ଖଣି ରାଜସ୍ବ ଓ ଟାକ୍ସକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ଭୁବନେଶ୍ୱର: ଖଣି ମାଲିକଙ୍କୁ ବଡ଼ ଜୋରିମାନା । ଖଣି ରାଜସ୍ବ ଓ ଟ୍ୟାକ୍ସକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଓଡ଼ିଶାକୁ ମିଳିପାରେ ପ୍ରାୟ ଲକ୍ଷେ କୋଟିର ରାଜସ୍ବ । 2005ରୁ ପିଛିଲା ଭାବେ ରାଜ୍ୟମାନେ ଆଦାୟ କରିବେ ଖଣି ଟିକସ । ପିଛିଲା ଟିକସ ଲାଗୁ ପାଇଁ ଯୁକ୍ତି ବାଢିଥିଲେ ଆଡଭୋକେଟ୍ ଜେନେରାଲ । ଆଡଭୋକେଟ୍ ଜେନେରାଲଙ୍କ ସୂଚନା-9 ଜିଲ୍ଲା ହେବେ ଲାଭବାନ୍ ।
ଖଣି ରାଜସ୍ବ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ଖଣି ଖାଦାନରେ ଭରପୁର ରାଜ୍ୟଗୁଡିକ ଖଣି ଲିଜଧାରୀଙ୍କ ଉପରେ ବାକି ରହିଥିବା ଟିକସ ଓ ରୟାଲିଟି ବାବଦ ଅର୍ଥକୁ ପିଛିଲା ଭାବେ ଆଦାୟ କରିପାରିବେ । ଏପ୍ରିଲ 1, 2005ରୁ ଏହି ଅର୍ଥ ଖଣି ମାଲିକଙ୍କ ଠାରୁ ଆଦାୟ କରିବା ପାଇଁ କହିଛନ୍ତି ସୁପ୍ରିମକୋର୍ଟ । 9 ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଖଣି ଲିଜଧାରୀଙ୍କ ଉପରେ ବକେୟା ରହିଥିବା ଟିକସ ଓ ରୟାଲିଟି ବାବଦ ଅର୍ଥ ଆଗାମୀ 12ବର୍ଷ ମଧ୍ୟରେ ପଇଠ କରିବେ । ଏପ୍ରିଲ 1 2026ରୁ ଏହି ବକେୟା ଅର୍ଥରାଶି ଦେବା ପ୍ରକ୍ରିୟା ଆରମ୍ଭ ହେବ । ଜୁଲାଇ 25 ତାରିଖରେ ଆସିଥିବା ରାୟକୁ ଏହି 9 ଜଣିଆ ଖଣ୍ଡପୀଠ ଡିସମିସ କରିଛନ୍ତି ।
ପିଛିଲା ଖଣି ରାଜସ୍ବ ଭାବେ ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ ନିଜେ ଆଡଭୋକେଟ୍ ଜେନେରାଲ୍ ପିତାମ୍ବର ଆଚାର୍ଯ୍ୟ। ଜୁଲାଇ 25 ତାରିଖରେ 9ଜଣିଆ ଖଣ୍ଡପୀଠ ଦେଇଥିବା ରାୟରେ କୁହାଯାଇଥିଲା ଯେ ସମ୍ବିଧାନ ଅନ୍ତର୍ଗତ ରାଜ୍ୟ ସରକାରଙ୍କର କ୍ଷମତା ଅଛି ଖଣି ମାଲିକଙ୍କ ଉପରେ କର ବସାଇବା ପାଇଁ । ଏହା ମଧ୍ୟ କୁହାଯାଇଥିଲା ଉତ୍ତୋଳନ ହୋଇଥିବା ଖଣିଜ ଉପରେ ରୟାଲିଟି ଆଦାୟ ଟିକସ ନୁହେଁ । ରାଜ୍ୟରେ ଖଣି ମାଲିକମାନେ ବଡ ଜୋରିମାନା ଦେବେ । ପିଛିଲା ଭାବେ 2005 ଏପ୍ରିଲ 1 ତାରିଖରୁ ଥଣ୍ଡ ଗଣିବେ । ଏହା ଦ୍ବାରା ଓଡିଶା ରାଜସ୍ବକୁ ଲକ୍ଷେ କୋଟି ଟଙ୍କା ମିିଳିବ । ଯେଉଁ ଅର୍ଥରାଶିରେ 9 ଜିଲ୍ଲା ହେବେ ଲାଭବାନ। ସଠିକ ଭାବେ ଟଙ୍କା ଖର୍ଚ୍ଚ ହେଲେ 9 ଆଦିବାସୀ ପ୍ରବଣ ଜିଲ୍ଲାର ସର୍ବନିମ୍ନ ଆବଶ୍ୟକତାରେ ରହିବନି ଅଭାବ । ରାସ୍ତା, ପକ୍କା ଘର, ମେଡିକାଲ ଓ ପୁଷ୍ଟି ପାଇଁ ଖର୍ଚ୍ଚ ହେବ ଏହି ଟଙ୍କା। ଯାହାକୁ ନେଇ ଉତ୍ସାହିତ ସାଧାରଣ ଲୋକ। ଏବେ ପ୍ରଶ୍ନ ଖଣି ମାଫିଆଙ୍କୁ କିଏ ଦେଖାଇଥିଲା ଅନୁକମ୍ପା । କାହିଁକି ରୟାଲିଟି ଏବଂ ଟିକସ ବାବଦ ଅର୍ଥ ଆଦାୟ ହୋଇପାରିନଥିଲା ଖଣି ମାଫିଆଙ୍କ ଠାରୁ ।
ଅଧିକ ପଢନ୍ତୁ ଓଡିଶା ଖବର