Child Care / ଶିଶୁଙ୍କୁ ଅଧିକ ମୋବାଇଲ୍ ଦେଖାଇବା ହୋଇପାରେ ବିପଜ୍ଜନକ

Key Points
ଶିଶୁଙ୍କୁ ଅଧିକ ମୋବାଇଲ୍ ଦେଖାଇବା ହୋଇପାରେ ବିପଜ୍ଜନକ
AIIMS ଗବେଷଣାରୁ ବଡ଼ ଖୁଲାସା
ସୃଷ୍ଟି ହୋଇପାରେ 'ଅଟିଜିମ୍' ଭଳି ସମସ୍ୟା
ସାବଧାନ... ଶିଶୁଙ୍କୁ ଅଧିକ ମୋବାଇଲ୍ ଦେଖାଇବା ହୋଇପାରେ ବିପଜ୍ଜନକ । ଛୋଟ ପିଲା କାନ୍ଦିଲେ କିମ୍ବା ଖାଦ୍ୟ ନଖାଇଲେ ଆପଣ ଯଦି ତାଙ୍କ ହାତରେ ମୋବାଇଲ୍ ଫୋନ୍ ଧରାଇ ଦେଉଛନ୍ତି , ତେବେ ସାବଧାନ ହୋଇଯାଆନ୍ତୁ ।
AIIMS ଦିଲ୍ଲୀର ଗବେଷଣାରୁ ସାମ୍ନାକୁ ଆସିଛି ଚିନ୍ତାଜନକ ତଥ୍ୟ । ଶୈଶବ ଅବସ୍ଥାରେ ଅଧିକ ସ୍କ୍ରିନ୍ ଟାଇମ୍ ଦ୍ଵାରା ପିଲାମାନଙ୍କଠାରେ 'ଅଟିଜିମ୍'ର ଲକ୍ଷଣ ଦେଖାଯାଉଛି । AIIMS ଦିଲ୍ଲୀର ପିଡିଆଟ୍ରିକ୍ ନ୍ୟୁରୋଲୋଜି ଟିମ୍ ପକ୍ଷରୁ ଏହି ଅଧ୍ୟୟନ କରାଯାଇଥିଲା ।
ଯେଉଁ ଶିଶୁମାନେ ଏକ ବର୍ଷ ବୟସ ପୂର୍ବରୁ ଅଧିକ ସମୟ ସ୍କ୍ରିନ୍ ସଂସ୍ପର୍ଶରେ ଆସୁଛନ୍ତି, ସେମାନଙ୍କଠାରେ ତିନି ବର୍ଷ ବୟସ ବେଳକୁ ଅଟିଜିମ୍ ସମ୍ବନ୍ଧୀୟ ଲକ୍ଷଣ ଦେଖାଯିବାର ସମ୍ଭାବନା ଅଧିକ ରହୁଛି । ୧୮ ମାସରୁ କମ୍ ବୟସର ଶିଶୁଙ୍କୁ ମୋବାଇଲ୍ ବା ଟିଭି ସ୍କ୍ରିନ୍ଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା ଉଚିତ୍ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।
ଜନ୍ମରୁ ପ୍ରଥମ ୧ ହଜାର ଦିନ ଶିଶୁର ମସ୍ତିଷ୍କ ବିକାଶ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ । ପ୍ରାୟ ୮୦% ଅଟିଜିମ୍ ଆକ୍ରାନ୍ତ ଶିଶୁଙ୍କଠାରେ ନିଦ୍ରା ସମସ୍ୟା ଓ ବ୍ୟବହାରିକ ପରିବର୍ତ୍ତନ ଭଳି ଅତିରିକ୍ତ ସମସ୍ୟା ଦେଖାଯାଉଛି । ଡାକ୍ତରଙ୍କ କହିବା ଅନୁଯାୟୀ, ସ୍କ୍ରିନ୍ କେବେବି ମଣିଷର ବିକଳ୍ପ ହୋଇପାରିବ ନାହିଁ ।
ଏଥିସହ ପଢ଼ନ୍ତୁ: ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ: ଜାଣନ୍ତୁ କିପରି ଦେଖିବେ ଆପଣଙ୍କ ରେଜଲ୍ଟ...
ପିଲାମାନେ ଖେଳକୁଦ, କଥାବାର୍ତ୍ତା ଏବଂ ପରିବାର ଲୋକଙ୍କ ସହ ସମୟ ବିତାଇଲେ ହିଁ ସେମାନଙ୍କ ମସ୍ତିଷ୍କର ସଠିକ୍ ବିକାଶ ହୋଇଥାଏ । ପିଲାଙ୍କୁ ଶାନ୍ତ କରିବା ପାଇଁ ମୋବାଇଲ୍ ଦେବା ଏକ ସହଜ ଉପାୟ ହୋଇପାରେ, କିନ୍ତୁ ଏହା ସେମାନଙ୍କ ଭବିଷ୍ୟତ ପାଇଁ କ୍ଷତିକାରକ ବୋଲି ଡାକ୍ତର ଚେତାଇ ଦେଇଛନ୍ତି ।
ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ, ଟିକାକରଣ ସହ ଅଟିଜିମ୍ର କୌଣସି ସମ୍ପର୍କ ନାହିଁ । ଅଟିଜିମ୍ ଏକ ନିଉରୋ-ଡେଭଲପମେଣ୍ଟାଲ୍ ସମସ୍ୟା, ଯେଉଁଥିରେ ପିଲାମାନେ ଅନ୍ୟମାନଙ୍କ ସହ କଥାବାର୍ତ୍ତା ବା ମିଳାମିଶା କରନ୍ତି ନାହିଁ । ଆପଣଙ୍କ ପିଲା ଯଦି ଆଖିରେ ଆଖି ମିଶାଉ ନାହିଁ, ନାଁ ଧରି ଡାକିଲେ ବି ପ୍ରତିକ୍ରିୟା ଦେଉନାହିଁ କିମ୍ବା କହିବାରେ ବିଳମ୍ବ କରୁଛି, ତେବେ ତୁରନ୍ତ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । କାରଣ ଏହ ବଡ଼ ରୋଗର କାରଣ ପାଲଟିପାରେ ।
📱 Get Argus News App
✨Related Topics
Explore more stories