Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର ୧୦ରୁ ଖୋଲିବ ଶିମିଳିପାଳ

Odisha

ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର ୧୦ରୁ ଖୋଲିବ ଶିମିଳିପାଳ

Ritu Das
Browse all articles by Ritu Das
·1 year ago·3 min read
ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର ୧୦ରୁ ଖୋଲିବ ଶିମିଳିପାଳ

ଅର୍ଗସ ବ୍ୟୁରୋ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ଅକ୍ଟୋବର ୧୦ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟ ପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୋମବାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଦୈନିକ ଚାରି ଚକିଆ ଯାନ କଳିଆଣି ତନଖି ଫାଟକ (ଯଶିପୁର) ପଟୁ ୩୫ ଗାଡି ଓ ପିଠାବଟା (ବାରିପଦା) ତନଖି ଫାଟକ ଦେଇ ୨୫ ଗାଡି ଜଙ୍ଗଲ ଭିତରକୁ ପ୍ରବେଶ କରିବ ବୋଲି ସ୍ଥିରୀକୃତ ହୋଇଛି। ସେହିପରି ଏଥର ତାଳବନ୍ଧ, ଜାମୁଆଣି ଓ ଗୁଡୁଗୁଡିଆ ସକାଳ ୫.୩୦ ଓ ଅପରାହ୍ନ ୩ଟା ରେ ନୂତନ ୩୫ଟି ଖୋଲା ଜିପ୍ ବା ସଫାରୀ ଗାଡିରେ ୫ଘଣ୍ଟା ଲେଖାଏଁ ବୁଲିବାର ମଜା ନେବେ ପର୍ଯ୍ୟଟକ।

ଉକ୍ତ ଦୁଇ ତନଖି ଫାଟକରେ ପ୍ରବେଶ ଅନୁମତି ପତ୍ର ସକାଳ ୬ ଟା ରୁ ୯ ଟା ପର୍ଯ୍ୟନ୍ତ ବୁକିଂ କାଉଣ୍ଟରରେ ଉପଲବ୍ଧ ରହିବ। ପ୍ରତି ପର୍ଯ୍ୟଟକଙ୍କ ପିଚ୍ଛା ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଥିବା ବେଳେ, ମାର୍ଗଦର୍ଶିକା ଅନୁପାଳନ ସହିତ ଅଭୟାରଣ୍ୟକୁ ସ୍ୱଚ୍ଛ ରଖିବା ପାଇଁ ପର୍ଯ୍ୟଟକ ମାନେ ଭିତରକୁ ପ୍ରବେଶ ସମୟରେ ନିଜ ସାଥୀରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଷ ଓ ଅଗ୍ନି ସଂଯୋଗକାରୀ ସାମଗ୍ରୀ ଆଦି ପର୍ଯ୍ୟଟକମାନେ ନେବା ଉପରେ କଟକଣା ଜାରି କରାଯାଇଛି। ଶିମିଳିପାଳରେ ଥିବା ଯାତ୍ରୀ ନିବାସ ଗୁଡିକରେ ରାତ୍ରୀ ଯାପନ ପାଇଁ ପର୍ଯ୍ୟଟକ ମାନେ (www.ecotourism.com) ୱେବସାଇଟରେ ଅଗ୍ରୀମ ବୁକିଂ କରି ପାରିବେ।

