ଭିକ୍ଷାବୃତ୍ତି ଅର୍ଥରେ ନିର୍ମାଣ କଲେ ଶନି ମନ୍ଦିର

Key Points
- ଭିକ୍ଷାବୃତ୍ତି ଅର୍ଥରେ ନିର୍ମାଣ କଲେ ଶନି ମନ୍ଦିର
- ଦୃଷ୍ଟିବାଧିତ ଭିକ୍ଷୁକଙ୍କ ମହନୀୟତା
- ମନ୍ଦିର ବୋର୍ଡକୁ ଦାନ କଲେ ୩ ଲକ୍ଷ ଟଙ୍କା
ଅର୍ଗସ ବ୍ୟୁରୋ : ଜନ୍ମରୁ ଦୃଷ୍ଟିବାଧିତ । ଦୂନିଆକୁ ଭଲ କରି ଦେଖି ନାହାନ୍ତି, କି ବୁଝି ନାହାନ୍ତି । ବାପା ମାଙ୍କ ସ୍ନେହ ଶ୍ରଦ୍ଧାରୁ ଛୋଟବେଳୁ ବଞ୍ଚିତ । ହେତୁ ପାଇବା ଦିନରୁ ରାସ୍ତା କଡରେ ବଢିଛନ୍ତି, ଆଉ ନିଜ ପେଟ ପାଇଁ ଭିକ୍ଷାବୃତ୍ତି କରୁଛନ୍ତି । ହେଲେ ଏପରି ଟଙ୍କା ସଞ୍ଚୟ କରି ସେ ଯେ ଦିନେ ମନ୍ଦିର ତିଆରି କରିବାକୁ ନିଜର ଭିକ୍ଷା ଅର୍ଥ ଦେବେ ତାହା କେହି କଳ୍ପନା ମଧ୍ୟ କରିନଥିଲେ ।
ଇଏ ହେଉଛନ୍ତି ଗଜପତି ଜିଲ୍ଲାର ଅନ୍ଧ ଭିକ୍ଷୁକ ରଘୁନାଥ ରାଉତ । ପିଲାଦିନରୁ ବାପା ମାଆଙ୍କୁ ହରାଇ ଭିକ୍ଷାବୃତ୍ତି କରିବା ପନ୍ଥାକୁ ଆପଣାଇଛନ୍ତି । ଯିଏ ଯାହା ଦିଏ ସେଥିରେ ସେ ଚଳି ଯାଆନ୍ତି । ହେଲେ ସେଥିରୁ ସେ ସଞ୍ଚୟ କରି ଶନି ମନ୍ଦିର ନିର୍ମାଣ କରିବା ପାଇଁ ମନ୍ଦିର ବୋର୍ଡକୁ ଦାନ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଲୋକଙ୍କ ପାଖରେ କୋଟି କୋଟି ଟଙ୍କା ଥିଲେ ମଧ୍ୟ ନିଜ ପାଖରୁ ସେମାନେ ଟଙ୍କାଟିଏ ଖର୍ଚ୍ଚ କରିବାକୁ କୁଣ୍ଠାବୋଧ କରୁଥିବା ବେଳେ ଏହି ଭିକ୍ଷୁକ ଜଣକ ଏତେ ଟଙ୍କା ଖର୍ଚ୍ଚ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଖୋର୍ଦ୍ଧା ଜିଲ୍ଲାବାଘମାରିର ପ୍ରସିଧ ଏକାଦଶ ରୁଦ୍ରଙ୍କ ପୀଠରେ ଏହି ଶନି ମନ୍ଦିର ସେ ନିର୍ମାଣ କରିଛନ୍ତି । ଯାହାର ଆଜି ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଛି । ସେ ସଞ୍ଚୟ କରିଥିବା ପ୍ରାୟ ୩ ଲକ୍ଷ ଟଙ୍କା ସେ ମନ୍ଦିର ନିର୍ମାଣ ପାଇଁ ଦେଇଛନ୍ତି । ଏହି ଗାଁ କୁ ଯେତେବେଳେ ସେହି ଭିକ୍ଷୁକ ଜଣକ ଆସିଥିଲେ , ସେତେବେଳେ ଏହି ଗାଁର ମହିଳା ମାନେ ଗଛମୂଳେ ପଥର ଥୋଇ ପୂଜା କରୁଥିଲେ । ଏହା ଶୁଣିବା ପରେ ସେ ମନ୍ଦିର ନିର୍ମାଣ କରିବା ପାଇଁ ଇଚ୍ଛା କରିଥିଲେ । ଏବଂ ମନ୍ଦିର ବୋର୍ଡକୁ ଟଙ୍କା ଦେଇଥିଲେ । ଯାହାକୁ ନେଇ ସେହି ଗାଁର ସମସ୍ତେ ତାଙ୍କୁ ଖୁବ ପ୍ରଶଂସା କରିଛନ୍ତି ।
ରଘୁଙ୍କ ପରି ମଣିଷ ଯେ ବିରଳ ଏକଥା କହିଲେ କିଛି ଭୁଲ ହେବ ନାହିଁ । ସମାଜ ପାଇଁ ରଘୁ ଏକ ଉଦାହରଣ ଏବଂ ପ୍ରେରଣା ହେଉଛନ୍ତି ରଘୁ । କେତେବେଳେ ରଘୁଙ୍କୁ ଏକୁଟିଆ ରାସ୍ତରେ ଭିକ୍ଷାବୃତ୍ତି କରିବାର ଦେଖାଯାଏ ତ କେତେବେଳେ ମନ୍ଦିର ନିକଟ ରାସ୍ତାରେ ଭିକ୍ଷାବୃତ୍ତି କରୁଥିବାର ଦେଖାଯାଏ । କିନ୍ତୁ ତାଙ୍କର ଭିକ୍ଷାବୃତ୍ତି ପଛର କାରଣ ଜାଣିକରି କେହି ବି ରଘୁଙ୍କୁ ପ୍ରଶଂସା ନକରି ରହିପାରୁନାହାନ୍ତି । ତେବେ ରଘୁଙ୍କ ଏଭଳି ମହାନ କାର୍ଯ୍ୟ ପାଇଁ ସରକାରଙ୍କ ତରଫରୁ ଭିନ୍ନକ୍ଷମ ଭତ୍ତା ଶହ ପେନସନ ଯୋଗାଇ ଦେବାକୁ ପ୍ରଶାସନଙ୍କୁ ନିବେଦନ କରିଛନ୍ତି ମନ୍ଦିରର ମୁଖ୍ୟ ପୂଜକ ।
📱 Get Argus News App
✨