ଆସନ୍ତାକାଲି ଖୋଲିବ ଜାତୀୟ ଉଦ୍ୟାନ ଶିମିଳିପାଳ

ଅର୍ଗସ ବ୍ୟୁରୋ: ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । କିଛି ମାସ ବ୍ୟବଧାନ ପରେ ଚଳିତ ବର୍ଷ ସଅଳ ଖୋଲିବାକୁ ଯାଉଛି ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟ । ପ୍ରତ୍ୟେକ ବର୍ଷ ନମ୍ଭେମ୍ବର୍ ମାସ ପହିଲାରୁ ଜାତୀୟ ଉଦ୍ୟାନ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ଖୋଲୁଥିବା ବେଳେ ଚଳିତ ବର୍ଷ ଆସନ୍ତା ଅକ୍ଟୋବର ମାସ ୧୦ ତାରିଖ ଖୋଲିବା ନେଇ ଶିମିଳିପାଳ କତୃପକ୍ଷ ସୂଚନା ଦେଇଛନ୍ତି। ବିଭିନ୍ନ ରଙ୍ଗବେରଙ୍ଗରେ ଶିମିଳିପାଳର ଇକୋ କଟେଜ ଗୁଡିକ ସଜେଇ ହେଉଥିବା ବେଳେ ଘଞ୍ଚ ଜଙ୍ଗଲ,ଉଚ୍ଚ ପର୍ବତ ଆଉ ପର୍ବତ ଶିଖରରୁ ବୋହିଯାଉଥିବା ବରେହିପାଣି,ଜୋରନ୍ଦା ଓ ଉସ୍କି ଭଳି ଜଳପ୍ରପାତ ସହିତ ବିଭିନ୍ନ ପ୍ରକାର ବନ୍ୟଜନ୍ତୁକୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ ।
ଏବର୍ଷ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ୨୦ ଟି ଜଙ୍ଗଲ ସଫାରୀର ବ୍ୟବସ୍ଥା କରାଯାଇଛି । ଶିମିଳିପାଳ ଅଭୟାରଣ୍ୟ କୁ ପ୍ରବେଶ କରିବା ପାଇଁ ଦୁଇଟି ରାସ୍ତାଦେଇ ଯାଇପାରିବେ ପର୍ଯ୍ୟଟକ।
ଯଶିପୁର ପଟୁ କାଲିକାପ୍ରସାଦ ଗେଟ ଦେଇ ପ୍ରତ୍ୟେକ ଦିନ ୩୫ ଟି ଏବଂ ବାରିପଦାର ପିଠାବଟା ଗେଟ ଦେଇ ୨୫ ଟି ପର୍ଯ୍ୟଟକଙ୍କ ଗାଡି ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରି ପାରିବେ । ସକାଳ ୬ ଘଟିକା ଠାରୁ ୧୨ ଘଟିକା ପର୍ଯ୍ୟନ୍ତ ପ୍ରବେଶ ପାଇଁ ଅନୁମତି ପତ୍ର ମିଳିପାରିବ। ଶିମିଳିପାଳ ଅଭୟାରଣ୍ୟରେ ରାମତୀର୍ଥ, କୁମାରୀ, ଗୁରୁଗୁଡ଼ିଆ, ବରେହିପାଣି ଏବଂ ଜାମୁଆଣି ଠାରେ ଇକୋ କୋଟେଜ ଗୁଡିକରେ ରାତ୍ରୀ ରହଣୀ ପାଇଁ ପର୍ଯ୍ୟଟକ ମାନେ ପୂର୍ବରୁ www.odishaecoturisim.comରେ login କରି online ବୁକିଙ୍ଗ ମାଧ୍ୟମରେ ରାତ୍ରି ରହଣି ସହ ଜଙ୍ଗଲ ସଫାରୀର ମଜା ନେଇପାରିବେ । ତେବେ ଚଳିତ ବର୍ଷ ପର୍ଯ୍ୟଟକ ମାନଙ୍କୁ ଶିମିଳିପାଳ ଭିତରେ ପଲିଥିନର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସହ ସଫାରୀରେ ଭ୍ରମଣ ବେଳେ ବନ୍ୟପ୍ରାଣୀ ନିୟମକୁ କଡାକଡି ପାଳନ କରିବାକୁ ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର