ମହେଶ୍ୱର ମହାନ୍ତିଙ୍କ ଠାରୁ “ଉତ୍କଳମଣି ଗୋପବନ୍ଧୁ ପ୍ରତିଭା-୨୦୦୩” ପୁରସ୍କାର ଗ୍ରହଣ କରିଥିଲି -ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ: ପୂର୍ବତନ ବାଚସ୍ପତି, ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ମହେଶ୍ୱର ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ପୁରୁଣା କଥା ମନେ ପକାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସ୍ୱର୍ଗୀୟ ମହେଶ୍ୱର ମହାନ୍ତିଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ବହୁତ ଘନିଷ୍ଠ ଥିଲା । ମୁଁ ତାଙ୍କ ଠାରୁ ୨୦୦୪ ମସିହାରେ ଓଡ଼ିଶା ବିଧାନସଭାର ସମ୍ମାନଜନକ “ଉତ୍କଳମଣି ଗୋପବନ୍ଧୁ ପ୍ରତିଭା - ୨୦୦୩” ପୁରସ୍କାର ଗ୍ରହଣ କରିଥିଲି । ତାଙ୍କ ସହ ଥିବା ମୋର ସ୍ମୃତି ସ୍ମରଣୀୟ ହୋଇରହିବ ବୋଲି ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
୧୯୯୫ରୁ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ୫ ଥର ବିଧାୟକ ହୋଇଥିଲେ ମହେଶ୍ବର ମହାନ୍ତି । ୧୯୯୫ ମସିହାରେ ଜନତା ଦଳରୁ ବିଧାୟକ ହୋଇଥିଲେ । ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ଭାବେ ବିଜେଡିରୁ ବିଧାୟକ ହୋଇ ଆସୁଥିଲେ ମହେଶ୍ବର । ୨୦୦୪ ମସିହାରୁ ୨୦୦୮ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ପଦବୀ ସମ୍ଭାଳିଥିଲେ । ୨୦୧୧ରୁ ୨୦୧୯ ପର୍ଯ୍ୟନ୍ତ ଅନେକ ବିଭାଗର ମନ୍ତ୍ରୀ ପଦବୀରେ ଥିଲେ ମହେଶ୍ବର ମହାନ୍ତି । ପଞ୍ଚାୟତିରାଜ, ରାଜସ୍ବ, ଆଇନ, ପର୍ଯ୍ୟଟନ, ଯୋଜନା ଓ ସଂଯୋଜନା ଭଳି ପ୍ରମୁଖ ବିଭାଗର ମନ୍ତ୍ରୀ ପଦବୀରେ ଥିଲେ ମହେଶ୍ବର ମହାନ୍ତି ।