ଶୀତ ନିୟନ୍ତ୍ରଣ ପାଇଁ ନନ୍ଦନକାନନରେ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଶୀତ ନିୟନ୍ତ୍ରଣ ପାଇଁ ନନ୍ଦନକାନନରେ ସ୍ବତନ୍ତ୍ର ବ୍ୟବସ୍ଥା। ସରୀସୃପ ଖୁଆଡ଼ରେ ଲାଗିଛି ରୁମ୍ ହିଟର। ତାପମାତ୍ରା ମାପିବାକୁ ହୋଇଛି ବ୍ୟବସ୍ଥା। ପକ୍ଷୀଙ୍କ ଖୁଆଡ଼ରେ ମଧ୍ୟ ପ୍ରତି ଦୁଇ ଘଣ୍ଟାରେ ହେଉଛି ଯାଞ୍ଚ।
ଜାଡ଼ରେ ଥରୁଛି ଆନାକୋଣ୍ଡା। ଖରା ତାପୁଛି କୁମ୍ଭୀର। ସିମ୍ପାଞ୍ଜି ବି ଯେଉଁଠି ଖରା ଟିକେ ପାଉଛି ନିଜ ଶରୀରକୁ ଉଷୁମ କରିବାକୁ ଚେଷ୍ଟା କରୁଛି। ଅଜଗରକୁ ବି ପ୍ରବଳ ଶୀତ। ବାଲି ବୋଡା, ତମ୍ପ ଏମାନେ ବା ଏତେ ଶୀତରେ କେମିତି ବଞ୍ଚିବେ। ଶରୀରକୁ ଟିକେ ଉଷୁମ ରଖିବା ପାଇଁ ଏଣ୍ଡୁଅଟି ହାଇ ପାୱାର ବଲବ ତଳେ ଶୋଇରହିଛି। ଆଉ କଇଁଛ ବି ଯେଉଁଠି ଟିକେ ତାତି ପାଉଛି ଅଟକି ଯାଉଛି। ଅସହ୍ୟ ଶୀତ ଯୋଗୁଁ ସରୀସୃପଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରତିଟି ସରୀସୃପ ଖୁଆଡ଼ରେ ସାପ ଓ ଅନ୍ୟ ଜନ୍ତୁଙ୍କୁ ଶୀତରୁ ରକ୍ଷା କରିବା ପାଇଁ ରୁମ ହିଟର୍ ଲଗା ଯାଇଛି। ହିଟର ଯୋଗୁଁ ଖୁଆଡ଼ଟି ପ୍ରଚଣ୍ଡ ଶୀତରେ ବି ଉଷୁମ ରହୁଛି।
ସେହିପରି ସରୀସୃପଙ୍କ ପ୍ରତି ଖୁଆଡ଼ରେ ଡାଟା ଲଗର୍ ଓ ଥର୍ମୋଫ୍ଲାକ୍ସ ବି ଲାଗିଛି। ଡାଟା ଲଗରରେ ରୁମ୍ ଭିତର ତାପମାତ୍ରା ଜଣା ପଡୁଥିବା ବେଳେ ଥର୍ମୋଫ୍ଲାକ୍ସ ଯୋଗୁଁ ତାପମାତ୍ରା ଅନୁପାତରେ ଅଟୋମେଟିକ୍ ଲାଇଟ ଅନ୍ ଅଫ୍ ହେଉଛି। କେବଳ ସରୀସୃପ ନୁହଁ ପକ୍ଷୀଙ୍କ ଖୁଆଡ଼ରେ ମଧ୍ୟ ଶୀତ ନିୟନ୍ତ୍ରଣ ପାଇଁ ପାୱାର ଜନିତ ଲାଇଟ୍ ଲଗାଯାଇଛି। କମ୍ ତାପମାତ୍ର ସମୟରେ ସ୍ବାସ୍ଥ୍ୟବସ୍ଥା କେମିତି ରହୁଛି ପ୍ରତି ଦୁଇ ଘଣ୍ଟାରେ ଥରେ ଯାଞ୍ଜ କରାଯାଉଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର