Videos
|
Odisha

ଶପଥ ଗ୍ରହଣ ପରେ ଶିଳ୍ପ ବିଭାଗକୁ ଯାଇ ସମୀକ୍ଷା କଲେ ମନ୍ତ୍ରୀ ସଂପଦ ସ୍ୱାଇଁ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଶପଥ ଗ୍ରହଣ ପରେ ଶିଳ୍ପ ବିଭାଗକୁ ଯାଇ ସମୀକ୍ଷା କଲେ ମନ୍ତ୍ରୀ ସଂପଦ ସ୍ୱାଇଁ

ଅର୍ଗସ ବ୍ୟୁରୋ: ନୂତନ ମନ୍ତ୍ରୀ ମଣ୍ଡଳ ଗଠନ ପରେ ଶିଳ୍ପ ବିଭାଗର ନେତୃତ୍ୱ ନେଇଛନ୍ତି ଶ୍ରୀଯୁକ୍ତ ସଂପଦ ଚନ୍ଦ୍ର ସ୍ୱାଇଁ । ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶିଳ୍ପ ବିଭାଗକୁ ଯାଇ ସମୀକ୍ଷା କରିଛନ୍ତି, ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ । ଆଜି ଭୁବନେଶ୍ୱର ସ୍ଥିତ ଖାରବେଳ ଭବନରେ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ସଂପଦ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇ ଯାଇଛି। ସେଠାରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ହେମନ୍ତ ଶର୍ମାଙ୍କ ସହ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ନୂତନ ଭାବେ ଯୋଗ ଦେଇଥିବା ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ ମହୋଦୟଙ୍କୁ ବିଭାଗର ଅଧିକାରୀ ମାନେ ସ୍ୱାଗତ କରିବା ସହ, ବିଭାଗର ଆଭିମୁଖ୍ୟକୁ ଉପସ୍ଥାପନ କରିଥିଲେ ।

ଦାୟିତ୍ୱ ଗ୍ରହଣ କରିବା ପରେ ଶିଳ୍ପ ବିଭାଗର କାର୍ଯ୍ୟପନ୍ଥା ସବୁକୁ ବିସୃତ ଭାବେ ଆଲୋଚନା କରିଥିଲେ ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ । ବିଭାଗର ସମସ୍ତ ଅଧିକାରୀ ମାନଙ୍କ କାର୍ଯ୍ୟ, ବିଭାଗ ପ୍ରତି ସେମାନଙ୍କ ଦାୟୀତ୍ୱ ବୋଧ ଉପରେ ଅଗ୍ରାଧିକାର ଦେଇ ଆଗାମୀ ଦିନରେ ବିଭାଗ ଦ୍ୱାରା କରାଯାଉଥିବା ପ୍ରତିଟି କାର୍ଯ୍ୟ କିପରି ସଫଳତାର ସହ କରାଯିବ ତା ଉପରେ ଗୁରୁତ୍ୱାରୋପ କରିଥିଲେ । ବର୍ତ୍ତମାନ ସମୟରେ ଚାଲୁଥିବା ପ୍ରକଳ୍ପ ଗୁ଼ଡିକ ବିଷୟରେ ଆଲୋଚନା ବେଳେ ସେଗୁଡିକ କିପରି ସୁଚାରୁରୂପେ ସଂପାଦିତ ହୋଇପାରିବ ସେ ନେଇ ମଧ୍ୟ ବିସୃତ ଭାବେ ଆଲୋଚନା କରିଥିଲେ ।ଯେହେତୁ ଓଡିଶା ଏକ ଶିଳ୍ପ ଅନୁକୂଳ ରାଜ୍ୟ , ରାଜ୍ୟକୁ ଆହୁରି ଶିଳ୍ପ ସମୃଦ୍ଧ କରି ଶିଳ୍ପାୟନ ପାଇଁ ଆବଶ୍ୟକୀୟ ଭିତ୍ତିଭୂମୀ ସଜାଡିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ସଂପଦ ଚନ୍ଦ୍ର ସ୍ୱାଇଁ ।

ଏଥି ସହ ବିଶେଷ ଭାବେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦେବାକୁ ଅଧିକାରୀ ମାନଙ୍କୁ ସଚେତନ କରାଇଥିଲେ । ଯଥା ସମୟରେ ପ୍ରକଳ୍ପଗୁଡିକୁ ସାରିବା ସହ ନୂତନ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ଉପାଦାନ ଗୁଡିକୁ ପ୍ରସ୍ତୁତ କରିବା ପାଇଁ ମଧ୍ୟ ମତ ବ୍ୟକ୍ତ କରିଛନ୍ତି। ଆଲୋଚନା ବେଳେ ଶ୍ରୀଯୁକ୍ତ ସ୍ୱାଇଁ କହିଛନ୍ତି ଯେ “ଶିଳ୍ପାୟନ ହେଉଛି ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିକାଶର ଏକ ପ୍ରମୁଖ ପରିବାହକ ।  ଏ ସବୁକୁ ଶୃଙ୍ଖଳିତ କରି ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ଅନୁକୂଳ ପରିବେଶର ଆବଶ୍ୟକତା ରହିଛି । ତେଣୁ ସମସ୍ତେ ଏକାଠି ସକ୍ରିୟ ଭାବେ କାର୍ଯ୍ୟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଗାମୀ ଦିନ ମାନଙ୍କରେ ଆମ ବିଭାଗ ନିଶ୍ଟୟ ଏକ ମାଇଲ୍ ଖୁଣ୍ଟ ସ୍ଥାପନ କରିପାରିବ” । ରାଜ୍ୟରେ ନୂତନ ଶିଳ୍ପ ସ୍ଥାପନା ସହ ସୁବ୍ୟବସ୍ଥିତ ଶିଳ୍ପ ପରିଚାଳନା ପାଇଁ ଶିଳ୍ପ ବିଭାଗର ନୀତି ଏବଂ ସୁବିଧା ସୁଯୋଗ ଗୁଡିକୁ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ରାଜ୍ୟର ପ୍ରଗତୀ ଅର୍ଥନୈତିକ ବିକାଶ ସହ ସାରା ଦେଶରେ ଓଡିଶା ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ପ୍ରତିଷ୍ଠା ପାଇ ପାରିବ ।  ଏ ନେଇ ଦକ୍ଷତାର ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଶ୍ରୀଯୁକ୍ତ ସ୍ୱାଇଁ ମହୋଦୟ  ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: