ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଜଳସେଚନ ଧୋକା

ଅର୍ଗସ ବ୍ୟୁରୋ: ମୁଣ୍ଡ ଉପରେ ଟାଇଁ ଟାଇଁ ଖରା । ପାଣି ଅପେକ୍ଷାରେ ମାଟି । ଜଳସେଚନ ବିଭାଗର ଦୋମୁହାଁ ନୀତି ଯୋଗୁଁ ଚାଷ ଜମିକୁ ପହଞ୍ଚିପାରୁନି ପାଣି । ହଜାର ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ସୁବର୍ଣ୍ଣରେଖା ବୃହତ ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି । ଉଦ୍ଦେଶ୍ୟ ଥିଲା, ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଏବଂ ବାରିପଦା ବ୍ଲକର ୪୮ଟି ଗାଁର ୫୫ ହଜାର ୬୦୦ ଚାଷୀ ଉପକୃତ ହେବେ ।ହେଲେ ଏହି ପ୍ରକଳ୍ପ ଅନ୍ତର୍ଗତ ହଳଦିଆ ଜଳଭଣ୍ଡାରର ଦକ୍ଷିଣ ପାର୍ଶ୍ବ କେନାଲରେ ପାଣି ଛଡା ଯାଇ ଥିବାବେଳେ ବାମ ପାର୍ଶ୍ବ କେନାଲରେ ପାଣି ଛଡାଯାଇନି । ଫଳରେ ବାମପାର୍ଶ୍ବ କେନାଲ ଉପରେ ନିର୍ଭର ଚାଷୀ ଚିନ୍ତାରେ । ପାଖାପାଖି ୧୦୦ ହେକ୍ଟର ଜମିରେ ରବି ଫସଲ ଏବେ ଉଜୁଡି ଯିବାକୁ ବସିଲାଣି । 8 ଦିନ ଭିତରେ ପାଣି ନଆସିଲେ ଋଣ ବୋଝରେ ବୁଡିଥିବା ଚାଷୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ।
ବନ୍ଧ ନିକଟରେ କେନାଲ୍ ଉପରେ ଏକ ପୋଲ ନିର୍ମାଣ ଚାଲିଛି । ଠିକାଦାର ପ୍ରୀତିରେ ପଡି ପାଣି ଛଡାଯାଉନଥିବା ଅଭିଯୋଗ ହୋଇଛି । ଏ ସଂପର୍କରେ ଆମେ କେନାଲ ଗେଟ୍ କିପରଙ୍କୁ ପଚାରିବାରୁ ତାଙ୍କୁ ଏସଡିଓ ପାଣି ଛାଡିବାକୁ ମନା କରିଥିବା ସେ ପ୍ରକାଶ କରିଛନ୍ତି । ସେପଟେ ଏସଡିଓଙ୍କ ପ୍ରତିକ୍ରିୟା ନେଇଥିଲୁ, ତାଙ୍କ କହିବା କଥା, କେନାଲ୍ ସେକ୍ସନ ଇଞ୍ଜିନିୟର ତାଙ୍କୁ ଲେଫ୍ଟ କେନାଲରେ ପାଣି ଛାଡିବାକୁ ମନା କରିଛନ୍ତି ।
ଗତ ଡିସେମ୍ବର ୨୧ରେ ସୁବର୍ଣ୍ଣରେଖା ପ୍ରକଳ୍ପ ଅନ୍ତର୍ଗତ "ହଳଦିଆ ବନ୍ଧକୁ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ବନ୍ଧର ପୁନଃର୍ନିର୍ମାଣ ଦ୍ବାରା ଜଳସେଚନ କ୍ଷମତା ୫୫୨୦ ହେକ୍ଟରକୁ ବୃଦ୍ଧି କରାଯାଇଛି । ହେଲେ ଚାଷ ଜମିକୁ ଟୋପେ ପାଣି ମାଡ଼ିଲାନି । ରାଜ୍ୟରେ 24 ବର୍ଷ ଧରି କ୍ଷମତାସୀନ ବିଜେଡି ସରକାରର ବିଫଳତା ଓ ଅପାରଗତା କାରଣରୁ ଦୁର୍ଦ୍ଦଶା ଭୋଗୁଛନ୍ତି ଚାଷୀ ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: