Videos
|
Odisha

Subarnarekha Flood / ବାରମ୍ବାର ବନ୍ୟା ବଢାଉଛି ଲୋକଙ୍କ ଦୁର୍ଦ୍ଦଶା, ସୁବର୍ଣ୍ଣରେଖା ବନ୍ୟା ନେଲା ଦୁଇଟି ଅମୁଲ୍ୟ ଜୀବନ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·3 min read
ବାରମ୍ବାର ବନ୍ୟା ବଢାଉଛି ଲୋକଙ୍କ ଦୁର୍ଦ୍ଦଶା, ସୁବର୍ଣ୍ଣରେଖା ବନ୍ୟା ନେଲା ଦୁଇଟି  ଅମୁଲ୍ୟ ଜୀବନ
Subarnarekha Flood

Key Points

ବନ୍ୟା ଜଳରେ ବୁଡି ଭୋଗରାଇ ଅଂଚଳର ଦୁଇଜଣଙ୍କ ମୃତ୍ୟୁ
ବାରମ୍ବାର ବନ୍ୟା ଲୋକଙ୍କ ଦୁର୍ଦ୍ଦଶା ବଢାଇଛି
ଉତ୍ତର ବାଲେଶ୍ବରରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି
କାଳ ସାଜିଛି ସୁବର୍ଣ୍ଣରେଖା ବନ୍ୟାଜଳ । ବଢିପାଣିରେ ଚାଲି ଯାଇଛି ଭୋଗରାଇ ଅଂଚଳର ଦୁଇଟି ଅମୂଲ୍ୟ ଜୀବନ । ବନ୍ୟାଜଳରେ ବୁଡ଼ି ନାଚିନ୍ଧl ଗାଁର ସନ୍ୟାସୀ ରାଜ ଏବଂ କୁଳିଦା ଗାଁର ସୁମତି ଜେନାଙ୍କ ମୃତ୍ୟୁ ହୋଇଛି । ଦୁଇ ଘଟଣାକୁ ନେଇ ଏବେ ଦୁଇ ଗାଁରେ ଶୋକାକୁଳ ପରିବେଶ । ବନ୍ୟାର ପାଣିରେ ଚାରିଆଡ଼େ ଜଳମଗ୍ନ । ଘରଦ୍ୱାରଠାରୁ ରାସ୍ତାଘାଟ, ସବୁଠି କେବଳ ପାଣି ଆଉ ପାଣି । ଆଉ ଏହି ବନ୍ୟାଜଳ ହିଁ ଦୁଇ ପରିବାରର ଆଖିରେ ଲୁହ ଦେଇଛି ।

କୁଳିଦା ଗାଁର ସୁମତି ଜେନା । ରାତିରେ ଘରଦ୍ୱାର ବନ୍ୟାଜଳରେ ବୁଡ଼ିଯାଇଥିବାରୁ ସୁମତି ତାଙ୍କ ପୁଅକୁ ଶୌଚ କରିବାକୁ ଡଙ୍ଗାରେ ନେଉଥିଲେ । କିନ୍ତୁ ଭାରସାମ୍ୟ ହରାଇ ପୁଅ ଖସି ପଡିବା ପରେ ତାଙ୍କ ଶାଶୁ ବନ୍ୟା ପାଣିରେ ଫସି ଯାଇଥିଲେ । ନିଜ ଜୀବନକୁ ବାଜି ଲଗାଇ ସୁମତି ପୁଅ ଓ ଶାଶୁଙ୍କୁ ସୁରକ୍ଷିତ ଉଦ୍ଧାର କରି ବନ୍ୟା ପାଣିରେ ବୁଡି ଯାଇଥିଲେ ।

ସେପଟେ କମର୍ଦ୍ଦା ଥାନା ନlଚିନ୍ଦା ଗ୍ରାମର ସନ୍ୟାସୀ ରାଜ ବିଲରେ ମାଛ ଧରିବା ପାଇଁ ଆଉ ଫେରି ନଥିଲେ । ବହୁ ଖୋଜାଖୋଜି ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ବନ୍ୟାପାଣି ଦୁଇଟି ପରିବାରର ଖୁସିକୁ ଉଜାଡି ଦେଇଛି।

