ଶେଷ ହେଲା ଦେଶ ସୁରକ୍ଷାକୁ ନେଇ ୩ ଦିନିଆ ଡିଜି/ଆଇଜି ସମ୍ମିଳନୀ

Key Points
- ଶେଷ ହେଲା ଦେଶ ସୁରକ୍ଷାକୁ ନେଇ ୩ ଦିନିଆ ଡିଜି/ଆଇଜି ସମ୍ମିଳନୀ
- ବୈଠକ ସାରି ଦିଲ୍ଲୀ ଫେରିଗଲେ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ
- ପୋଲିସ ବ୍ୟବସ୍ଥା ଓ ସୁରକ୍ଷା ସମ୍ପର୍କରେ ହେଲା ବ୍ୟାପକ ଆଲୋଚନା
- ବୈଠକ ଫଳପ୍ରଦ ହୋଇଥିବା ନେଇ ପ୍ରଧାନମନ୍ତ୍ରୀ ଦେଇଛନ୍ତି ସୂଚନା
- ୨୦୨୬ ସୁଦ୍ଧା ଭାରତରୁ ମାଓବାଦ ଅନ୍ତ ପାଇଁ ପ୍ରସ୍ତୁତ ହେଲା ରଣନୀତି
- ନୂଆ ପୋଲିସ ଆଇନ ଅନୁଯାୟୀ ତଦନ୍ତ ଉପରେ ଦିଆଯାଇଛି ଜୋର
- ଡ୍ରଗ୍ସ କଣ୍ଟ୍ରୋଲ ଓ ସାଇବାର ଅପରାଧ ନେଇ ବ୍ୟାପକ ମାନସମନ୍ଥନ
- NIA ଓ CBI ର କାର୍ଯ୍ୟଧାରା ନେଇ ବି ମିଳିଛି ଦିଗଦର୍ଶନ
ଅର୍ଗସ ବ୍ୟୁରୋ : ଭୁବନେଶ୍ବର ଲୋକସେବା ଭବନରେ ଚାଲିଥିବା ତିନି ଦିନିଆ ସର୍ବ ଭାରତୀୟ ଡିଜି, ଆଇଜି ସମ୍ମିଳନୀ ଉଦଯାପନ ହୋଇଛି। ଦେଶର ଶୀର୍ଷ ପୋଲିସ ପଦାଧୀକାରୀ ଓ ଜାତୀୟ ସୁରକ୍ଷା ଏଜେନ୍ସୀଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ। ଦେଶ ସୁରକ୍ଷା ନେଇ ପ୍ରସ୍ତୁତ ହୋଇଛି ରୋଡ଼ ମ୍ୟାପ। ନକ୍ସଲ ଦମନ ପାଇଁ ତିଆରି ହୋଇଛି ରଣନୀତି। ନୂଆ ପୋଲିସ ଆଇନରେ ତଦନ୍ତ ପକ୍ରିୟା ନେଇ ହୋଇଛି ବ୍ୟାପକ ମାନସମନ୍ଥନ। ସମ୍ମିଳନୀର ଅନ୍ତିମ ଦିନରେ ଅନ୍ତର୍ଜାତୀୟ ଡ୍ରଗ୍ସ ସ୍ମଗଲିଙ୍ଗ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଦେଶକୁ ଗଳା ବାଟ ଦେଇ କୋଟି କୋଟି ଟଙ୍କାର ହେରୋଇନ, ବ୍ରାଉନସୁଗର ଆସୁଛି ତାକୁ ରୋକିବା ଉପରେ ସମ୍ମିଳନୀରେ ଦିଆଯାଇଛି ଜୋର। ସେହିପରି ଚୀନ୍, ନାଇଜେରିଆରେ ବସି ଭାରତରୁ ପ୍ରତିଦିନ କୋଟି କୋଟି ଟଙ୍କା ଲୁଟୁ ଥିବା ସାଇବର ଠକଙ୍କ ଉପରେ କିପରି ଅଙ୍କୁଶ ଲଗାଯାଇପାରିବ ସେ ଦିଗରେ ବି କରାଯାଇଛି ଆଲୋଚନା
ସେହିପରି ନୂଆ ପୋଲିସ ଆଇନ ଆଧାରରେ କିଭଳି ତଦନ୍ତ କରାଯିବ ସେନେଇ ସମ୍ମିଳନୀରେ ମାନସମନ୍ଥନ ହୋଇଛି। NIA, ସିବିଆଇ ଭଳି ସଂସ୍ଥା ନୂଆ ପୋଲିସ ଆଇନ ଅନୁସାରେ କେମିତି କାମ କରିବେ ସେନେଇ ମଧ୍ୟ ଆଲୋଚନା ହୋଇଛି। ଆଗାମୀ ବର୍ଷରେ ଦେଶପାଈଁ କଣ ଆହ୍ବାନ ରହିଛି ସେନେଇ ସମସ୍ତ ପୋଲିସ ଅଧିକାରୀଙ୍କୁ ଟାସ୍କ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଡିଜିପି ଓ ଆଇଜିପି ମାନେ ନିଜ ରାଜ୍ୟକୁ ଫେରିବା ପରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି କାମକରିବାକୁ କୁହାଯାଇଛି।
ପ୍ରଥମଥର ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ଯୋଗଦେଇ ଦେଶ ସୁରକ୍ଷାର ସବୁ ଦିଗକୁ ନେଇ ଆଲୋଚନା କରିଛନ୍ତି। ପରେ କଡା ସୁରକ୍ଷା ଭିତରେ ଦିଲ୍ଲୀ ଫେରି ଯାଇଛନ୍ତି ଦେଶର ଏହି ତିନି ଟପ ଲିଡର।