ସୁବର୍ଣ୍ଣରେଖା ନଦୀରୁ ବେଧଡକ ବାଲି ଚୋରାଚାଲାଣ

ଅର୍ଗସ ବ୍ୟୁରୋ: ସୁବର୍ଣ୍ଣରେଖା ନଦୀରେ ଚାଲିଛି। ମାଫିଆ ରାଜ। ପ୍ରଶାସନର ଆଖି ଆଢୁଆଳରେ ଲୁଟ ହେଉଛି ଟ୍ରିପ ଟ୍ରିପ ବାଲି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ଛୋଟଖାନପୁର, ବଡଖାନପୁର ଆଦି ଅଞ୍ଚଳରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ବାଲି ମାଫିଆ ମାନେ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଛନ୍ତି। ମାଫିଆ ମାନେ ଜେସିବି ଲଗାଇ ବାଲି ଉତ୍ତୋଳନ କରି ଟ୍ରାକ୍ଟର ଓ ଡମ୍ପର ମାଧ୍ୟମରେ ଦିନରାତି ବାଲି ଚାଲାଣ କରୁଛନ୍ତି। ଯାହା ଫଳରେ ନଦୀର କୂଳ ଖାଇ ନଦୀ ଗାଁ ମୁହାଁ ହେଉଛି। ତେଣୁ ନଦୀ କୁଳରେ ଥିବା ଗାଁ ଗୁଡ଼ିକ ଉପରେ ବିପଦ ମାଡି ଆସୁଛି।
ଅନ୍ୟ ପଟେ ଗାଁ ରାସ୍ତାରେ ପ୍ରତ୍ୟେକ ଦିନ ଶହ ଶହ ବାଲି ଗାଡି ଯାତାୟାତ କରୁ ଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏନେଇ ପ୍ରତିବାଦ କଲେ ମାଫିଆ ମାନଙ୍କ ନାଲି ଆଖିର ଶିକାର ହେଉଛନ୍ତି ଅଞ୍ଚଳ ବାସୀ। ପୋଲିସ କିମ୍ବା ତହସିଲଦାରଙ୍କୁ ଜଣାଇଲେ ଏହା ଖଣିଜ ସମ୍ପଦ ବିଭାଗର କହି ନିଜ ଉପରୁ ଦୋଷ ଛଡାଇ ଦେଉଛନ୍ତି। ତେଣୁ ସବୁ ଆଡୁ ନିରାଶ ହେବା ପରେ ଅଞ୍ଚଳବାସୀ ବାଲିଆପାଳ କମର୍ଦା ରାସ୍ତାର ଛୋଟଖାନପୁର ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।
ଗତ ୧୯୮୫ ମସିହାରେ ସୁବର୍ଣ୍ଣରେଖା ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସି ଛୋଟଖାନପୁର ଗ୍ରାମଟି ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଥିଲା। ଅନେକ ଲୋକ ମୃତ୍ୟୁ ବରଣ କରିଥିଲେ। ସେହି ଭୟ ଲୋକଙ୍କ ମନରୁ ଲିଭି ନଥିବା ବେଳେ ପରବର୍ତ୍ତୀ ସମୟରେ ନଦୀରେ ବନ୍ୟା ଆସି ଗ୍ରାମର ଅନେକ ଚାଷ ଜମି ନଦୀ ଗର୍ଭରେ ଲୀନ ହୋଇ ଯାଇଛି।
ଯଦି ବାଲି ଉତ୍ତୋଳନ ବନ୍ଦ କରା ନ ଯାଏ ତାହେଲେ ନଦୀ ପାଶ୍ୱର୍ରେ ଥିବା ଗାଁ ମାନଙ୍କ ପ୍ରତି ବିରାଟ ବିପଦ ଆସିବାର ସମ୍ଭାବନା ରହିଛି। ପ୍ରତିବାଦ କଲେ ମାଫିଆ ମାନେ ନାଲି ଆଖି ଦେଖାଇବା ସହିତ ପ୍ରତିବାଦ କରୁଥିବା ଲୋକଙ୍କ ପିଲା ମାନଙ୍କୁ ମଦ ମାଂସ ଦେଇ ସେମାନଙ୍କ ବିରୋଧରେ ଲଗାଉଥିବା ଅଭିଯୋଗ ହୋଇଛି।
ତେଣୁ ନଦୀର କାପାଳ ଠାରୁ ଚଢବଢାପାଳ ପର୍ଯ୍ୟନ୍ତ ବାଲି ଉତ୍ତୋଳନ ବନ୍ଦ କରିବା ସହିତ କାପାଳ ପୋଲ ଠାରୁ ବଡଖାନପୁର ପର୍ଯ୍ୟନ୍ତ ନଦୀବନ୍ଧରେ ପଥର ପ୍ୟାକିଂ କରିବା ପାଇଁ ଦାବି କରିଛନ୍ତି। ତେବେ ଜିଲ୍ଲାପାଳ ଏବଂ ଖଣିଜ ସମ୍ପଦ ବିଭାଗ ସହିତ ଆଲୋଚନା କରି କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ବାଲିଆପାଳ ଅତିରିକ୍ତ ତହସିଲଦାର କହିଛନ୍ତି। ବେଆଇନ ବାଲି ଉତ୍ତୋଳନ ବନ୍ଦ କରା ନ ଯାଏ ତାହେଲେ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ ହେବ ବୋଲି ଗାଁ ଲୋକେ ଚେତାବନୀ ଦେଇଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର