Mystery In School / ସ୍କୁଲରେ ଘାରିଛି ଭୂତ ଭୟ , ଚେତାଶୂନ୍ୟ ହେଉଛନ୍ତି ଛାତ୍ରୀ !

Key Points
ସ୍କୁଲ ଯିବାକୁ ଡରୁଛନ୍ତି ପିଲା, ପହଞ୍ଚିଲା ମେଡିକାଲ ଟିମ୍
ମହାକାଳପଡ଼ା ଗଜେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟର ଘଟଣା
କେନ୍ଦ୍ରାପଡ଼ା,୧୨/୦୯: ସ୍କୁଲରେ ଘାରିଛି ଭୂତ ଭୟ! ହଠାତ୍ ଛାତ୍ରୀମାନେ ଅସ୍ବାଭାବିକ ଆଚରଣ କରୁଥିବା ଅଭିଯୋଗ ପରେ ଏବେ ଆତଙ୍କିତ ଅଭିଭାବକ। ଭୟ ଏତେ ବଢ଼ିଛି ଯେ ଅନେକ ଛାତ୍ରଛାତ୍ରୀ ସ୍କୁଲ ଆସିବା ବନ୍ଦ କରିଦେଇଥିବା ଜଣାପଡ଼ିଛି। କେହି ଏହାକୁ ଭୂତପ୍ରେତର ପ୍ରଭାବ କହୁଥିବା ବେଳେ, କେହି ଗୁଣିଗାରେଡ଼ିର ଆଶ୍ରୟ ନେଉଥିବା ସୂଚନା ମିଳିଛି। ଘଟଣାକୁ ନେଇ ସ୍କୁଲରେ ପହଞ୍ଚିଛି ମେଡିକାଲ ଟିମ୍। ଏଭଳି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଦେଉଳପଡ଼ା ପଞ୍ଚାୟତର ଗଜେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଗତ ପ୍ରାୟ ୪ ଦିନ ହେବ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର କିଛି ଛାତ୍ରୀ ହଠାତ୍ ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରୁଛନ୍ତି। ପ୍ରାର୍ଥନା ସମୟରେ ହେଉ କି କ୍ଲାସ୍ ଚାଲିଥିବା ବେଳେ, ହଠାତ୍ କିଛି ଛାତ୍ରୀ ତଳେ ପଡ଼ିଯାଉଥିବା ଅଭିଯୋଗ ହୋଇଛି। ଏହା ସହ ମୁଣ୍ଡ, ଛାତି ଓ ଗୋଡ଼ରେ ଯନ୍ତ୍ରଣା ହେଉଥିବା କହୁଛନ୍ତି ଛାତ୍ରୀମାନେ। ଏତିକିରେ ଘଟଣା ସରିନାହିଁ। ହଠାତ୍ ଚିତ୍କାର କରିବା ସହ ‘ମୋତେ ଛାଡ଼, ମୁଁ ଘରକୁ ଯିବି’ ବୋଲି କହୁଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ଏଭଳି ଘଟଣା ଦେଖି ସ୍କୁଲରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।
ଗଜେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟକୁ ନିକଟବର୍ତ୍ତୀ ପ୍ରାୟ ୭ଟି ଗାଁର ୩୦୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଆସନ୍ତି। କିନ୍ତୁ ଗତ କିଛି ଦିନ ଧରି ସ୍କୁଲରେ ଏଭଳି ଘଟଣା ଘଟୁଥିବା ଖବର ପ୍ରଚାର ହେବା ପରେ ଅଭିଭାବକଙ୍କ ମଧ୍ୟରେ ଭୟ ବଢ଼ିଛି। ଫଳରେ ଅନେକ ଛାତ୍ରଛାତ୍ରୀ ସ୍କୁଲ ଆସୁନଥିବା