ପ୍ରତି ବର୍ଷ ବର୍ଷାଋତୁ ଯୋଗୁଁ ଜୁନ ମାସ ୧୫ ତାରିଖରେ ଶିମିଳିପାଳ ବନ୍ଦ ହୋଇଥାଏ ଏବଂ ନଭେମ୍ବର ପହିଲାରେ ଖୋଲିଥାଏ। ତେବେ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଗତ ବର୍ଷ ଅକ୍ଟୋବର ୧୪ରୁ ଖୋଲିଥିଲା । ସେହିପରି ଚଳିତ ବର୍ଷ ୧୦ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲୁଛି। ଉକ୍ତ ଜୈବମଣ୍ଡଳରେ ପ୍ରାଣୀ, ପକ୍ଷୀ ଓ ସରୀସୃପଙ୍କ ପାଇଁ ଆବଶ୍ୟକୀୟ ବାତାବରଣ, ସନ୍ତୁଳିତ ପରିବେଶ, ଭୌଗଳିକ ସ୍ଥିତିର ଭିନ୍ନତାରେ ପର୍ଯ୍ୟାପ୍ତ ସବୁଜିମା ବୃକ୍ଷରାଜି ରହିଛି। ଯେଉଁଥିପାଇଁ ଏହା ଭାରତର ବାଘ, ଏସୀୟ ହାତୀ ଓ ଗୟଳ ପରି ତିନି ପ୍ରଜାତି ପ୍ରାଣୀର ବୃହତ୍ତ ବାସସ୍ଥଳୀ ହୋଇପାରିଛି। ଏଥିସହିତ ଏହି ଜୈବମଣ୍ଡଳରେ ହଜାରେ ପ୍ରଜାତିର ସପୁଷ୍ପକ ଉଦ୍ଭଦ ସହିତ ୧୦୪ ପ୍ରଜାତିର ଅର୍କିଡ୍ ଓ ବରେହିପାଣି, ଯୋରନ୍ଦା,ଉସକି, ଦେବକୁଣ୍ଡ, ସୀତାକୁଣ୍ଡ ଆଦି ଜଳପ୍ରପାତ ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଥାଏ। 
ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ଚଳିତ ବର୍ଷ ଦୁଃସାହାସିକ କ୍ରୀଡା, ଜଙ୍ଗଲ ସଫାରୀ ଓ ମାଉଣ୍ଟେନ୍‌‌ ସାଇକେଲିଂ ଭଳି କିଛି ନୂଆ ଧରଣର କ୍ରୀଡାକୁ ସାମିଲ କରିଛନ୍ତି। ତାଛଡା ଶିମିଳିପାଳ ଭିତରେ ଥିବା ବିଭିନ୍ନ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ନେଚର ଗେମିଙ୍ଗର ସୁବିଧା କରାଯାଇଛି। ପର୍ଯ୍ୟଟକ ମାନେ ପ୍ରତି ଗାଡ଼ିରେ ଜଣେ ବିଭାଗୀୟ ଗାଇଡଙ୍କୁ ନିୟମ ଅନୁଯାୟୀ ସାଙ୍ଗରେ ନେବାକୁ ପଡ଼ିବ। ସେହିପରି ବୁଲାବୁଲି ସାରି ଅପରାହ୍ନ ୩ଟା ପୂର୍ବରୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ, ୪ଟା ପୂର୍ବରୁ ଚହଲା ଏବଂ ୫ଟା ବେଳକୁ ପ୍ରସ୍ଥାନ ଗେଟ ବାହାରକୁ ଆସିବାକୁ ନିର୍ଦ୍ଦେଶ ରହିଛି। କୌଣସି କାରଣବଶତଃ ଅଭୟାରଣ୍ୟ ମଧ୍ୟରେ ଗାଡ଼ି ଖରାପ ହେଲେ ପର୍ଯ୍ୟଟକ ମାନଙ୍କୁ ବାରିପଦା ଓ ଯଶିପୁର ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଇବା ନିମନ୍ତେ ଅଗ୍ରୀମ ୪ହଜାର ଟଙ୍କା ଜମା ଦେବାକୁ ନିୟମ ରହିଛି। 
ରାତ୍ରି ରହଣି ପାଇଁ କୋର ଏରିଆର ଜାମୁଆଣି, କୁମାରୀ, ରାମତୀର୍ଥ, ଗୁଡ଼ଗୁଡ଼ିଆ, ବରେହିପାଣି ଆଦି ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ କୁଆଁରୀ ଗାଁ ନିକଟରେ ବାଉଁଶ କୁଟୀର ବ୍ୟବସ୍ଥା ମଧ୍ୟ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାତ୍ର ରହଣି ପାଇଁ ପର୍ଯ୍ୟଟକ ମାନେ ୱେବସାଇଟରେ ଅଗ୍ରୀମ ସଂରକ୍ଷଣ କରିବାକୁ ପଡ଼ିବ ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି। ସୁରକ୍ଷିତ ଭାବେ ପର୍ଯ୍ୟଟକ ଜଙ୍ଗଲ ପରିବେଶରେ କିପରି ଜଙ୍ଗଲୀ ବନ୍ୟଜନ୍ତୁଙ୍କ ଚଳ ପ୍ରଚଳକୁ ପାଖରୁ ନିରେଖୁ ଦେଖିପାରିବେ ସେଥିପାଇଁ ସତନ୍ତ୍ର ରୁଟ୍ ପ୍ରସ୍ତୁତ କରାଯାଇଛି। ବିଶେଷକରି ଯୁବପିଢ଼ି ଓ ଛୋଟ ପିଲାଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ଦୁଃସାହାସିକ କ୍ରୀଡାକୁ ଏଥିରେ ସାମିଲ କରାଯାଇଛି। ଶିମିଳିପାଳ ବୁଲିବାକୁ ପର୍ଯ୍ୟଟକଙ୍କ ପାଇଁ ମିନିବସ୍‌ର ମଧ୍ୟ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହା ସହିତ ଅଭୟାରଣ୍ୟ ମଧ୍ୟରେ ସ୍ଵତନ୍ତ୍ର ଖାଦ୍ୟର ବ୍ୟବସ୍ଥା ଥିଲା। ଯାହା ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
Shimilipal | Argus News