ଭୋଗରାଇ ଅଂଚଳରେ ବନ୍ୟା ସ୍ଥିତି ଅତ୍ୟନ୍ତ ସଙ୍ଗୀନ୍ । ଯୁଆଡେ ଦେଖିବ ଖାଲି ପାଣି ଆଉ ପାଣି । ଲୋକମାନେ ଅଣ୍ଟାଏ ଉଚ୍ଚର ପାଣିରେ ଯାଆସ କରୁଛନ୍ତି । ରାସ୍ତାରେ ଚାଲୁଛି ଡଙ୍ଗା । ଏପରିକି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଆଣିବାକୁ ଡଙ୍ଗା ହିଁ ଏକମାତ୍ର ସାହାରା । ଭେଳାରେ ପାରି ହେଉଛନ୍ତି ଲୋକ । ଦୋକାନରେ ଥିବା ଜିନିଷ ପତ୍ର ଭାସୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ସୁବର୍ଣ୍ଣରେଖା ବନ୍ୟାପାଣି ଯୋଗୁଁ ବାଲିଆପାଳ ବ୍ଲକର ୯ ପଞ୍ଚାୟତ ୧୨୦ ଅଧିକ ଗାଁ ପ୍ରଭାବିତ ହୋଇଛି । ମୁଖ୍ୟ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଲୋକଙ୍କ ଯାତାୟତ ପାଇଁ ପ୍ରଶାସନ ପକ୍ଷରୁ ୯ ଟି ଏସଆରସି ବୋଟ୍, ୩ ଓଡ୍ରାଫ୍ ଟିମ୍ ଏବଂ ଅଗ୍ନିଶମ ବାହିନୀ ନିୟୋଜିତ କରାଯାଇଛି । ୬୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି, ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ରହିଛି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ୪ ଫୁଟର ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବାଲିଆପାଳ ନିକଟ ଭୁଆବନ୍ଧର ଆଉସା ଛକ ଓ ରଣକୋଠା ମଧ୍ୟରେ ଥିବା ସ୍ଲୁଇସ୍ ଗେଟର ଗୋଟିଏ ଫାଟକ ଭାଙ୍ଗିଯିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତବରଣ ସୃଷ୍ଟି ହୋଇଛି ।

ଅନ୍ୟପକ୍ଷରେ ବୈତରଣୀ ନଦୀରେ କମିଛି ଜଳସ୍ତର ମାତ୍ର ବଢିଛି ଲୋକଙ୍କ ଦୁର୍ଦ୍ଦଶା । ବୈତରଣୀ, କାଣୀ ନଦୀରେ ବନ୍ୟା ଆସିବା ଫଳରେ ଦଶରଥପୁର ବ୍ଳକର ୧୯ ଗ୍ରାମ ପଞ୍ଚାୟତର ୬୨ଟି ଗାଁ ପ୍ରଭାବିତ ହୋଇଛି । ପୂର୍ବ ବନ୍ୟାରେ ସୃଷ୍ଟି ହୋଇଥିବା ଘାଇ ମରାମତି କାର୍ଯ୍ୟ ସରି ନଥିବାରୁ ପୁଣି ନିର୍ମାଣଧୀନ ଘାଇ ବାଟେ ଗାଁକୁ ବନ୍ୟାପାଣି ମାଡି ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ଦଶରଥପୁର ବ୍ଲକରେ ବନ୍ୟା ପାଣି ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି ।

ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ନାଉବାଙ୍କ ନୂଆମାହାରା ନିକଟରେ ସୃଷ୍ଟି ହୋଇଥିବା ଘାଇ ଏବେ ବି ବିପଦ ସୃଷ୍ଟି କରୁଛି । ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇନଥିବାରୁ ବନ୍ୟା ଜଳ ଲଗାତାର ପ୍ରବେଶ କରୁଛି ଏବଂ ଅନେକ ଅଞ୍ଚଳ ଜଳମଗ୍ନ ରହିଛି ।

ସେପଟେ IMDର ଆକଳନ ଅନୁସାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ନାହିଁ । ରାଜଘାଟରେ ସୁବର୍ଣ୍ଣରେଖାର ଜଳସ୍ତର କମୁଛି । ଆଗାମୀ ଦିନେ ଦୁଇ ଦିନ ଭିତରେ ସବୁ ଅଂଚଳ ଜଳମୁକ୍ତ ହୋଇଯିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । କାଣୀ ନଈରେ ସୃଷ୍ଟି ହୋଇଥିବା ଘାଇ ୫ ଦିନ ଭିତରେ ମରାମତି ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରାଯାଉଛି ।