ଏଥର ଶିଶିର ସରସରେ 400 ଷ୍ଟଲ୍

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୬ ତାରିଖରୁ ଆରମ୍ଭ ହେବ ଜାତୀୟସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ମେଳା ଶିଶିର ସରସ-୨୦୨୪ । ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡିଆରେ ୬ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସକାଳ ୧୧.୩୦ ରୁ ରାତି ୯ ଟା ପର୍ଯ୍ୟନ୍ତ ଚାଲିବ ମେଳା । ଏହି ଜାତୀୟସ୍ତରୀୟ ମେଳାରେ ମୋଟ ୪୦୦ଟି ଷ୍ଟଲ୍ ଖୋଲାଯିବ ।
ଏଥିରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରୁ ମହିଳା ଏସ୍.ଏଚ୍.ଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀମାନଙ୍କ ସହିତ ୨୬ଟି ରାଜ୍ୟର ମହିଳା ଏସ୍.ଏଚ୍.ଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀମାନଙ୍କ ହାତ ତିଆରି ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ମସଲା ସାମଗ୍ରୀ ଆଦି ବିଭିନ୍ନ ଷ୍ଟଲରେ ବିକ୍ରି ହେବ । ସେହିପରି ୨୦ଟି ଷ୍ଟଲକୁ ନେଇ ସ୍ୱତନ୍ତ୍ର ଫୁଡ୍ କୋର୍ଟ ସହ, ସେଲଫି ପଏଣ୍ଟ, ଓରମାସର ମାର୍କେଟିଂ, ଲାଇଭଲି ହୁଡସ୍ ଓ ଦକ୍ଷତା ବିକାଶ ଆଦି କାର୍ଯ୍ୟକ୍ରମକୁ ନେଇ ସ୍ୱତନ୍ତ୍ର ଥିମ୍ ଷ୍ଟଲ ପାଇଁ ମେଳାରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ମେଳାରେ ମନୋରଞ୍ଜନ ପାଇଁ ଓପନ କୁଇଜ, ଛାତ୍ରଛାତ୍ରୀମାନଙ୍କ ପାଇଁ ଡ୍ରଇଂ ପ୍ରତିଯୋଗିତା ସହ ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ପ୍ରଖ୍ୟାତ କଳାକାରମାନେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ସେହିପରି ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି, କୁନି କୁନି ପିଲାଙ୍କ ମନୋରଞ୍ଜନ ପାଇଁ ସ୍ୱତନ୍ତ୍ର କିଡ୍ସ ଜୋନର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ।
ଆହୁରି ପଢନ୍ତୁ ଓଡିଶା ଖବର...