for Rath / ଚଳଚଞ୍ଚଳ ରଥଖଳା, ୨୦୩ ନିର୍ମାଣ ସେବକଙ୍କ ଉପସ୍ଥିତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

Bikash Mohanty
Browse all articles by Bikash Mohanty
·3 hours ago·2 min read
ଚଳଚଞ୍ଚଳ ରଥଖଳା, ୨୦୩ ନିର୍ମାଣ ସେବକଙ୍କ ଉପସ୍ଥିତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ
Rath

Key Points

ଚଳଚଞ୍ଚଳ ରଥଖଳା
୨୦୩ ନିର୍ମାଣ ସେବକଙ୍କ ଉପସ୍ଥିତିରେ ଚାଲିଛି ରଥ ନିର୍ମାଣ 
ତିନିରଥର ଢ଼ମକ ବାଡ଼ିଆ ଶେଷ ହୋଇଛି
ପୁରୀ,୧୨/୦୬: ୫୩ ଦିନରେ ଚଳଚଞ୍ଚଳ ରଥଖଳା ।୨୦୩ ନିର୍ମାଣ ସେବକଙ୍କ ଉପସ୍ଥିତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ତିନି ରଥରେ,ଅଗ ଭୂଇଁ ବା ତୃତୀୟ ଭୂଇଁ ସ୍ଥାପନ ଶେଷ ହୋଇଛି । ତିନିରଥର ଢ଼ମକ ବାଡ଼ିଆ ମଧ୍ୟ ଶେଷ ହୋଇଛି । ଦୋଳ ବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକ ମାନେ ତିନିରଥର ତୃତୀୟ ଭୂଇଁ କଣ୍ଟା ନିର୍ମାଣ କରି ରଥ ଖଳାକୁ ଯୋଗାଇ ଦେଇଛନ୍ତି । ଏହାସହ ତିନି ରଥର ପୋଟଳ ପାଇଁ ଗୋଡି଼ଛାଲ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

ତିନି ରଥର ଭୂଇଁ କାର୍ଯ୍ୟ ଶେଷ ହୋଇଛି । ଗୁରୁବାର ତିନି ରଥରେ ତୃତୀୟ ଭୂଇଁ ଟୁଙ୍ଗୁରା ଯାଇଛି । ବିଶ୍ୱକର୍ମାଙ୍କ ନିର୍ଦ୍ଦେଶରେ ଭୋଇ ସେବକମାନେ କାଠ ସବୁକୁ ରଥ ଉପରକୁ ବୋହି ନେଇ ଖଞ୍ଜିଥିଲେ । ବିଶ୍ୱକର୍ମାମାନେ ମାପଚୁପ କରି କଣ୍ଟା ପିଟିଥିଲେ । ଏହିପରି ତିନି ରଥ ନିର୍ମାଣରେ ସମନ୍ୱୟ ରଖାଯାଇ ତୃତୀୟ ଭୂଇଁ ଉଠିବା କାର୍ଯ୍ୟ ସମ୍ପନ୍ନ ହୋଇଛି।

ପଢନ୍ତୁ ଏହି ଖବର: ୟୁନେସ୍କୋ ମାନ୍ୟତା ଅପେକ୍ଷାରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା

ପୂର୍ବରୁ ରଥରେ ପ୍ରଥମ ଓ ଦ୍ୱିତୀୟ ଭୂଇଁ ଉଠିଥିଲା । ରଥକୁ ସୁରକ୍ଷା ପାଇଁ ଚାରିନାହାକାରେ ଲାଗିଥିଲା ଧମକ । ରଥ ଖଳାରେ ତୃତୀୟ ଭୂଇଁ ଫ୍ରେମ୍ ପ୍ରସ୍ତୁତ ହୋଇ ମାପଚୁପ ହୋଇ ଖୋଲାଗଲା । ଏହାପରେ ରଥ ଉପରକୁ ଉଠିଥିଲା ତୃତୀୟ ଭୂଇଁ । ଭୂଇଁ ଟୁଙ୍ଗୁରାରେ ଅକାତ, ମାଛପାତିଆ, ଛିଆଣ, ଭୂଇଁ ନାହାକା ଓ ଖଦିଓରା ଆଦି ଲାଗିଲା । ଖଦିଓରା ବିନ୍ଧରେ ଭୂଇଁ ନାହାକା ସାଲ ହୋଇ ଭର୍ତ୍ତି ହୋଇଥିଲା । ପାଖୁଡ଼ା ଉପରେ ଅକାତ ଓ ମାଛପାତିଆ ଲଗାଯାଇଥିଲା । ଭୂଇଁ ଶେଣୀ ଉପରେ ଛିଆଣ ପଡ଼ିଥିଲା । ଏହାପରେ କଣ୍ଟା ବାଡ଼ିଆ ଯାଇଥିଲା । ଏହାପରେ ପୋଟଳ ଖମ୍ବି ଉଠି ପୋଟଳ ଓରା ଓ ପୋଟଳ ପାରେଣୀ ଲାଗିଥିଲା

ଏଣିକି ରଥ ଉପରେ ବଡ଼ ପୋଟଳ ଉଠା ଯିବ । ରଥରେ ମୋଟ ୧୩ ପରସ୍ତ ପୋଟଳ ସ୍ଥାପନ କରାଯାଏ । ରୂପକାର, କରତି ଓ ଓଝା ସେବକମାନେ ରଥ ନିର୍ମାଣରେ ନିଜ ନିଜ କାର୍ଯ୍ୟ ଜାରି ରଖିଛନ୍ତି। ରଥରେ ଲାଗିବାକୁ ଥିବା ପାର୍ଶ୍ବ ଦେବଦେବୀ, ଶୁଆ ଆଦି ମୂର୍ତ୍ତିମାନ ରଙ୍ଗ ହେବାକୁ ବାହାରିଛି । ରଥରେ ପଡ଼ିବା ପାଇଁ ଆଜି ରଥ ଖଳାରେ ପଟା ପହଞ୍ଚିଛି ।

ତିନି ରଥର ୭୭ ମହାରଣା ସେବକ, ୭୫ ଭୋଇ ସେବକ, ୨୦ ରୂପକାର ସେବକ, ୨୦ ଓଝା କମାର ସେବକ, ୪ କରତି ସେବକ, ୨ ଜଣ ବିନ୍ଧ କାରିଗର, ୨ ଜଣ ପାହି ମହାରଣା ଓ ଜଣେ ସହାୟକଙ୍କ ସହ ୨୦୦ରୁ ଊର୍ଧ୍ବ ସେବକ ସେବା ଯୋଗାଇଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored