Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

7 ବ୍ୟାରେଜ ନିର୍ମାଣ ଘୋଷଣା କରି ଧୋକା ଦେଇଥିଲେ ବିଜେଡି ସରକାର

Manini Pattanayak
Browse all articles by Manini Pattanayak
·2 years ago·2 min read
7 ବ୍ୟାରେଜ ନିର୍ମାଣ ଘୋଷଣା କରି ଧୋକା ଦେଇଥିଲେ ବିଜେଡି ସରକାର

କଟକ: ବଦଳିଲା ସରକାର ବଦଳିବ ମହାନଦୀ ଅବବାହିକାର ଭାଗ୍ୟ । ହୀରାକୁଦ ତଳମୁଣ୍ଡରେ 2ଟି ବ୍ୟାରେଜ୍ ନିର୍ମାଣ କରିବେ ରାଜ୍ୟ ସରକାର । ବିକଶିତ ହେବ ସମ୍ବଲପୁରର ଅଯୋଧ୍ୟା ସରୋବର । ମହାନଦୀର 52 ପ୍ରତିଶତ ବର୍ଷା ଜଳ ବୋହିଯାଉଛି ବଙ୍ଗୋପସାଗର । 7 ବ୍ୟାରେଜ ନିର୍ମାଣ ଘୋଷଣା କରି ଧୋକା ଦେଇଥିଲେ ବିଜେଡି ସରକାର । ମହାନଦୀର ଜଳ ସଂକଟ ଦୂର କରିବାକୁ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। ବୁର୍ଲା ମହାନଦୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କୁ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କର ଏହି ଚିଠି ତାର ପ୍ରମାଣ। ମହାନଦୀ ଅବବାହିକାର ଦେଗାଁ ଓ ମାନେଶ୍ବରଠାରେ ଦୁଇଟି ବ୍ୟାରେଜ ନିର୍ମାଣ ସହ ସମ୍ବଲପୁରରେ ଥିବା ଅଯୋଧ୍ୟା ସରୋବରର ବିକାଶ ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ନେଇ ସମ୍ବଲପୁରବାସୀଙ୍କ ମଧ୍ୟରେ ନୂଆ ଆଶା ସଂଚାର ହୋଇଛି।  ନିର୍ମାଣ ହେବାକୁ ଥିବା 2ଟି ବ୍ରିଜ କମ୍ ବ୍ୟାରେଜ ଯୋଗୁଁ କୌଣସି ଲୋକ ବିସ୍ଥାପିତ ହେବେ ନାହି । ଯାହାକି ଜଳ ସେଚନ ଦୃଷ୍ଟିରୁ ଚାଷୀଙ୍କ ପାଇଁ ଖୁବ ଲାଭ ଦାୟକ ହେବ । ସେହିପରି ଅଯୋଧ୍ୟା ସରୋବର ଥିବା ଦେଢ କିଲୋମିଟର ପୁରୁଣା ବନ୍ଧରେ ପାଣି ଲିକେଜ ହେଉଥିବା ବେଳେ ତାର ପୁନଉଦ୍ଧାର କରିବା ସହ ବିକାଶ କରାଯିବ।

ଫଳରେ ସେଠାରେ ପର୍ଯ୍ୟଟନର ବିକାଶ ମଧ୍ୟ ହୋଇପାରିବ। ଏନେଇ ଖୁବ ଶୀଘ୍ର ସର୍ଭେ କରାଯିବ ବୋଲି ସୂଚନା ଦେଇଛନ୍ତି ଜଳସେଚନ ବିଭାଗର ମୁଖ୍ୟ ଅଧିକାରୀ।  ହୀରାକୂଦ ଉପରମୁଣ୍ଡରେ ଛତିଶଗଡ଼ ବହୁ ଡ୍ୟାମ ଓ ବ୍ୟାରେଜ ନିର୍ମାଣ କରି ମହାନଦୀର ପାଣିକୁ ଅଟକାଇବା ଯୋଗୁଁ ଖରାଦିନେ ସଂପୂର୍ଣ୍ଣ ଶୁଖିଲା ପଡ଼ୁଛି ମହାନଦୀ। ତେବେ ଓଡ଼ିଶାରେ ହୀରାକୂଦ ବ୍ୟତୀତ କୌଣସି ଡ୍ୟାମ ନଥିବାରୁ ବର୍ଷାଦିନେ 52 ପ୍ରତିଶତ ପାଣି ବଙ୍ଗୋପସାଗରକୁ ବୋହିଆଉଛି। ଖରାଦିନ ପାଇଁ ଏହି ପାଣି ଗଚ୍ଛିତ କରିରଖିବା ଲାଗି 2018ରେ ହୀରାକୂଦ ତଳମୁଣ୍ଡରେ 7ଟି ବ୍ୟାରେଜ ନିର୍ମାଣ ଲାଗି ଘୋଷଣା କରିଥିଲେ ବିଜେଡି ସରକାର। ମହାନଦୀର ଗୋଧନେଶ୍ବର, ଦେଓଙ୍ଗା, କପାସିରା, ଖଇରମାଳ, ସୁବଳୟା, ମଣିଭଦ୍ରା, ମୁଣ୍ଡଳୀ ଆଦି 7 ଟି ସ୍ଥାନରେ ବ୍ୟାରେଜ ନିର୍ମାଣ କରିବାକୁ ବିଜେଡି ସରକାର ଘୋଷଣା କରିଥିଲେ। 

କିନ୍ତୁ 6 ବର୍ଷ ଭିତରେ ବ୍ୟାରେଜ ପାଇଁ ମାଟି ଗାଣ୍ଡୁଏ ବି ପଡ଼ିଲା ନାହିଁ। ଅନ୍ୟପକ୍ଷରେ ମହାନଦୀକୁ ମା କହି ଖୁବ୍ ରାଜନୀତି କରିଥିଲା ବିଜେଡି। ତତକାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଛତିଶଗଡ଼ ସହ ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ କରିବାକୁ ବିଜେଡି ସରକାରଙ୍କୁ ବାରମ୍ବାର ପ୍ରସ୍ତାବ ଦେଇଥିଲେ ବି । ନବୀନ ସରକାର ତାହାକୁ ପ୍ରତ୍ୟାଖାନ କରିଥିଲେ। ଆଉ ଏବେ ସରକାରରୁ ବିଦା ହେବା ପରେ ବିଜେଡି କହୁଛି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯାଉ।  ଏବେ ପ୍ରଶ୍ନ ଉଠୁଛି ସରକାରକୁ ଆସୁଆସୁ ମାସେ ଭିତରେ ଯଦି ବିଜେପି ସରକାର ମହାନଦୀରେ ବ୍ୟାରେଜ୍ ନିର୍ମାଣ ପାଇଁ ପଦକ୍ଷେପ ନେଇପାରୁଛନ୍ତି। 24 ବର୍ଷର ବିଜେଡି ସରକାର କାହା ସ୍ବାର୍ଥରେ ବ୍ୟାରେଜ ନିର୍ମାଣ ଘୋଷଣା କରି ହାତବାନ୍ଧି ବସିଥିଲେ ? ମହାନଦୀକୁ ମା ସମ୍ବୋଧନ ଥିଲା କି ବିଜେଡିର ଛଳନା ? ଏବେ ଧରାପଡ଼ିଯାଇଛି ବିଜୁ ଜନତା ଦଳର ମହାନଦୀକୁ ନେଇ ଦୋମୁହାଁ ଚରିତ୍ର।
ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The BJD government lied by announcing the construction of 7 barrages | Argus News