Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଖଣିଜ ସଂପଦରେ ଭରପୁର ସୁକିନ୍ଦାର ନଗଡାରେ ଭୋକର କରୁଣ ଚିତ୍ର

Odisha

ଖଣିଜ ସଂପଦରେ ଭରପୁର ସୁକିନ୍ଦାର ନଗଡାରେ ଭୋକର କରୁଣ ଚିତ୍ର

Ritu Das
Browse all articles by Ritu Das
·2 years ago·2 min read
ଖଣିଜ ସଂପଦରେ ଭରପୁର ସୁକିନ୍ଦାର ନଗଡାରେ ଭୋକର କରୁଣ ଚିତ୍ର

ଅର୍ଗସ ବ୍ୟୁରୋ: ଧେତ୍ ! ତମେ ଅସହାୟତାର ପାଦ ପିନ୍ଧିବା କଥା ମିଛ। ଭାତର ଆଉ ଚାକୁଣ୍ଡା ଶାଗର ମହମହ ବାସ୍ନା ଭିତରେ ଅପପୁଷ୍ଟିର ହାତ ଧରି ଶ୍ମଶାନକୁ ଯିବା ଖବର ବି ମିଛ। ତମେ ବିକଳ ବାହୁରେ କାନ୍ଦଣାର ବୋଝ ବୋହିବା ମିଛ । ତମ ଲୁହ କି ଲହୁ, କେବେ କାହାକୁ ଦିଶିଛି ନା ଦିଶିବ ? ଭୋକର ଭୂଗୋଳ, ଅପପୁଷ୍ଟିର ଇଲାକା, ଶିଶୁମୃତ୍ୟୁର ରାଜଧାନୀରେ ଯାର ଘର, ସେଠି ମମତାର ଫୁଲଗଛ ମରିଗଲେ କାହାର ଯାଏ କେତେ ନା ଆସେ କେତେ ? ଆରେ ନେଡ଼ିରେ ଗୁଡ଼ ଥିଲା ସିନା କହୁଣିକୁ ବୋହିଗଲା ବୋଲି ସେମାନେ ଚିନ୍ତା କରିବେ । ବଡ଼ବଡ଼ ଗାଡ଼ିଘୋଡ଼ା ସାଙ୍ଗକୁ ବିଳାସ ବ୍ୟସନପେ ବଞ୍ଚୁଥିବା ଲୋକେ କଣ କେବେ ଅନୁଭବ କରିପାରିବେ ପାହାଡ଼ର ଛାତି କେଉଁ ପଥରରେ ଗଢ଼ା ? ତେଣୁ ତମମାନଙ୍କର ଆବାହନର ଅହଂକାର ବିସର୍ଜନର ହାହାକାରରେ ହିଁ ସରିବା ଶେଷକଥା। 

ଖଣିଜ ସଂପଦରେ ଭରପୁର ସୁକିନ୍ଦାର ନଗଡାରେ ଭୋକର କରୁଣ ଚିତ୍ର । ତଳନଗଡା, ଉପରନଗଡା, ତୁମୁଣି, ତଳଡିହ, ଗୋଇହାଶାଳ, ସବୁଠି ଅପପୁଷ୍ଟିର ଚିହ୍ନ। ଖାଇବାକୁ ନ ପାଇ ଯାଉଛି ଗୋଟିଏ ପରେ ଗୋଟିଏ ପିଲାଙ୍କ ଜୀବନ। ଆଉ ବିକାଶର ମିଛ ଦମ୍ଭୋକ୍ତି ବାଢୁଛନ୍ତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରିତିରଂଜନ ଘଡେଇ । 
ଯାଜପୁର ସୁକିନ୍ଦା ନଗଡାରେ ପୁଣି 2016ର ସ୍ଥିତି। ଗତବର୍ଷ ତଳଡିହ ପରେ ଏବେ ତଳଡନଗଡାରେ 2 ମାସ ଭିତରେ ଅପପୁଷ୍ଟିରେ ଗଲାଣି 2 ଜଣଙ୍କ ଜୀବନ। ତଳନଗଡାର ଗାଲେ ଓ ମଙ୍ଗ ନାମକ ଦୁଇ ଶିଶୁ ଅପପୁଷ୍ଟିର ଶିକାର ହୋଇଥିଲେ। ଖବର ପାଇ ସୁକିନ୍ଦା ସ୍ବାସ୍ଥ୍ୟ ବିଭାଗ ଟିମ୍ ଯାଇ ସ୍ଥିତି ପରଖିଲା, ହେଲେ କିଛି ଲାଭ ହେଲାନାହିଁ। ପୁଷ୍ଟିହୀନତାର ଶିକାର ପରେ ଚାଲିଗଲା ଛୋଟ ପିଲାର ଜୀବନ । ତଳଡିହ, ତୁମୁଣି ଭଳି ଅପହଞ୍ଚ ଇଲାକାରେ ଭୋକରର ରାଜୁତି। ଖାଇବା କହିଲେ ଭାତ, ଲୁଣ, ଚାକୁଣ୍ଡା ଶାଗ, ଜଙ୍ଗଲି ଆଳୁ।

