Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆକ୍ସନ୍ ମୋଡରେ ରାଜ୍ୟ ସରକାର ; ରାସ୍ତା ଓ ବିଜୁଳି ପୁନଃସଂଯୋଗ ପାଇଁ ଯୁଦ୍ଧକାଳୀନ ଉଦ୍ୟମ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଆକ୍ସନ୍ ମୋଡରେ ରାଜ୍ୟ ସରକାର ; ରାସ୍ତା ଓ ବିଜୁଳି ପୁନଃସଂଯୋଗ ପାଇଁ ଯୁଦ୍ଧକାଳୀନ ଉଦ୍ୟମ

Key Points

  • ବାତ୍ୟାର ସଫଳ ମୁକାବିଲା ପରେ ଏବେ ସମୟବଦ୍ଧ ସହାୟତା ଯୋଗାଇବା ଲକ୍ଷ୍ୟ
  • ଆକ୍ସନ୍ ମୋଡରେ ରାଜ୍ୟ ସରକାର
  • ରାସ୍ତା ଓ ବିଜୁଳି ପୁନଃସଂଯୋଗ ପାଇଁ ଯୁଦ୍ଧକାଳୀନ ଉଦ୍ୟମ
  • ଘର ଭାଙ୍ଗିଥିଲେ 15 ଦିନ ଭିତରେ ଆବାସ ଯୋଗାଣ
  • 7 ଦିନ ଯାଏଁ ରିଲିଫ ସେଣ୍ଟରରେ ଲୋକଙ୍କ ରହିବା ବ୍ୟବସ୍ଥା
  • କାର୍ଯ୍ୟରେ ଅବହେଳା ପାଇଁ ୪ ଅଧିକାରୀ ସସ୍‌ପେଣ୍ଡ

ଅର୍ଗସ ବ୍ୟୁରୋ : ପ୍ରଥମେ ପବନ ତା ପରେ ପାଣି। ବାତ୍ୟା ଦାନା ଜନିତ ପ୍ରାକୃତିକ ଦୁର୍ବିପାକ ଉପକୂଳବର୍ତ୍ତୀ ଜିଲ୍ଲାରେ ଲୋକଙ୍କ ହାଲ୍ ବେହାଲ୍ କରିଛି। ଉଭୟ ବାତ୍ୟା ଓ ବନ୍ୟାରେ ଲୋକଙ୍କ ଜୀବନ ଜୀବିକା ହୋଇଛି ପ୍ରଭାବିତ । ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା। ଏହି 3ଟି ଜିଲ୍ଲା ହୋଇଛି ସବୁଠାରୁ ବେଶୀ କ୍ଷତିଗ୍ରସ୍ତ । କେଉଁଠି ପବନରେ ଗଛ ପଡ଼ି ଘର ଭାଙ୍ଗିଛି ତ ବର୍ଷା ଓ ବନ୍ୟା ପାଣିରେ ନଷ୍ଟ ହୋଇଛି ଫସଲ। ଯଦିଓ ବାତ୍ୟାରେ ସରକାରଙ୍କ ଜିରୋ କାଜୁଆଲିଟି ମିଶନ ପୂରା ହୋଇଛି, କିନ୍ତୁ ଏବେ ବନ୍ୟା କବଳରୁ ଲୋକଙ୍କୁ ଉଦ୍ଧାର କରିବା, ସହାୟତା ଓ କ୍ଷତିପୂରଣ ଯୋଗାଇବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଏ ଦିଗରେ ଆକ୍ସନ୍ ମୋଡରେ କାମ କରୁଛନ୍ତି ରାଜ୍ୟ ସରକାର।

ବାତ୍ୟାର ସଫଳ ମୁକାବିଲା ପରେ ଏବେ ସରକାରଙ୍କ ଲକ୍ଷ୍ୟ ଲୋକଙ୍କୁ ସମୟବଦ୍ଧ ସହାୟତା ଯୋଗାଇବା। ପବନରେ ଗଛ ପଡ଼ିଥିବା ପ୍ରାୟ ସବୁ ସ୍ଥାନରେ ରାସ୍ତାରୁ ଅବରୋଧ ହଟାଯାଇ ଗମନାଗମନ ସ୍ବାଭିବିକ ହୋଇଛି। ପବନ ଓ ବର୍ଷାରେ 42 ଲକ୍ଷ 43 ହଜାର ଘରକୁ ବିଜୁଳି ସଂଯୋଗ ବାଧାପ୍ରାପ୍ତ ହୋଇଥିଲା। 25 ଲକ୍ଷରୁ ଅଧିକ ଲୋକଙ୍କୁ ବିଜୁଳି ସଂଯୋଗ ସରିଛି । ଆଜି ରାତି ସୁଦ୍ଧା ଶତ ପ୍ରତିଶତ ବିଜୁଳି ସଂଯୋଗ ହେବ । ପ୍ରାରମ୍ଭିକ ଆକଳନ ଅନୁସାରେ 1 ଲକ୍ଷ 99 ହଜାର 177 ଏକର ଚାଷ ଜମିରେ ଫସଲ ପ୍ରଭାବିତ ହୋଇଛି । ପ୍ରଭାବିତ ଲୋକଙ୍କ ପାଇଁ 7 ଦିନ ଯାଏଁ ରିଲିଫ ସେଣ୍ଟରରେ ରହିବା ପାଇଁ ବ୍ୟବସ୍ଥା କରିଛନ୍ତି ସରକାର ।

ଖରାପ ପାଗ ଯୋଗୁଁ ଆଜି ପ୍ରସ୍ତାବିତ ପ୍ରଭାବିତ ଅଂଚଳକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସ୍ଥଗିତ ରହିଛି । କିନ୍ତୁ ଭୁବନେଶ୍ବରରେ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କ୍ଷୟକ୍ଷତିର ଆକଳନ ପାଇଁ ନିଖୁଣ ସର୍ଭେ କରିବାକୁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ଓ 4 ବିଭାଗକୁ ନିର୍ଦ୍ଧେଶ ଦିଆଯାଇଛି। ଘର ଭାଙ୍ଗିଥିବା ଲୋକଙ୍କୁ 15 ଦିନ ଭିତରେ ଘର ଯୋଗାଣର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସର୍ଭେ ପାଇଁ କେନ୍ଦ୍ରୀୟ ଟିମ୍ ମଧ୍ୟ ଆସିବେ। ୭ଦିନ ଭିତରେ କେନ୍ଦ୍ରକୁ ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ପଠାଯିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଲୋକଙ୍କୁ ସହାୟତା, କ୍ଷତିପୂରଣ ଯୋଗାଣରେ କୌଣସି ଅବହେଳା ନ କରିବାକୁ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସରକାର। କାର୍ଯ୍ୟରେ ଅବହେଳା ପାଇଁ 3 ଜଣ ପିଇଓ ଏବଂ ଜଣେ ଆରଆଇଙ୍କୁ ନିଲମ୍ବନ କରାଯାଇଛି । ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେଉଁମାନେ ଖିଲାଫ କରୁଛନ୍ତି ସେମାନଙ୍କୁ କ୍ଷମା ନାହିଁ। ଭଲ କାମ ପାଇଁ ମଧ୍ୟ ପୁରସ୍କୃତ କରାଯିବ।

Sponsored
State Government in Action Mode; Wartime efforts to reconnect roads and electricity | Argus News