Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Droupadi Murmu / ଦିନିକିଆ ରାଉରକେଲା ଗସ୍ତରେ ରାଷ୍ଟ୍ରପତି, ୧୫୮ କୋଟି ଟଙ୍କାରେ ନିର୍ମିତ ୪ଟି ପ୍ରକଳ୍ପ କଲେ ଲୋକାର୍ପଣ

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ଦିନିକିଆ ରାଉରକେଲା ଗସ୍ତରେ ରାଷ୍ଟ୍ରପତି, ୧୫୮ କୋଟି ଟଙ୍କାରେ ନିର୍ମିତ ୪ଟି ପ୍ରକଳ୍ପ କଲେ ଲୋକାର୍ପଣ
President of India

Key Points

ଦିନିକିଆ ରାଉରକେଲା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
୧୫୮ କୋଟି ଟଙ୍କାରେ ନିର୍ମିତ ଚାରିଟି ପ୍ରକଳ୍ପ କଲେ ଲୋକାର୍ପଣ
ଭେଟି ଦେଲେ ଆଦିବାସୀ ସଂଗ୍ରହାଳୟ, ବିଜ୍ଞାନ ପାର୍କ ଓ ପ୍ଲାନେଟାରିୟମ୍
ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଆସି ବଡ଼ ଉପହାର ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରାୟ ୧୫୮ କୋଟି ଟଙ୍କାର ୪ଟି ବଡ଼ ପ୍ରକଳ୍ପର ଲୋକାର୍ପଣ କରିବା ସହ ରାଷ୍ଟ୍ରପତି ଆଜି ପୁଣି ଥରେ ନିଜ ସରଳତାର ପରିଚୟ ଦେଇଛନ୍ତି । କେଉଁଠି ପ୍ରୋଟୋକଲ୍ ଭାଙ୍ଗି ସାଧାରଣ ଜନତାଙ୍କ ସହ ମିଶିଛନ୍ତି । କେଉଁଠି କୁନି କୁନି ପିଲାଙ୍କୁ ଚକୋଲେଟ୍ ବାଣ୍ଟି ସମସ୍ତଙ୍କ ମନ ଜିଣିଛନ୍ତି ।

ଦିନିକିଆ ରାଉରକେଲା ଗସ୍ତରେ ଆସି ଦିନ ୧୦ଟା ୨୦ ମିନିଟରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତାଙ୍କୁ ସ୍ବାଗତ କରିବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେଠାରୁ ରାଷ୍ଟ୍ରପତି ସିଧା ଯାଇ ପହଞ୍ଚିଥିଲେ ରାଉରକେଲା ସେକ୍ଟର ୧୩ ସ୍ଥିତ ଏୟାରପୋର୍ଟ ଗ୍ରାଉଣ୍ଡରେ ଆୟୋଜିତ ଆଦି ପରବ-୨୦୨୬ରେ । ଦେଶାତ୍ମବୋଧକ ଗୀତ ସହ ସାନ୍ତାଳୀ, କରମା, ସମ୍ବଲପୁରୀ ଏବଂ ଓଡ଼ିଶୀ ନାଚରେ ପ୍ରାୟ ୨୫୦୦ ଛାତ୍ରଛାତ୍ରୀ ରାଷ୍ଟ୍ରପତିଙ୍କୁ କରିଥିଲେ ଭବ୍ୟ ସ୍ବାଗତ ।

ପରେ ରାଷ୍ଟ୍ରପତି ନୃତ୍ୟ ପରିବେଷଣ କରିଥିବା କଳାକାରଙ୍କୁ ଭେଟିଥିଲେ । ଛାତ୍ରଛାତ୍ରୀଙ୍କ ସହ ହାତ ମିଳାଇ, ଫଟୋ ଉଠାଇଥିଲେ । ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଓ ପ୍ରଦର୍ଶିତ ଖାଦ୍ୟ ଷ୍ଟଲଗୁଡ଼ିକ ବୁଲି ଦେଖିଥିଲେ । SHG ଗ୍ରୁପ ସଦସ୍ୟାଙ୍କ ସହ ଫଟୋ ଉଠାଇଥିଲେ ରାଷ୍ଟ୍ରପତି । ଦିନ ପ୍ରାୟ ୧୨ଟା ୨୫ରେ ମୁଖ୍ୟ ସଭାମଞ୍ଚରେ ପହଞ୍ଚିଥିଲେ ରାଷ୍ଟ୍ରପତି । ଉପସ୍ଥିତ ଜନସଭାକୁ ସମ୍ବୋଧିତ କରିଥିଲେ ।



ରାଉରକେଲା ସହ ସୁନ୍ଦରଗଡ଼କୁ ଆଜି ବଡ଼ ଭେଟି ଦେଇଛନ୍ତି ରାଷ୍ଟ୍ରପତି । ପ୍ରାୟ ୧୫୮ କୋଟି ଟଙ୍କାରେ ନିର୍ମିତ ଚାରିଟି ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି । ଯାହା ମଧ୍ୟରେ ରହିଛି...

୪୮ କୋଟିର ସମନ୍ବିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର
୪୦ କୋଟି ଟଙ୍କାରେ ନିର୍ମିତ ଆଦିବାସୀ ସଂଗ୍ରହାଳୟ
୪୨.୪୪ କୋଟି ଟଙ୍କାର ନିର୍ମଳ ମୁଣ୍ଡା ପ୍ରବେଶ ପଥ
୨୭ କୋଟିର ବିଜ୍ଞାନ ପାର୍କ ଓ ପ୍ଲାନେଟାରିୟମ

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ବିଧାନସଭାର ଉପବାଚସ୍ପତି ଓ ସ୍ଥାନୀୟ ବିଧାୟକ ସାମିଲ ହୋଇଥିଲେ ।

ଦେଶର ସର୍ବୋଚ୍ଚ ପଦବୀରେ ବସିଥିଲେ ବି ବାରମ୍ବାର ନିଜ ସରଳତାର ପରିଚୟ ଦେଇ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କେବେ ସଭାସ୍ଥଳରେ କୁନି କଳାକାରଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ତୁ ପୁଣିକେବେ ୪୪ ଡିଗ୍ରୀ ଖରାରେ ଗାଡ଼ିରୁ ଓହ୍ଲାଇ ତାଙ୍କର ଗୋଟିଏ ଝଲକ ପାଇବାକୁ ଚାହୁଁଥିବା ଲୋକଙ୍କୁ ଭେଟିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ପାନପୋଷ ସରକାରୀ କଲେଜ ପାର୍ଶ୍ବ ରାଉରକେଲା ଜନଜାତି ସଂଗ୍ରହାଳୟ ଉଦଘାଟନୀ କାର୍ଯ୍ୟକ୍ରମସ୍ଥଳକୁ ଗଲାବେଳେ ହନୁମାନ ବାଟିକା ଛକରେ ପ୍ରୋଟୋକଲ ଭାଙ୍ଗି ଗାଡ଼ିରୁ ଓହ୍ଲାଇ ଚାଲିଚାଲି ଯିବା ସହ ଲୋକଙ୍କୁ ଅଭିବାଦନ ଜଣାଇଛନ୍ତି । କିଛି ଛୋଟ ପିଲାଙ୍କୁ ଚକୋଲେଟ ବାଣ୍ଟିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored