ଖୋଲୁଛି ବିଜେଡି ଶାସନରେ ଦୁର୍ନୀତିକୁ ରାଜନୈତିକ ପୃଷ୍ଠପୋଷକତାର ଗୁମର
ଅର୍ଗସ ବ୍ୟୁରୋ: ଭୁବନେଶ୍ବର ଖାରବେଳ ନଗର ଚନ୍ଦ୍ରମା ଆପାର୍ଟମେଣ୍ଟରେ ୨ BHK ଘର । ବଲାଙ୍ଗିର ଟିକ୍ରାପଡ଼ାରେ ୨ଟି ୩ ମହଲା କୋଠା ଓ ଗୋଟିଏ ଏକ ମହଲା କୋଠା। ସମ୍ବଲପୁର ବୁର୍ଲାରେ ଗୋଟିଏ ୨ ମହଲା କୋଠା, ବରଗଡ଼ର ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ ୨ BHK ଘର । ସୁବର୍ଣ୍ଣପୁର ତରଭାରେ ୫୨ଟି ପ୍ଲଟ୍ । ସୋନପୁରରେ ଫାର୍ମ ହାଉସ୍ ଓ ରାଇସ୍ ମିଲ୍ । ଇଏ ହେଉଛି ଭିଜିଲାନ୍ସ ଜାଲରେ ପଡ଼ିଥିବା ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କର ଏଯାଏଁ ମିଳିଥିବା ଅଚଳାଚଳ ସମ୍ପତ୍ତିର ତାଲିକା। କଟକ ଅଫିସ ସମେତ ଭୁବନେଶ୍ବର, ସୋନପୁର, ବଲାଙ୍ଗୀରର 20ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉରେ ଯେଉଁ ଚିତ୍ର ଓ ତଥ୍ୟ ଆସିଛି ତାହା ଯେତିକି ସାଂଘାତିକ ସେତିକି ବିପଜ୍ଜନକ । ଜମି ଜମା ତଥ୍ୟ ବାଦ୍ ବ୍ୟାଙ୍କ, ପୋଷ୍ଟାଲ ଓ ବୀମା ଗୁଡ଼ିକରେ କେତେ ଅର୍ଥ ରହିଛି ତାର ଖୋଲତାଡ଼ କରୁଛି ଭିଜିଲାନ୍ସ।
ଲୋୟର ସୁକତେଲ ପ୍ରକଳ୍ପ ଇଞ୍ଜିନିୟରଙ୍କ ପରେ ଏକ୍ସାଇଜ୍ ଜଏଣ୍ଟ କମିଶନରଙ୍କ ଏ ସମ୍ପତ୍ତି ଦେଖି ସମସ୍ତେ ତାଜୁବ୍। ପ୍ରଶ୍ନ ହେଲା ଏ ସରକାରୀ ବାବୁମାନେ କେମିତି ହେଲେ ଅଚଳାଚଳ ସମ୍ପତ୍ତିର ଅଧିକାରୀ ? ବିଜେଡି ଶାସନରେ ରାଜନୈତିକ ପୃଷ୍ଠପୋଷକତାରେ କେମିତି ମହାଦୁର୍ନୀତି ହୋଇଥିଲା ଏବେ ତାର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି।
ଆଉ ପ୍ରମାଣିତ ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି, ପିସି ମଷ୍ଟ ଷ୍ଟପ୍, ଆଇନ ତା ବାଟରେ ଯିବ, ଏ ସବୁ କେବଳ ଲୋକଦେଖାଣିଆ ଓ ନିଜର ଭାବମୂର୍ତ୍ତି ନିର୍ମାଣରେ ହିଁ ସୀମିତ ଥିଲା। ଦୁର୍ନୀତି ବିରୋଧରେ ଅଭିଯୋଗ କରୁଥିବା ଲୋକଙ୍କ ଅଭିଯୋଗ, ଏମାନେ ସମୁଦ୍ରରୁ ଶଙ୍ଖେ। 24 ବର୍ଷର ବିଜେଡି ଶାସନରେ ସ୍ବଚ୍ଛ ଓ ନିର୍ମଳ ଶାସନ ନାଁରେ ତାଳୁରୁ ତଳିପା ଯାଏଁ ଦୁର୍ନୀତିରେ ବୁଡ଼ିଥିଲେ। ଏମାନେ ମନଇଚ୍ଛା ଲୋକଙ୍କ ଟଙ୍କା ଲୁଟୁଥିଲେ। ଏହି ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ ସିବିଆଇ ତଦନ୍ତ ଦାବି ଜୋର ଧରିଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର