AI based teaching / ଫୋକସରେ ଟେକ୍ନୋଲୋଜି ଶିକ୍ଷା: ସାରାଦେଶରେ AI ଟୁଲ୍ ମାଧ୍ୟମରେ ହେବ ପାଠପଢା

Key Points
ଫୋକସରେ ଟେକ୍ନୋଲୋଜି ଶିକ୍ଷା ।
ସାରାଦେଶରେ AI ଟୁଲ୍ ମାଧ୍ୟମରେ ହେବ ପାଠପଢା ।
ଓଡ଼ିଶା ଖବର: ଭବିଷ୍ୟତର ଶିକ୍ଷାଦାନ ଉପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫୋକସ । ଆଜି ଅନୁଗୋଳ ଜିଲ୍ଲାରେ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ଵର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ୧୧୮ ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଯୋଗଦେଇ AI ଟୁଲ୍ ମାଧ୍ୟମରେ ପାଠପଢାକୁ ଦେଇଥିଲେ ଗୁରୁତ୍ବ । ଏହାସହ 170 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରାଯାଇଥିଲା ।
ଦେଶରେ ଶିକ୍ଷାକ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ନେଇ ଏଭଳି ମତ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ଵର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ୧୧୮ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ଅବସରରେ ପାଲଲହଡା ନିର୍ବାଚନ ମଣ୍ଡଳୀର ପବିତ୍ର ନଗର ଠାରେ ଆୟୋଜିତ ସମାରୋହରେ ଯୋଗ ଦେଇଥିଲେ ରାଜ୍ୟପାଳ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।
ଏହି ଅବସରରେ ପବିତ୍ର ମୋହନ ସ୍ମୃତି ପୀଠ ଉଦଘାଟନ ସହ ପ୍ରତିମୂର୍ତ୍ତି ଉନ୍ମୋଚନ କରି ଉଭୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାସହ ପ୍ରାୟ ୧୭୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରାଯାଇଥିଲା । ପାଲଲହଡ଼ା ନିର୍ବାଚନମଣ୍ଡଳୀ ପାଇଁ ପ୍ରାୟ ୧୫୩ କୋଟି ଟଙ୍କାର ୨୬ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ ଏବଂ ୧୬ କୋଟି ଟଙ୍କାର ୬ଟି ପ୍ରକଳ୍ପର ଉଦଘାଟନ କରାଯାଇଛି ।
ପବିତ୍ର ମୋହନଙ୍କ ସ୍ମୃତିକୁ ସମ୍ମାନ ଜଣାଇ ପବିତ୍ରନଗର ଠାରେ ୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ସ୍ମୃତି ପୀଠ ଜନସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ ହୋଇଛି । ଖମାର ଠାରେ ୧୧ କୋଟି ଟଙ୍କାର ସିଏଚସି ଭବନ ଏବଂ ପବିତ୍ରନଗର ଓ ବିରୁ ଠାରେ ପିଏଚସି କୋଠାର ଉଦଘାଟନ ହୋଇଛି ।
ପବିତ୍ରନଗର ଡିଗ୍ରୀ କଲେଜରେ ୩.୬୦ କୋଟି ଟଙ୍କା ବ୍ୟୟରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଏବଂ ପବିତ୍ରନଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି । ଗମନାଗମନ ସୁବିଧା ପାଇଁ ସମାକୋଇ ନଦୀ ଉପରେ ୩୦ କୋଟି ଟଙ୍କାରେ ହାଇଲେଭଲ ବ୍ରିଜ୍ ଏବଂ ୨୧.୮୭ କୋଟି ଟଙ୍କା ବ୍ୟୟରେ ଜାତୀୟ ରାଜପଥ-୬ରୁ ଜମାରଡିହି ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ପାଲଲହଡ଼ାଠାରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ପୋର୍ଟସ କମ୍ପ୍ଲେକ୍ସ ଏବଂ ପବିତ୍ରନଗରରେ କଲ୍ୟାଣ ମଣ୍ଡପର ନିର୍ମାଣ ପାଇଁ ମଧ୍ୟ ଶିଳାନ୍ୟାସ ପଡିଛି ।
ପଢ଼ନ୍ତୁ ଏହି ଖବର: ବଜେଟରେ ରହିଛି ବିକଶିତ ଭାରତର ଛବି, ରାଜ୍ୟବାସୀଙ୍କ ଆଗରେ ଉପସ୍ଥାପନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଅନୁଗୋଳ ଜିଲ୍ଲା କଣିହାଁ ସ୍ଥିତ ପି.ଏମ. ଶ୍ରୀ ପବିତ୍ର ମୋହନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 'ପ୍ଲାଟିନମ୍ ଜୁବିଲି'ରେ ଯୋଗଦେଇଥିଲେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ବିଦ୍ୟାଳୟର ସ୍ମରଣିକା ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନୀ ଉପରେ ଆଧାରିତ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା ।
ନୂଆ ସରକାର ବୀର ପବିତ୍ର ମୋହନ ପ୍ରଧାନଙ୍କ ପ୍ରତି ଯେଉଁ ସମ୍ମାନ ଦେଖାଇଛନ୍ତି ସେଥିପାଇଁ ଅଞ୍ଚଳବାସୀ ବେଶ ଖୁସୀ ବ୍ୟକ୍ତ କରିଛନ୍ତି । ପାଠର କୌଣସି ବିକଳ୍ପ ନାହିଁ, ପିଲାଙ୍କୁ ଶିକ୍ଷିତ ହୋଇ ଆଗକୁ ବଢ଼ିବାକୁ ହେବ ବୋଲି ସମସ୍ତଙ୍କୁ ପ୍ରେରଣା ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ।
📱 Get Argus News App
✨Related Topics
Explore more stories