Videos
|
Odisha

North Odisha Flood / ଫୁଲୁଛି ସୁବର୍ଣ୍ଣରେଖା, ବୁଡ଼ୁଛି ଉତ୍ତର ଓଡ଼ିଶା...ବାରମ୍ବାର ବନ୍ୟାରେ ଭାଙ୍ଗୁଛି ଜନଜୀବନ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଫୁଲୁଛି ସୁବର୍ଣ୍ଣରେଖା, ବୁଡ଼ୁଛି ଉତ୍ତର ଓଡ଼ିଶା...ବାରମ୍ବାର ବନ୍ୟାରେ ଭାଙ୍ଗୁଛି ଜନଜୀବନ
North Odisha Flood

Key Points

ଫୁଲୁଛି ସୁବର୍ଣ୍ଣରେଖା, ବୁଡ଼ୁଛି ଉତ୍ତର ଓଡ଼ିଶା
ବାରମ୍ବାର ବନ୍ୟାରେ ଭାଙ୍ଗୁଛି ଜନଜୀବନ
ବାଲିଆପାଳ ଓ ଭୋଗରାଇର ୨୫ଟି ପଞ୍ଚାୟତ ଜଳବନ୍ଦୀ
ଉତ୍ତର ଓଡ଼ିଶା ପାଇଁ ଆଉ ଏକ ସଙ୍କଟ । ସୁବର୍ଣ୍ଣରେଖା ନଦୀରେ ପୁଣି ଥରେ ମାଡ଼ିଆସୁଛି ବନ୍ୟା । ଉପରମୁଣ୍ଡ ମୟୁରଭଞ୍ଜ ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖାର ଜଳସ୍ତର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଜାମଶୋଳାଠାରେ ବିପଦ ସଙ୍କେତ ୪୯.୧୬ ମିଟର ଥିବା ବେଳେ ଜଳସ୍ତର ୫୧.୭୪ ମିଟରରେ ପ୍ରବାହିତ ହେଉଛି । ସେହିପରି ରାଜଘାଟରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଜଳସ୍ତର ବଢ଼ି ୧୧.୫୯ ମିଟରରେ ପହଞ୍ଚିଛି । ଫଳରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ଭୋଗରାଇ, ବସ୍ତା ଓ ବାଲିଆପାଳ ବ୍ଲକର ଶହ ଶହ ଗାଁ ଜଳବନ୍ଦୀ ହୋଇପଡ଼ିଛି । ଏନେଇ ସତର୍କ କରିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।

ଗତ ୧୫ ଦିନ ଭିତରେ ଭୋଗରାଇ ଓ ବାଲିଆପାଳବାସୀ ୩-୩ଟି ବନ୍ୟାର ଦାଉ ସହିଲେଣି । ବାଲିଆପାଳ ବ୍ଲକର ୯ଟି ପଞ୍ଚାୟତର ୧୦୦ରୁ ଅଧିକ ଗାଁ ଜଳବନ୍ଦୀ ହୋଇଥିବା ବେଳେ ରାସ୍ତା ଉପରେ ୪ ଫୁଟ୍‌ର ବନ୍ୟା ପାଣି ଚାଲୁଛି । ରୂଆ ଯାଇଥିବା ଧାନ ତଳି ଓ ଆସବାବପତ୍ର ସବୁ ପାଣିରେ ଭିଜି ନଷ୍ଟ ହୋଇଯାଇଛି । ଲୋକେ ଗୃହପାଳିତ ପଶୁଙ୍କୁ ଧରି ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ବାଲେଶ୍ୱର ଜିଲ୍ଲାପାଳ, ବିଡିଓ, ତହସିଲଦାର ଓ ଓଡ୍ରାଫ୍ ଟିମ୍‌ ସହ ମଣୁନଗର ଓ ଅନ୍ୟ ବନ୍ୟାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏସଆରସିଙ୍କ ପକ୍ଷରୁ ୯ଟି ବୋଟ୍ ଓ NDRF/ODRAF ଟିମ୍ ନିୟୋଜିତ ହୋଇଛନ୍ତି ।

