ବୟୋଜ୍ୟେଷ୍ଠ ବୈଷ୍ଣବ ସୃଷ୍ଟି କରିଛନ୍ତି ୫ହଜାରରୁ ଅଧିକ ତାଳଗଛ

ଅର୍ଗସ ବ୍ୟୁରୋ: ତାଳ ଗଛର ମହତ୍ୱ ଧୀରେ ଧୀରେ ଲୋକଙ୍କ ମଧ୍ୟରେ ବଢିବାକୁ ଲାଗିଛି। ତେବେ ଏହି ଗଛର ମହତ୍ୱ କିନ୍ତୁ ଅନେକ ବର୍ଷ ପୂର୍ବରୁ ଜାଣିଥିଲେ ଘଷିପୁରା ବ୍ଲକ କଇନିପୁରା ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ବୈଷ୍ଣବ ସାହୁ। ତାଙ୍କ କହିବା ଅନୁସାରେ, ତାଙ୍କ ବାପା ସ୍ବର୍ଗତ ନିଶାକର ସାହୁ ଅତୀତରେ ବହୁ ତାଳ ଜଙ୍ଗଲ ସୃଷ୍ଟି କରିଥିଲେ। ତାଙ୍କଠାରୁ ପ୍ରେରଣା ପାଇ ପିଲାଟି ଦିନୁ ସେ ତାଳଗଛ ଲଗାଇ ଆସୁଛନ୍ତି। ଏ ବିଷୟରେ ଯୁବପିଢିଙ୍କୁ ମଧ୍ୟ ସଚେତନ କରୁଛନ୍ତି।
ଗାଁ ଚାଷଜମି ହିଡ଼ରେ ଧାଡ଼ିଧାଡ଼ି ତାଳଗଛ ରହିଛିଏହାକୁ ‘ବାହାଳି’ ଭାବରେ ନାମିତ କରାଯାଇଥିଲା । ୨୦ବର୍ଷ ତଳେ କଇନିପୁରା ଗ୍ରାମରେ ୫ହଜାରରୁ ଅଧିକ ତାଳଗଛ ରହିଥିଲା। ପଡ଼ୋଶୀ ନଦୁଆଁ, ଚଉମୁହିଁ, ଅତାସାହିରେ ମଧ୍ୟ ଅନେକ ତାଳଗଛ ରହିଛି। କାଳକ୍ରମେ ବଜ୍ରପାତ, ବାତ୍ୟା ପ୍ରଭାବରେ ଅନେକ ଗଛ କ୍ଷତିଗ୍ରସ୍ତ ହୋଇଥିଲା। ସରକାରଙ୍କ ତାଳ ମିଶନ୍ ପରେ ଏବେ ବଜ୍ରପାତ ମୃତ୍ୟୁ ରୋକିବା ପାଇଁ ଗ୍ରାମରେ ତାଳଗଛ ରୋପଣ ପାଇଁ ଯୁବଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ବୈଷ୍ଣବ ୩ ଶହରୁ ଅଧିକ ତାଳ ଗୋଟମା ନିଜ ଜମିରେ ଲଗାଇଛନ୍ତି।
ତାଳ ଗଛକୁ ନେଇ ଗ୍ରାମର ପ୍ରସିଦ୍ଧି ରହିଛି। ଗାଁରେ ଏବେ ୩ ହଜାରରୁ ଅଧିକ ତାଳଗଛ ରହିଛି। ତାଳ ଗଛ ଯେ କେବଳ ବଜ୍ରପାତ ରୁ ରକ୍ଷାକରେ ସେ କଥା ନୁହଁ ତାଳ ଗଛକୁ ଗରିବ ଲୋକେ ଘର ନିର୍ମାଣରେ ବ୍ୟବହାର କରିବା ସହିତ ତାର ପତ୍ରରେ ବିଭିନ୍ନ ସାମଗ୍ରୀ ନିର୍ମାଣ କରିଥାନ୍ତି। ତାଳ ଗଛର ତାଳସଜ ଓ ପାଚିଲା ତାଳ ସହିତ ଏହାର ସବୁ ଅଂଶର ଚାହିଦା ରହିଛି। ତାଳ ଗଛ ରୋପଣ ନିମନ୍ତେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି। ତେବେ ବଜ୍ରପାତ ମୃତ୍ୟୁ ଏଡ଼ାଇବା ତଥା ପରିବେଶ ସନ୍ତୁଳନ ପାଇଁ ରାଜ୍ୟ ସରକାର ତାଳ ଚାରାରୋପଣ ଯୋଜନା ଆରମ୍ଭ କରିଛନ୍ତି। ସରକାର ତାଳଗଛ ମିଶନ୍ ଆରମ୍ଭ କରିବା ପରେ ଆନନ୍ଦପୁର ଉପଖଣ୍ଡରେ ତାଳଗଛର ଗାଁ ଭାବେ ପରିଚିତ କଇନିପୁରାରେ ଉତ୍ସାହ ପ୍ରକାଶ ପାଇଛି।
ପରିବେଶ ସନ୍ତୁଳନ ସହିତ ବଜ୍ରପାତରୁ ରକ୍ଷା ପାଇଁ ତାଳଗଛ ର ଆବଶ୍ୟକତା ଅନେକାଂଶ ରେ ଆବଶ୍ୟକ ଥିବାବେଳେ ଏଥି ନିମନ୍ତେ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର