ସମ୍ବଲପୁରରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ବର୍ଷିଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ: କୁଚିଣ୍ଡାରେ ବିଜେପିର ପାୱାର ସୋ'। ନିର୍ବାଚନ ପୂର୍ବରୁ କୁଚିଣ୍ଡାରେ ନିଜ ଦମ୍ ଦେଖାଇଲା ବିଜେପି। ମାରାଥନ ପ୍ରଚାର ସହ ବିଶାଳ ବାଇକ୍ ରାଲିରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମେ ବନ୍ଧୁବାସପଡ଼ା ହନୁମାନ ମନ୍ଦିର ଦର୍ଶନ କରିଥିଲେ । ପରେ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ। ବିରାଟ ପଟୁଆରରେ ଚାଲିଛି ଧର୍ମେନ୍ଦ୍ରଙ୍କ ପ୍ରଚାର। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଖୋଲା ବିତର୍କର ଆହ୍ବାନ କଲେ ଧର୍ମେନ୍ଦ୍ର।
ସ୍ୱାଧୀନତାର ୭୬ ବର୍ଷ ପରେ ବି ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରୁନି । ନୂଆପିଢିର ପିଲା ଅପପୁଷ୍ଟିର ଶୀକାର ହେଉଛନ୍ତି । ସରକାରୀ ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ଏହା ୨୫ ବର୍ଷ ଶାସନର ରୂପାନ୍ତରଣ କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଗଡ଼ଲୋଇସିଂହ ପଂଚାୟତ ବେଲପାଣି ଗାଁର ଜଣେ ରୋଗୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବା ଘଟଣାରେ ପ୍ରତିକ୍ରିୟା ରଖି ଶ୍ରୀ ପ୍ରଧାନ କହିଛନ୍ତି, ସ୍ଵାଧୀନତାର ୭୬ ବର୍ଷ ପରେ ବି ରୋଗୀଙ୍କୁ ଭାରରେ, ଖଟିଆରେ ନେବାର ଦୃଶ୍ୟ ସାମ୍ନାକୁ ଆସିଛି। ଓଡ଼ିଶାରେ ୧୯% ଶିଶୁ ଜନ୍ମ ବେଳେ କମ ଓଜନ ହୋଇଥିବା ବେଳେ ୩୧% ଶିଶୁ ବୟସ ଅନୁସାରେ ଉଚ୍ଚତା କମ, ୧୮% ଶିଶୁ ଉଚ୍ଚତା ଅନୁସାରେ ଓଜନ କମ ଏବଂ ୬୪% ଶିଶୁ ଓ ୬୨% ମହିଳା ରକ୍ତହୀନତାରେ ପୀଡ଼ିତ। ସରକାରୀ ଡାକ୍ତରଖାନା ନାହିଁ, ଡାକ୍ତରଖାନା ଥିଲେ ସେଠାରେ ଡାକ୍ତର, ନର୍ସ ଓ ସ୍ଵାସ୍ଥ୍ୟକର୍ମୀଙ୍କ ଘୋର ଅଭାବ। ଜିଲ୍ଲା ସଦର ମହକୁମା ଠାରୁ ୪୦-୫୦ କିମି ଦୂରରେ ଏହି ଅବସ୍ଥା, ଆଭ୍ୟନ୍ତରୀଣ ଅଞ୍ଚଳରେ ପରିସ୍ଥିତି ଆହୁରି ଶୋଚନୀୟ। ଏହା କ'ଣ ଦୀର୍ଘ ୨୫ ବର୍ଷ ଶାସନର “ରୂପାନ୍ତରଣ”?
ଅନ୍ୟପକ୍ଷେ ଶାସକ ଦଳର କୁହାଳିଆ ନେତା ମାନେ ଓଡ଼ିଶାକୁ ଏକ ନମ୍ବର କରିବାର ମିଛ ପ୍ରଚାର କରୁଛନ୍ତି । ଏହି ଘଟଣା ରାଜ୍ୟର ସ୍ୱାସ୍ଥ୍ୟବସ୍ଥାର ବାସ୍ତବ ସ୍ଥିତିକୁ ପଦାରେ ପକାଇଛି । କୁହାଳିଆ ନେତାଙ୍କ ମିଛ ପ୍ରଚାର ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଦେଶରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ଜନକଲ୍ୟାଣକାରୀ ସରକାର ଚାଲିଛି । ଅନ୍ୟ ରାଜ୍ୟମାନେ ଏହାକୁ ଗ୍ରହଣ କଲେଣି । ଓଡ଼ିଶାବାସୀ ମଧ୍ୟ ପୁଣି ଥରେ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ସହ ଡବଲ ଇଞ୍ଜିନ ସରକାର ଆଣିବାକୁ ମନସ୍ଥ କଲେଣି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
📱 Get Argus News App
✨ଏହା ସହ ଶ୍ରୀ ପ୍ରଧାନ ସମ୍ବଲପୁରଠାରେ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ସାଙ୍ଗଠନିକ ବୈଠକରେ ଯୋଗଦେଇ ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ । ଘରକୁ ଘର ବୁଲି ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବାକୁ ପରାମର୍ଶ ଦେଇଥିଲେ । ବିକଶିତ ଭାରତ ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଥିଲେ।
ଅଧିକ ପଢ଼ନ୍ତୁ ରାଜନୀତି ଖବର