ଜଣାପଡ଼ିଛି। ଛାତ୍ରୀମାନଙ୍କ ଅସ୍ବାଭାବିକ ଆଚରଣକୁ ନେଇ କିଛି ଅଭିଭାବକ ଏହାକୁ ଗୁଣିଗାରେଡ଼ି କିମ୍ବା ଭୂତପ୍ରେତର ପ୍ରଭାବ ବୋଲି ଭାବୁଥିବା ଜଣାପଡ଼ିଛି। ଏପରିକି କିଛି ପରିବାର ଛାତ୍ରୀମାନଙ୍କୁ ଗୁଣିଗାରେଡ଼ିର ସାହାରା ନେଉଥିବା ନେଇ ମଧ୍ୟ ସୂଚନା ମିଳିଛି। ତେବେ ଏହା ପଛରେ ପ୍ରକୃତ କାରଣ କଣ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ପଢନ୍ତୁ ଏହି ଖବର:ମଦ ପିଇ ଉଜୁଡ଼ୁଛି ପରିବାର! ବେପାର ବନ୍ଦ ପାଇଁ ଥାନାରେ ମହିଳାଙ୍କ ଗୁହାରି
ଅନ୍ୟପଟେ ଘଟଣାକୁ ଗୁରୁତ୍ବର ସହ ନେଇ ବିଦ୍ୟାଳୟ ପକ୍ଷରୁ ଛାତ୍ରୀମାନଙ୍କ ଅଭିଭାବକଙ୍କୁ ଡକାଯାଇଥିଲା। ଅସୁସ୍ଥ ଛାତ୍ରୀମାନଙ୍କୁ ତୁରନ୍ତ ମେଡିକାଲ ନେଇ ଚିକିତ୍ସା କରାଇବାକୁ ପରାମର୍ଶ ଦିଆଯାଇଥିଲା। ଚିକିତ୍ସା ପରେ ଛାତ୍ରୀମାନେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି।
ଆଜି ଘଟଣାର ଯାଞ୍ଚ ପାଇଁ ମେଡିକାଲ ଟିମ୍ ସ୍କୁଲରେ ପହଞ୍ଚିଥିଲା। ଛାତ୍ରୀମାନଙ୍କର ବ୍ଲଡ୍ ପ୍ରେସର, ବ୍ଲଡ୍ ଟେଷ୍ଟ ଓ ହିମୋଗ୍ଲୋବିନ ଟେଷ୍ଟ କରାଯାଇଛି। ଏହା ସହ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନେଇ ମେଡିକାଲ ଟିମ୍ ଏକ ସଚେତନତା ବୈଠକ ମଧ୍ୟ କରିଥିଲା। ଛାତ୍ରୀମାନେ ଏଭଳି ଅସ୍ବାଭାବିକ ଆଚରଣ କଲେ କିପରି ସେମାନଙ୍କୁ ସମ୍ଭାଳିବେ ଏବଂ କିପରି ଆବଶ୍ୟକ ସହାୟତା ଯୋଗାଇବେ, ସେନେଇ ଶିକ୍ଷକମାନଙ୍କୁ ସଚେତନ କରାଯାଇଥିବା ଜଣାପଡ଼ିଛି।
📱 Get Argus News App
✨ଏବେ ସବୁଠାରୁ ବଡ଼ ପ୍ରଶ୍ନ ସ୍କୁଲରେ ଛାତ୍ରୀମାନେ କାହିଁକି ଏଭଳି ଅସ୍ବାଭାବିକ ଆଚରଣ କରୁଛନ୍ତି? ଏହା ପଛରେ କୌଣସି ଶାରୀରିକ କିମ୍ବା ମାନସିକ କାରଣ ରହିଛି କି, ନା ଅନ୍ୟ କିଛି? ମେଡିକାଲ ଯାଞ୍ଚ ଓ ପରବର୍ତ୍ତୀ ତଦନ୍ତ ପରେ ହିଁ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।
ତେବେ ‘ଭୂତ ଭୟ’କୁ ନେଇ ସ୍କୁଲରେ ଯେଉଁ ଆତଙ୍କ ସୃଷ୍ଟି ହୋଇଛି, ତାହାକୁ ଦୂର କରିବା ସହ ଛାତ୍ରଛାତ୍ରୀଙ୍କୁ ନିରାପଦ ପରିବେଶରେ ପାଠପଢ଼ାଇବା ଏବେ ବିଦ୍ୟାଳୟ ଓ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ।
Related Topics
Explore more stories