Videos
|
Odisha

Shree Mandir Darshan Close / ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି,୫ ଘଣ୍ଟା ବନ୍ଦ ରହିବ ଦର୍ଶନ

Bikash Mohanty
Browse all articles by Bikash Mohanty
·1 hour ago·2 min read
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି,୫ ଘଣ୍ଟା ବନ୍ଦ ରହିବ ଦର୍ଶନ
Shree Mandir

Key Points

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି
୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ସନ୍ଧ୍ୟା ୬ଟାରୁ ରାତି ୧୧ଟା ଯାଏଁ ଦର୍ଶନ ବନ୍ଦ

ପୁରୀ, ୨୯/୦୭: ଆଜି ଆଷାଢ଼ ଶୁକ୍ଳ ତିଥି। ଆଜି ଶ୍ରୀବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବାପରେ ମହାପ୍ରଭୁଙ୍କ ଏହି ଗୁପ୍ତ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦତ୍ତ ମହାପାତ୍ର ସେବକମାନେ ଏହି ଗୁପ୍ତ ବନକ ଲାଗି ନୀତିକୁ ସମ୍ପାଦନ କରିଥାନ୍ତି।
ଶ୍ରୀମନ୍ଦିର ସ୍ବତ୍ୱଲିପି ଅନୁଯାୟୀ, ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗମଣ୍ଡପ ସମ୍ପନ୍ନ ହୋଇ ପାଣି ପଡ଼ିବା ପରେ ଏହି ନୀତି ଅନୁଷ୍ଠିତ ହୁଏ। ଦତ୍ତମହାପାତ୍ର ସେବକମାନେ ରତ୍ନସିଂହାସନ ଉପରକୁ ଉଠି ଠାକୁରଙ୍କ ଶ୍ରୀମୁଖ ଶୃଙ୍ଗାର କରିଥାନ୍ତି। ଏହା ଗୁପ୍ତନୀତି ହୋଇଥିବାରୁ ନୀତି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦତ୍ତମହାପାତ୍ର ସେବକମାନେ ନୀତି ଶେଷ କରି ଶ୍ରୀମନ୍ଦିରରୁ ବାହାରିବା ପରେ ଶ୍ରୀବିଗ୍ରହଙ୍କର ମହାସ୍ନାନ ନୀତି ସମ୍ପନ୍ନ କରାଯିବ। ପରେ ଅନ୍ୟାନ୍ୟ ନୀତି ବଢ଼ିବା ସହ ଦର୍ଶନ ପୁନର୍ବାର ଆରମ୍ଭ ହେବ।
ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ନୀତିକାନ୍ତି ମଧ୍ୟରେ ଅନ୍ୟତମ ପ୍ରମୁଖ ନୀତି ହେଉଛି ବନକଲାଗି ନୀତି। ଏହି ନୀତିରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଶ୍ରୀମୁଖକୁ ପ୍ରାକୃତିକ ରଙ୍ଗରେ ସ୍ୱତନ୍ତ୍ର ଭାବେ ଶୃଙ୍ଗାର କରାଯାଏ। ଏହି ନୀତି ସମୟରେ ଶ୍ରୀଜିଉମାନଙ୍କ ଦିବ୍ୟ ରୂପ ଆହୁରି ଆକର୍ଷଣୀୟ ଓ ମନୋରମ ହୋଇଥାଏ।

ବନକଲାଗି ନୀତି ପାଇଁ ପାରମ୍ପରିକ ଭାବେ ହିଙ୍ଗୁଳ, ହରିତାଳ, କଳା, ଧଳା ଓ ଅନ୍ୟାନ୍ୟ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଏ। ଦତ୍ତମହାପାତ୍ର ସେବକମାନେ ଅତ୍ୟନ୍ତ ନିଷ୍ଠା ଓ ଭକ୍ତିର ସହିତ ଏହି ଶୃଙ୍ଗାର କାର୍ଯ୍ୟ ସମ୍ପାଦନ କରନ୍ତି। ଏହି ସମୟରେ ଶ୍ରୀଜିଉମାନଙ୍କ ଶ୍ରୀମୁଖରେ ରଙ୍ଗ ଲଗାଯାଇ ଆଖି, ମୁହଁ ଓ ଅନ୍ୟାନ୍ୟ ଅଙ୍ଗର ବିଶେଷ ଶୃଙ୍ଗାର କରାଯାଏ।

