ଓଡ଼ିଶା ଉପରେ ସିରିଜ ଘୂର୍ଣ୍ଣିବଳୟ: ଆସନ୍ତା ୫ ଦିନ ପ୍ରବଳ ବର୍ଷା

ଅର୍ଗସ ବ୍ୟୁରୋ: ଓଡିଶା ଉପରେ ସିରିଜ ଘୂର୍ଣ୍ଣିବଳୟ। ବର୍ତ୍ତମାନ ଦକ୍ଷିଣ ବଙ୍ଗଳାଦେଶ ଓ ତତସଲଗ୍ନ ଅଞ୍ଚଳରେ ସକ୍ରିୟ ରହିଛି ସଦୃଶ ଲଘୁଚାପ। ଏହା ଉତ୍ତର ଦିଗକୁ ଗତିକରୁଥିବା ବେଳେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇପାରେ। ଏହାସହ ରାଜ୍ୟ ଉପରେ ମୌସୁମୀ ସକ୍ରିୟ ସହ ଝାଡ଼ଖଣ୍ଡ ଓ ତାର ଆଖପାଖରେ ମଧ୍ୟ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଯାହା ଆଗକୁ ଘନୀଭୂତ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ।
ସେହିପରି ଆସନ୍ତା ୨୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି। ଲଗାତାର ଭାବେ ତିନୋଟି ନିୟାମକ ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ରୁ ୭ ଦିନ ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟାରେ ଅନେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କାଁ ଭାଁ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।
ପ୍ରବଳ ବର୍ଷା ଅର୍ଥାତ୍ ୭ ରୁ ୧୧ ସେମି ବର୍ଷା ପାଇଁ ୧୪ ଜିଲ୍ଲା ବରଗଡ଼, ସମ୍ବଲପୁର, ଦେଓଗଡ , ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା ,ଭଦ୍ରକ, ମୟୁରଭଞ୍ଜ , ଯାଜପୁର, କଟକ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଓ ବାଲେଶ୍ୱରକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ପାଇଁ ମୟୁରଭଞ୍ଜ ସୁନ୍ଦରଗଡ, ଓ କେନ୍ଦୁଝର ଏହି ୩ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।
ସେହିପରି ଆସନ୍ତା ୨୪ ରୁ ବଢିବ ବର୍ଷାର ବିସ୍ତୃତି । ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଜଗତସିଂହପୁର ଓ କେନ୍ଦ୍ରାପଡାକୁ ଅରେଞ୍ଜ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ପରେ ପୁଣି ୨୭ ତାରିଖ ବେଳକୁ ବର୍ଷା କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
📱 Get Argus News App
✨ଅଧିକ ପଢ଼ନ୍ତୁ ପାଣିପାଗ ଖବର