ବାଲେଶ୍ବର ଜିଲ୍ଲାର ବାଲିଆପାଳ ଏବଂ ଭୋଗରାଇ ଦୁଇଟି ବ୍ଲକର ୨୫ଟି ପଞ୍ଚାୟତ ବନ୍ୟା ଘେରରେ ଅଛନ୍ତି । ପ୍ରଶାସନ ଗ୍ରାଉଣ୍ଡ ଜିରୋରେ ବିପନ୍ନଙ୍କୁ ସହାୟତା କରୁଥିବା କହିଛନ୍ତି ।

କେବଳ ସୁବର୍ଣ୍ଣରେଖା ନୁହେଁ, ବୈତରଣୀ ଓ ତା'ର ଶାଖା ନଦୀ କାଣୀର ବନ୍ୟା ଜଳ ଯାଜପୁର ଓ ଭଦ୍ରକରେ ସ୍ଥିତି ସଙ୍ଗୀନ କରିଛି । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ତରପଦା ପଞ୍ଚାୟତ ଡୋଭାବିଲଠାରେ କାଣୀନଦୀ ବନ୍ଧରେ ହୋଇଥିବା ଘାଇ ଦେଇ ପୁଣି ବନ୍ୟା ପାଣି ଗାଁରେ ପଶିଛି । ୧୯ଟି ପଞ୍ଚାୟତର ୬୨ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ୧୦୦ରୁ ଉର୍ଦ୍ଧ୍ୱ ପରିବାର ମାସେ ହେବ ନଦୀବନ୍ଧ ଉପରେ ପାଲ ତଳେ ଜୀବନ ବିତାଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ଭଦ୍ରକ ଆଖୁଆପଦାଠାରେ ବୈତରଣୀ ବିପଦ ସଙ୍କେତ ନିକଟରେ ପ୍ରବାହିତ ହେଉଛି । ବୋଡକ ନିକଟରେ ୨୦ ନମ୍ବର ଜାତୀୟ ରାଜପଥର ୧୦୦ ଫୁଟର କଂକ୍ରିଟ୍ ରାସ୍ତା ପୁଣି ଥରେ ଧୋଇଯିବାରୁ ଚାନ୍ଦବାଲି ବ୍ଲକର ଆରଡ଼ି, ଓଳଗ, ସୁନ୍ଦରପୁର ଓ ନାନ୍ଦପୁର ପଞ୍ଚାୟତର ୨୪ଟି ଗାଁ ଜଳବନ୍ଦୀ ହୋଇପଡ଼ିଛି । ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ପୁରୁଣାପାଣି, ସିନ୍ଦୁରଗୌରୀ ଓ ବଡ଼ଗାଁରେ ଲଗାଣ ବର୍ଷାରେ ଅନେକ ମାଟିଘର ଭୁଶୁଡ଼ି ପଡ଼ିବାରୁ ସେମାନେ ଏବେ ବେସାହାରା ହୋଇପଡ଼ିଛନ୍ତି ।

ଲଗାଣ ବର୍ଷା ଯୋଗୁଁ ମୟୁରଭଞ୍ଜ ରାଇରଙ୍ଗପୁରର ବିଭିନ୍ନ ଗାଁରେ ଭୁଶୁଡ଼ିଛି ଅନେକ ଘର । କେତେକ ପରିବାରଙ୍କୁ ବ୍ଲକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ତୁରନ୍ତ କ୍ଷୟକ୍ଷତି ଆକଳନ କରି ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ଓ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ପ୍ରଶାସନ ନିକଟରେ ଦାବି କରାଯାଇଛି ।
Subarnarekha River Swells, Flood Crisis Deepens in North Odisha | Argus News