ବନକଲାଗି ନୀତି ଚାଲିଥିବା ସମୟରେ ସାଧାରଣତଃ ଭକ୍ତମାନଙ୍କ ଦର୍ଶନ ବନ୍ଦ ରହିଥାଏ। ନୀତି ସମାପ୍ତ ହେବା ପରେ ଶ୍ରୀଜିଉମାନଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କୁ ସୁଯୋଗ ମିଳିଥାଏ। ଏହି ପବିତ୍ର ନୀତିକୁ ନେଇ ଭକ୍ତମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ଓ ଶ୍ରଦ୍ଧା ଦେଖିବାକୁ ମିଳେ।

ପଢନ୍ତୁ ଏହି ଖବର: ବଡ଼ଦାଣ୍ଡରୁ ବଡ଼ ଦେଉଳକୁ ବିଜେ କଲେ ଶ୍ରୀଜିଉ, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା

ଶ୍ରୀମନ୍ଦିରର ପ୍ରାଚୀନ ପରମ୍ପରା ଓ ସେବାପୂଜା ବ୍ୟବସ୍ଥାରେ ବନକଲାଗି ନୀତିର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାରର ଏହି ଅନନ୍ୟ ପରମ୍ପରା ଶ୍ରୀଜଗନ୍ନାଥ ସଂସ୍କୃତିର ଗଭୀର ଆଧ୍ୟାତ୍ମିକତା ଓ ପାରମ୍ପରିକ ଐତିହ୍ୟକୁ ପ୍ରତିଫଳିତ କରିଥାଏ।

ରଥ ଯାତ୍ରା ପାଇଁ ୨୭ ଦିନ ହେଲା ଶୂନ୍ୟ ପଡ଼ିଥିଲା ରତ୍ନମଣ୍ଡପ। ଗତ ସୋମବାର ହୋଇଥିଲା ଚତୁର୍ଦ୍ଧା ମୁରତୀଙ୍କ ନୀଳାଦ୍ରି ବିଜେ। ଗତକାଲି ଠାରୁ ଠାକୁରଙ୍କୁ ଭୋଗ ଲାଗିଲା ଅନ୍ନପ୍ରସାଦ । ପ୍ରଥମ ଦିନର ଠାକୁରଙ୍କ ଅନ୍ନ ମହାପ୍ରସାଦକୁ କୁହାଯାଏ ନୀଳାଚଳ ଅବଢ଼ା।  ଯେପରି ଗୁଣ୍ଡିଚା ଘରେ ଅନ୍ନ ମହାପ୍ରସାଦକୁ ଆଡ଼ପ ଅବଢ଼ା କୁହାଯାଏ।

ଗତକାଲି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନେ ନୀଳାଚଳ ଅବଢ଼ା ପାଇଥିଲେ। ବର୍ଷକେ ଏହି ଦିନକୁ ନୀଳାଚଳ ଅବଢ଼ା କଣିକାଏ ପାଇବାକୁ ଉତ୍କଣ୍ଠାର ସହ ଭକ୍ତ ଅପେକ୍ଷା କରିଥାଏ ବୋଲି କୁହନ୍ତି ବରିଷ୍ଠ ସେବାୟତ । ନୀଳାଦ୍ରି ବିଜେରେ ସାଧାରଣତଃ ଠାକୁରଙ୍କ ନୀତି ଅଧିକ ସମୟ ଲାଗେ । ଏଣୁ ପରଦିନ ଭୋଗ ହୋଇ ନୀଳାଚଳ ଅବଢ଼ା ବାହାରିଲା ବେଳକୁ କିଛିଟା ବିଳମ୍ବ ହୋଇଯାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: