ସୀମାନ୍ତରେ ୧୦ ଲକ୍ଷ ଇନାମି ମାଓ ଦମ୍ପତିଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ଦୁଇ କୁଖ୍ୟାତ ମାଓ ଦମ୍ପତି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହି ଦୁଇ ମାଓବାଦୀଙ୍କ ନାମରେ ମୋଟ ୧୦ ଲକ୍ଷ ଟଙ୍କାର ଇନାମ ରହିଥିବା ବେଳେ ଏମାନେ ମାଓ ସଙ୍ଗଠନରେ ରହି ଅନେକ ହିଂସାକାଣ୍ଡରେ ଜଡିତ ଥିଲେ । ତେବେ ଏମାନାଙ୍କ ଆତ୍ମସମର୍ପଣ ମାଓ ସଙ୍ଗଠନ ପାଇଁ ଏକ ଶକ୍ତ ଝଟକା ହୋଇଥିବା ବେଳେ ପୋଲିସ ପାଇଁ ଏକ ବଡ ସଫଳତା ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡର ଧମତରୀ ଜିଲ୍ଲାରେ ପୋଲିସକୁ ଏକ ବଡ ସଫଳତା ମିଳିଛି । ଛତିଶଗଡ ସରକାରଙ୍କ ପୁନର୍ବାସ ନୀତି ଦ୍ୱାରା ପ୍ରଭାବିତ ହୋଇ ଏବଂ ମାଓ ସଙ୍ଗଠନ ନିଜର ନୀତି ଆଦର୍ଶ ହରାଇ ଦୁର୍ବଳ ହେଉଥିବାରୁ ସଙ୍ଗଠନ ଛାଡି ଦୁଇ କୁଖ୍ୟାତ ମାଓବାଦୀ ତଥା ମାଓ ଦମ୍ପତି ଟିକେଶ୍ୱର ଭାଟି ଓ ମହିଳା ମାଓବାଦୀ ପ୍ରମିଳା ଓରଫ ଗଣେଶୀ ନେତମ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ଅଧିକ ପଢନ୍ତୁ : ପୁଣି ମାତିଲେଣି ମାଓବାଦୀ : ପିଟିପିଟି ଛାତ୍ରଙ୍କୁ ମାରିଦେଲେ
ଏମାନେ ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନରେ କାର୍ଯ୍ୟ କରି ଆସୁଥିବା ବେଳେ ଟିକେଶ୍ଵର ମାଓ ସଙ୍ଗଠନର ଏଲଓଏସ କ୍ୟାଡର ମାଓବାଦୀ ଏବଂ ପ୍ରମିଳା ଏସିଏମ୍ ସଦସ୍ୟା ଭାବେ କାର୍ଯ୍ୟ କରୁଥିଲେ । ଏମାନେ ଉଭୟ ଅନେକ ମାଓ ହିଂସାକାଣ୍ଡର ନେତୃତ୍ଵ ନେଇଥିବା ବେଳେ ଉଭୟ ଅନେକ ହତ୍ୟାକାଣ୍ଡ, ଆଇଡି ବିସ୍ଫୋରଣ, ପୋଲିସ ଉପରକୁ ଆକ୍ରମଣ ଭଳି ଘଟଣାରେ ସାମିଲ ରହିଥିଲେ । ତେବେ ଟିକେଶ୍ଵରଙ୍କ ବିରୋଧରେ ମୋଟ ୩୨ ଟି ମାମଲା ଏବଂ ପ୍ରମିଳାଙ୍କ ବିରୋଧରେ ମୋଟ ୧୪ ଟି ଅପରାଧିକ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି । ଉଭୟ ସ୍ଵାମୀ ସ୍ତ୍ରୀ ହୋଇଥିବା ବେଳେ ବର୍ତ୍ତମାନ ମାଓ ସଙ୍ଗଠନର ଚିନ୍ତାଧାରା ବଦଳି ଯାଇଥିବା ସହ ଆଚରଣରେ ପରିବର୍ତ୍ତନ ଆସିଛି ଏବଂ ମହିଳା ମାଓବାଦୀଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ନେଇ ପୋଲିସ ନିକଟରେ ଉଭୟ ପ୍ରକାଶ କରିଛନ୍ତି । ତେବେ ଉଭୟ ଧମତରୀଏସପି ଅଞ୍ଜାନେୟ ଭାରଶନି ଏବଂ ଅତିରିକ୍ତ ଏସପି ସୁଶୀଲ କୁମାର ନାୟକଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ସେମାନଙ୍କୁ ସରକାରୀ ନୀତି ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।