2016ରେ ନଗଡାରେ ଅପପୁଷ୍ଟିରେ ଯାଇଥିଲା 19 ଶିଶୁଙ୍କ ଜୀବନ। ନିନ୍ଦିତ ହେଲା ପରେ ସରକାର ବନାଇଲେ ଯୋଜନା। ହେଲେ କେବଳ କାଗଜକଲମରେ। 
ନ୍ୟାସନାଲ୍ ଫ୍ୟାମିଲି ହେଲଥ ସର୍ଭେ ଅନୁସାରେ, ରାଜ୍ୟରେ 10.7 ଲକ୍ଷ ପିଲା ବୟସ ତୁଳନାରେ ଗେଡା ହୋଇଥିବା ବେଳେ 5.13 ଲକ୍ଷ ପିଲା ଉଚ୍ଚତା  ତୁଳନାରେ ଅଧିକ ପତଳା। 10.8 ଲକ୍ଷ ଶିଶୁଙ୍କର ବୟସ ତୁଳନାରେ ଓଜନ କମ୍। ଆଶ୍ଚର୍ଯ୍ୟକର କଥା, ଓଡ଼ିଶାରେ ଥିବା ଗେଡା ପିଲା ସଂଖ୍ୟା ଉଗାଣ୍ଡା ସହ ସମାନ । ଯାଜପୁର ଜିଲ୍ଲାରେ ପାଖାପାଖି 3 ପ୍ରତିଶତ ପିଲା ଅପପୁଷ୍ଟିର ଶିକାର । ପୂର୍ବରୁ ଅପପୁଷ୍ଚିକୁ ନେଇ ରାଜ୍ୟପାଳ ଚିନ୍ତା ପ୍ରକଟ କରିଥିବ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତବର୍ଷ ମେ ମାସରେ ଯାଜପୁର ଜିଲ୍ଲାରେ ଅପପୁଷ୍ଟିକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଥିଲେ। 2023 ସୁଦ୍ଧା ଅପପୁଷ୍ଟି ଦୂର ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ବି ଦେଇଥିଲେ। ସରକାରଙ୍କ ସମୀକ୍ଷା ବୈଠକ ବସିଲା। ଅପପୁଷ୍ଟି ଶିକାର ପିଲା ଚିହ୍ନଟ ହେବେ, ସେମାନଙ୍କ ଘରକୁ ଯାଇ ଚିକିତ୍ସା ଯୋଗାଇ ଦିଆଯିବ, ବିନା ଆଧାରରେ ବି 3 ମାସ ପର୍ଯ୍ୟନ୍ତ ରାସନ ମିଳିବ, ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ ହେବ ପ୍ରମୁଖ। ହେଲେ ସବୁ କେବଳ ଯୋଜନାରେ ହିଁ ରହିଗଲା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
Sukinda is full | Argus News