Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚିତାଲାଗି ଅମାବାସ୍ୟାର କିଛି ରୋଚକ କାହାଣୀ...

Smruti Parija
Browse all articles by Smruti Parija
·1 year ago·2 min read
ଚିତାଲାଗି ଅମାବାସ୍ୟାର କିଛି ରୋଚକ କାହାଣୀ...

ଅର୍ଗସ ବ୍ୟୁରୋ: ଶ୍ରାବଣର ଝିପି ଝିପି ବର୍ଷା । ଘର ଚାରିପାଖେ ବେଙ୍ଗ ବେଙ୍ଗୁଲିଙ୍କ ରଡି । କ୍ଷେତରେ ଗେଣ୍ଡା ସାଲୁ ବାଲୁ ।  ଆଉ ହାତରେ ବୋଉ ହାତ ତିଆରି ଚିତଉ ନେଇ ଲକି କୁହେ...

 

  • ଶୁଣୁ ଗେଣ୍ଡୁଲି 
  • ହଁ କହୁନୁ କହ...
  • ମୋ ବୋଉ ଗୋଡ କାଟିବୁନି...
  • ମୋ ବାପା ଗୋଡ କାଟିବୁନି...
  • ମୋ ଗୋଡ କାଟିବୁନି 
  • ହଉ...ତା ବଦଳରେ ତୁ କଣ ଦବୁ ମତେ...
  • ନେ ବୋଉ ତୋ ପାଇଁ ଚିତଉ ପିଠା ଦେଇଛି
  • ଆରେ ବାଃ ଏଇଟା ତ ବଢିଆ ଲାଗୁଛି...
  • ତାହେଲେ ନେ ଆଉ ଖା....

ଏମିତି କହି ଗୋଟେ ଗୋଟେ ଚିତଉ ପିଠା ପାଣିରେ ଭସାଇ ଦେଉଥାଏ ଲକି...ଆଉ ମନରେ ତାର ବିଶ୍ୱାସ ଥାଏ ଏହି ପିଠା ଖାଇ ସତରେ ଗେଣ୍ଡା ତା ପରିବାରର କାହାର ଗୋଡ କାଟିବନି । 
ଚିତା ଲାଗି ଅମାବାସ୍ୟା ଓଡିଶାର ଘରେ ଘରେ ପାଳିତ ହୁଏ । କେହି କେହି ଏହାକୁ ଗେଣ୍ଡେଇକଟା ଓ ଷା ବା ଗେଣ୍ଡାକଟା ଅମାବାସ୍ୟା ମଧ୍ୟ କୁହନ୍ତି । 

ଚିତଉ ଅମାବାସ୍ୟା ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ। ଆମ ଓଡିଆ ଘରେ ମା' ମାନେ ନଡିଆ, ଚାଉଳ ବାଟି ଚିତଉ ପିଠା କରି ଜୀବଜନ୍ତୁମାନଙ୍କୁ ଖୁଆଇ ସନ୍ତୁଷ୍ଟ କରିବାର ପ୍ରଥା ରହିଛି । ସାଧାରଣତଃ ଚାଷୀମାନେ ବର୍ଷା ଋତୁ ସମୟରେ ଧାନ ଫସଲ କରିବା ସମୟରେ, ବିଲରେ ଗେଣ୍ଡା ଯୋଗୁଁ ଗୋଡ଼ କାଟି ହୋଇ କ୍ଷତି ହୋଇଥାଏ । ଫଳରେ ଏହି ସମ୍ବାବନାକୁ ଏଡ଼େଇବା ନିମନ୍ତେ ଚିତଉ ପିଠାକୁ ସାରୁ ପତ୍ରରେ ରଖି ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଜଳାଶ୍ରୟରେ ଭସା ଯାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚିତାଲାଗି ଅମାବାସ୍ୟା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କର (ତିନିଠାକୁର) ଚିତାଲାଗି ହୋଇଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହୀରା ଚିତା,ପ୍ରଭୁ ବଳଭଦ୍ରଙ୍କୁ ନୀଳା ଚିତା ଓ ଦେବୀ ସୁଭଦ୍ରାଙ୍କୁ ପାନା ଚିତା ଲାଗି କରାଯାଏ । ତିନି ଠାକୁରଙ୍କ ଲଲାଟରେ ଦଇତାପତିମାନେ ଚିତା ଲାଗି କରୁଥିବାରୁ ଏହାର ନାମ ଚିତା ଲାଗି ଅମାବାସ୍ୟା ରଖାଯାଇଛି । 

ଦ୍ୱିପ୍ରହର ଧୂପ ସରି ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବାପରେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଖଟ ଶେଯ ଘରକୁ ବିଜେ କରିବା ପରେ ଶ୍ରୀଜୀଉଙ୍କ ଝୋବା ମଇଲମ ହୋଇ ଜୟବିଜୟ ଦ୍ୱାର ବନ୍ଦ କରାଯାଏ । ପତିମହାପାତ୍ର ସେବକ ସଂସ୍କାର କରିବା ପରେ ବାଡ଼ଗ୍ରାହୀ ଦଇତାପତି ମାନେ ରତ୍ନସିଂହାସନାରେ ଅଧିଷ୍ଠିତ ଶ୍ରୀଜୀଉଙ୍କର ଚିତାଲାଗି କାର୍ଯ୍ୟ ସମ୍ପନ୍ନ କରିଥାନ୍ତି। 
ସ୍ନାନପୂର୍ଣ୍ଣିମା ଦିନ ରାତ୍ରିରେ ଶ୍ରୀଜୀଉମାନଙ୍କ ଶ୍ରୀମସ୍ତକରୁ ଏହି ସୁବର୍ଣ୍ଣ ଚିତାକୁ ଓଲାଗି କରାଯାଇଥାଏ । ରଥଯାତ୍ରା ଦିନ ମହାପ୍ରଭୁଙ୍କୁ ଶ୍ରୀମସ୍ତକରେ ସୋଲର ଚିତା ଲାଗି କରାଯାଇଥାଏ । ତେବେ ଚିତଉ ଅମାବାସ୍ୟା ଦିନ ଏହି ସୋଲ ଚିତାକୁ ଓଲାଗି କରି ରତ୍ନଚିତା ଲାଗି କରାଯାଏ । ଚିତାଲାଗି ନୀତି ସରିବା ପରେ ଠାକୁରଙ୍କୁ ମହାସ୍ନାନ କରାଯାଏ ।

ତେବେ ଏହା ଏକ ଗୁପ୍ତନୀତି ହୋଇଥିବାରୁ 4 ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରୁହେ । ଚିତାଲାଗି କରି ଦଇତାପତି ସେବାୟତମାନେ ରତ୍ନସିଂହାସନରୁ ତଳକୁ ଓହ୍ଲାଇବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ସର୍ବସାଧାରଣଙ୍କୁ ଦର୍ଶନ ଦେଇଥାନ୍ତି ଶ୍ରୀବିଗ୍ରହ । ତେବେ ଏହି ସୁବର୍ଣ୍ଣ ଚିତା ଲାଗି ହେବା ପରେ ଶ୍ରୀବିଗ୍ରହମାନଙ୍କ ମସ୍ତକରେ ପରବର୍ତ୍ତୀ ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ଲାଗି ରୁହେ । 

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
some-known-unkown-facts-about-chitalagi-amabasya | Argus News