ଭୟରେ ଥରୁଛି ବିଜେଡି ସରକାର : ରାଜ୍ୟ ବିଜେପି ସଭାପତି

ଅର୍ଗସ ବ୍ୟୁରୋ : ପୁଣି ଥରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଲେ, ବିଜେଡି ବିଭିନ୍ନ କଥା କହି ଓଡିଶାର ଜନତାଙ୍କୁ ବିଭିନ୍ନ ସମୟରେ ବିଭ୍ରାନ୍ତ କରୁଛି । ଲୋକେ ଏଭଳି ଦ୍ୱନ୍ଦ୍ୱରେ ପଡିଲେଣି ଯେ, ଶେଷରେ ବିଜେପିକୁ ଭୋଟ ଦେବାକୁ ମନସ୍ଥ କରିଛନ୍ତି । ଏବେ ଓଡିଶାର ଲୋକଙ୍କୁ ସାମନା କରିବାକୁ ବିଜେଡି ପାଖରେ ନୈତିକ ସାହାସ କି ଆତ୍ମବିଶ୍ୱାସ ନାହିଁ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି ।
ଆହୁରି ମଧ୍ୟ କହିଛନ୍ତି, ପୂର୍ବରୁ ବିଜୁ ପଟ୍ଟନାୟକ ପାଞ୍ଚ ଥର ନିର୍ବାଚନ ହାରିଲେ । ଏହାକୁ ସ୍ୱୀକାର ମଧ୍ୟ କଲେ । କିନ୍ତୁ ଏବେ ବିଜେଡି ସରକାରଙ୍କ ଗୁମାସ୍ତା ନିଜ ପରାଜୟକୁ ସ୍ୱୀକାର କରିପାରୁନାହାଁନ୍ତି । ତେଣୁ ରାଜ୍ୟବାସୀଙ୍କୁ ଏଣୁତେଣୁ କଥା କହି ବିଭ୍ରାନ୍ତ କରୁଛନ୍ତି’ ବୋଲି କହିଛନ୍ତି ଶ୍ରୀ ସାମଲ । ବିଜେଡି ସରକାର ହତାଶ ଓ ନିରାଶ ଅବସ୍ଥାରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ବିବୃତି ଦେବା ଆରମ୍ଭ କରିଛନ୍ତି । ସେମାନେ କହୁଛନ୍ତି, କିଏ ଆମର ମୁଖ୍ୟମନ୍ତ୍ରୀ ହେବେ କୁହ । ସେମାନେ ଆମକୁ ପ୍ରଶ୍ନ କରିବାର ନୈତିକ ସାହସ କେଉଁଠୁ ପାଇଲେ ? ସାଢ଼େ ୪ କୋଟି ଓଡ଼ିଆ ଆମ ସହ ଅଛନ୍ତି ।
ଶ୍ରା ସାମଲ ଆହୁରି କହିଛନ୍ତି, ବିଜେପି କ’ଣ ତାହା ବୁଝିବାକୁ ତାଙ୍କୁ ଆଉ ଦୁଇ ତିନି ଜନ୍ମ ନେବାକୁ ପଡ଼ିବ। ଆମ ଦଳରେ ସବୁ ନିଷ୍ପତ୍ତି ବ୍ୟବସ୍ଥିତ ଢଙ୍ଗରେ ନିଆଯାଏ । ମାତ୍ର ବିଜେଡିରେ ସେପରି ବ୍ୟବସ୍ଥା ନ ଥିବାରୁ ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା ସେମାନେ ଜାଣି ପାରୁ ନାହାନ୍ତି । ଓଡ଼ିଶାର ସଂସ୍କୃତି ଅସ୍ମିତାକୁ ଆଧାର କରି ବିଜେପି ନିର୍ବାଚନ ଲଢ଼ିବ । ମାତ୍ର ବିଜେଡି ଏଥର ହାରିବ ବୋଲି ତାହାର ନେତାମାନେ ଜାଣି ସାରିଲେଣି । ତେଣୁ ସେମାନେ ବିଦେଶରେ କେତେ ଟଙ୍କା ରଖିଛନ୍ତି ଓ କେଉଁ ଜାଗାରେ ରହିବେ, ତାହାର ଯୋଜନା କରୁଛନ୍ତି ବୋଲି କହିଛନ୍ତି ଶ୍ରୀ ସାମଲ ।