ଦିଲ୍ଲୀରେ ବରିଷ୍ଠ ସାମ୍ବାଦିକ ସଂଗ୍ରାମ ଷଡ଼ଙ୍ଗୀଙ୍କୁ ଗୋଟିଏ ଦିନରେ ଦୁଇଟି ସମ୍ମାନ

Key Points
ବରିଷ୍ଠ ସାମ୍ବାଦିକ ସଂଗ୍ରାମ ଷଡ଼ଙ୍ଗୀଙ୍କୁ ଗୋଟିଏ ଦିନରେ ଦୁଇଟି ସମ୍ମାନ । ପ୍ରଥମେ ‘ଓଡ଼ିଶା ସାମ୍ବାଦିକତା ପୁରସ୍କାର -୨୦୨୫’ ପରେ ଶ୍ରୀ ଆଓ୍ବାର୍ଡସରେ ସମ୍ମାନିତ ହେଲେ।
ଗୋଟିଏ ଦିନରେ ଦୁଇଟି ସମ୍ମାନରେ ସମ୍ମାନିତ ହେଲେ ଅର୍ଗସ ଡିଜିଟାଲର ସମ୍ପାଦକ ସଂଗ୍ରାମ ଷଡ଼ଙ୍ଗୀ । ଶନିବାର ନୂଆଦିଲ୍ଲୀରେ ପଲ୍ଲୀବାଣୀ ମିଶନ ପକ୍ଷରୁ ଆୟୋଜିତ ଇଣ୍ଡିଆନ ଓ ଓଡ଼ିଶା ଜର୍ଣ୍ଣାଲିଜିମ ପୁରସ୍କାର କାର୍ଯ୍ୟକ୍ରମରେ ପୁରସ୍କୃତ ହୋଇଛନ୍ତି ସଂଗ୍ରାମ ଷଡ଼ଙ୍ଗୀ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଯୋଗଗୁରୁ ବାବା ରାମଦେବ ଅତିଥି ଭାବେ ସଂଗ୍ରାମ ଷଡ଼ଙ୍ଗୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ।
ଦିଲ୍ଲୀର ପୁରାତନ ସଂଗଠନ ହେଉଛି ପଲ୍ଲୀବାଣୀ ମିଶନ । ଓଡ଼ିଶାର ଜଣେ ଜଣାଶୁଣା ସାମ୍ବାଦିକ ତଥା ଉପସ୍ଥାପକ ଭାବେ ସଂଗ୍ରାମଙ୍କର ବେଶ ଲୋକପ୍ରିୟତା ରହିଛି । ତାଙ୍କର ନିଜସ୍ୱ କାର୍ଯ୍ୟକ୍ରମ 'ଅର୍ଗସ ପଡ୍କାଷ୍ଟ' ଓଡ଼ିଶାର ସବୁଠାରୁ ଅଧିକ ଲୋକପ୍ରିୟ ହେବା ସହ ଏକ ନମ୍ବର ପ୍ରୋଗ୍ରାମ ହୋଇପାରିଛି । ଏହାସହ ଅର୍ଗସ ଡିଜିଟାଲର ସମ୍ପାଦକ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି ସଂଗ୍ରାମ କେଶରୀ ଷଡ଼ଙ୍ଗୀ ।
ସେହିପରି ସନ୍ଧ୍ୟାରେ ପରିଚୟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଶ୍ରୀ ଆଓ୍ବର୍ଡସ ୨୦୨୫ରେ ମଧ୍ୟ ସମ୍ମାନିତ ହୋଇଛନ୍ତି ବରିଷ୍ଠ ସାମ୍ବାଦିକ ସଂଗ୍ରାମ ଷଡ଼ଙ୍ଗୀ । ନୂଆଦିଲ୍ଲୀର Constitution Clubରେ ଆୟୋଜିତ ଉତ୍ସବରେ ପରିଚୟ ଫାଉଣ୍ଡେସନ ପକ୍ଷରୁ ଏହି ସମ୍ମାନ ଦିଆଯାଇଛି । ଏହି ଉତ୍ସବରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ଭୁବନେଶ୍ବର ଉତ୍ତରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ପରିଚୟ ଫାଉଣ୍ଡେସନର ଫାଉଣ୍ଡର ରୋଜାଲିନ୍ ପାଟ୍ଟଶାଣୀ ଉପସ୍ଥିତ ଥିଲେ ।
📱 Get Argus News App
✨
ପରିଚୟ ଫାଉଣ୍ଡେସନ୍ ବିଷୟରେ ପଦେ
ପରିଚୟ ଫାଉଣ୍ଡେସନ ହେଉଛି ଏକ ସାମାଜିକ ସଂଗଠନ । ଯାହା ଭାରତୀୟ କଳା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏବଂ ଓଡ଼ିଶା ଏବଂ ଦିଲ୍ଲୀର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ବସ୍ତିରେ ବାସ କରୁଥିବା ଅବହେଳିତ ଲୋକଙ୍କ ପାଇଁ ଆର୍ଥିକ ଏବଂ ସାମାଜିକ ଉନ୍ନତି ଆଣିବାରେ ନିୟୋଜିତ। ଏହା ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ଏବଂ ଏହାର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତିସଂଘ ଦ୍ୱାରା ସ୍ୱୀକୃତି ପାଇଛି । ପରିଚୟ ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିତ୍ୱମାନଙ୍କୁ ଶ୍ରୀ ଆଓ୍ବାର୍ଡରେ ସମ୍ମାନିତ କରାଯାଇଥାଏ । ଏହି କ୍ରମରେ ଚଳିତ ବର୍ଷ ବରିଷ୍ଠ ସାମ୍ବାଦିକ ସଂଗ୍ରାମ ଷଡ଼ଙ୍ଗୀଙ୍କୁ ଶ୍ରୀ ଆଓ୍ବାର୍ଡସରେ ସମ୍ମାନିତ କରାଯାଇଛି ।