Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପହିଲି ଶୀତରେ ମଙ୍ଗଳାଯୋଡିରେ ବିଦେଶୀ ପକ୍ଷୀଙ୍କ ଆଗମନ

Ritu Das
Browse all articles by Ritu Das
·2 years ago·2 min read
ପହିଲି ଶୀତରେ ମଙ୍ଗଳାଯୋଡିରେ ବିଦେଶୀ ପକ୍ଷୀଙ୍କ ଆଗମନ

ଅର୍ଗସ ବ୍ୟୁରୋ: ଶୀତଦିନ ଆସିଲେ ଚିଲିକା କଥା ନିଶ୍ଚିତ ମନେପଡ଼େ। ପକ୍ଷୀମାନଙ୍କ ରାବ ସହ ଚିଲିକାର ନୀଳ ଜଳରାଶି ଏବଂ ଅସ୍ତଗାମୀ ସୂର୍ଯ୍ୟଙ୍କ କିରଣ ସତରେ ହୃଦୟକୁ ଛୁଇଁଯାଏ। ମରାଳ ମାଳିନୀ ନୀଲାମ୍ଵୁ ଚିଲିକା ଏବେ ରଙ୍ଗ ବେରଙ୍ଗର ଦେଶୀ ଓ ବିଦେଶାଗତ ପକ୍ଷୀଙ୍କ କଳରବରେ ଫାଟି ପଡୁଛି। ପକ୍ଷୀ ମାନଙ୍କ ସୌନ୍ଦର୍ଯ୍ୟକୁ  ଉପଭୋଗ କରିବା ପାଇଁ ଚିଲିକାରେ  ଜମିଲ‍ାଣି  ପର୍ଯ୍ୟଟକଙ୍କ ଭିଡ଼। ବିଶେଷ କରି ମଙ୍ଗଳାଯୋଡି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଏସିଆ ମହାଦେଶର ସର୍ବବୃହତ୍ତ ଲୁଣା ହ୍ରଦ ଚିଲିକାରେ ଶୀତ ଦିନେ ଜମୁଛି ଦେଶୀ ବିଦେଶୀ ପକ୍ଷୀଙ୍କ ସମାଗମ।

ହଜାର ହଜାର କିଲୋମିଟର ଆକାଶ ପଥ ଅତିକ୍ରମ କରି କାଜାକିସ୍ତାନ, ସାଇବେରିଆ, ଆଫଗାନିସ୍ଥାନ ବୁଲଗେରିଆ, ରୁଷ, ତୁର୍କି, ଆଦି ଅଞ୍ଚଳରୁ ଚିଲିକାକୁ ଉଡି ଆସିଥାନ୍ତି ବିଦେଶୀ ପକ୍ଷୀ। ଚିଲିକାର ମଙ୍ଗଳାଯୋଡିରେ ପକ୍ଷୀ ମାନଙ୍କ ପାଇଁ ପ୍ରଚୁର ଖାଦ୍ୟ ଓ ବାସସ୍ଥାନର ସୁବିଧା ଥିବାରୁ ପକ୍ଷୀ ମାନେ ଏଠାରେ ଜମାଉଛନ୍ତି ଭିଡ। ଦେଶୀ ବିଦେଶୀ ପକ୍ଷୀଙ୍କ କିଚିରି ମିଚିରି କୋଳାହଳରେ ଫାଟି ପଡୁଛି ମଙ୍ଗଳା ଯୋଡି। ଚିଲିକାର ଟାଙ୍ଗୀ ରେଞ୍ଜର ବିଭିନ୍ନ ଅଞ୍ଚଳରେ ଲାପିଙ୍ଗ, ଟର୍ନ, ଗଡଉଇଟ, ସାଣ୍ଡ ପାଇପର, ଗଡୱାଲ, ସ୍ପଟ୍ ୱିଲ ଡକ୍ ନର୍ଦନ ପିଣ୍ଟେଲ, ରୁଡି ସେଲଡକ୍ ଓ ଆଇ ବିସ୍ ଆଦି ୯ ପ୍ରଜାତିର ବିଦେଶୀ ପକ୍ଷୀ ଚିଲିକାକୁ ଆସିଛନ୍ତି। ସେଥିମଧ୍ୟରୁ ନର୍ଦନ ପିଣ୍ଟେଲ ବେଶୀ ଆସିଥିବାର ଦେଖିବାକୁ ମିଳିଛି। ଚିଲିକାକୁ ବିଦେଶାଗତ ପକ୍ଷୀ ଆସୁଥିବାରୁ ପକ୍ଷୀ ମାନଙ୍କୁ ଦେଖିବାକୁ ଧିରେ ଧିରେ ପର୍ଯ୍ୟଟକ ମାନଙ୍କ ଭିଡ ଜମିଲାଣି। 
ମଙ୍ଗଳାଯୋଡି ଠାରୁ କାତମରା ଡଙ୍ଗାରେ ବସି ଚିଲିକାର ନୀଳ ଜଳରାଶିରେ ପକ୍ଷୀ ମାନଙ୍କ ଜଳ କ୍ରୀଡା ଦୃଶ୍ୟ ଅତ୍ୟନ୍ତ ମନୋରମ। ପକ୍ଷୀମାନଙ୍କ ଚଳପ୍ରଚଳରେ ବାଧା ସୃଷ୍ଟି ନ ହେବା ପାଇଁ ଏଠାରେ ପକ୍ଷୀ ସୁରକ୍ଷା କମିଟି ଗଠନ କରି ପକ୍ଷୀ ମାନଙ୍କୁ ସୁରକ୍ଷା ଦିଆଯାଉଛି। ଚଳିତ ବର୍ଷ ଶୀତ ଆରମ୍ଭରୁ ପ୍ରାୟ ୧୫ହଜାରରୁ ୨୦ହଜାର ବିଦେଶାଗତ ପକ୍ଷୀ ଚିଲିକାକୁ ଆସିଲେଣି। ବିଦେଶୀ ଓ ଦେଶୀ ପକ୍ଷୀ ମାନଙ୍କ ସୁରକ୍ଷା ପାଇଁ ବନ୍ୟ ପ୍ରାଣୀ ବିଭାଗ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର କରାଯାଇଛି। ଏହା ସହ ଚିଲିକାରେ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା ମଧ୍ୟ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ। ପର୍ଯ୍ୟଟକ ମାନେ ଚିଲିକାରେ ବୁଲିବା ପାଇଁ ସମସ୍ତ ବ୍ୟବସ୍ଥା କରିବା ସହିତ ପକ୍ଷୀ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ଆଗକୁ ଥଣ୍ଡା ବଢିବାର ସମ୍ଭାବନା ଥିବାରୁ  ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢିବାର ଆଶା କରାଯାଉଛି। ତେଣୁ  ଏଠାରେ ପକ୍ଷୀ ମାନଙ୍କ ସୁରକ୍ଷା ପ୍ରତି ବିଶେଷ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored