କାଳରାତ୍ରୀର କଳା କାହାଣୀ ; ଓଡିଶାର ବଡ ମଦମୃତ୍ୟୁ ଟ୍ରାଜେଡି...

ଅର୍ଗସ ବ୍ୟୁରୋ : ସବୁଦିନ ଭଳି ସେଦିନ ରାତିରେ ବି ଘରକୁ ଆସି କବାଟ ବନ୍ଦ କରିଦେଲେ ବାବୁଲା । ଆଉ ସବୁଦିନ ଭଳି ଅପେକ୍ଷା କରି ରହିଥିବା ସ୍ତ୍ରୀ ସାଙ୍ଗେସାଙ୍ଗେ ଆସି କବାଟ ବାଡେଇବାକୁ ଲାଗିଲେ । ଏଇଟା ତାଙ୍କର ନିତିଦିନିଆ ଘଟଣା । କାରଣ ସବୁଦିନ ମଦରେ ଚୂର ହୋଇ ଆସନ୍ତି ବାବୁଲା । ଆଉ ଖାଇବାକୁ ନଯାଇ ସିଧା ନିଜ ରୁମରେ କବାଟ ବନ୍ଦ କରିଦିଅନ୍ତି । ହେଲେ ସେଦିନ ଖୁବ ଡରିକି ରହିଥିଲେ ପତ୍ନୀ । ଅନେକ ସମୟ ଧରି କବାଟ ବାଡେଇବା ପରେ ତାଙ୍କ ଶାଶୂ ମଧ୍ୟ କବାଟ ବାଡେଇବାକୁ ଲାଗିଥିଲେ । ହେଲେ କବାଟ ଖୋଲି ନଥିଲେ ବାବୁଲା । ଆଉ କିଛି ଘଣ୍ଟା ପରେ ଯେତେବେଳେ କବାଟ ଖୋଲିଥିଲେ , ସେତେବେଳେ ତାଙ୍କ ପତ୍ନୀ, ଆଉ ମାଆ ଯେତିକି ଖୁସି ହୋଇଥିଲେ , ଆଉ ତାଙ୍କୁ କୁଣ୍ଡାଇପକାଇଥିଲେ । ହେଲେ କାହିଁକି ?
ବୁଝି ହେଲାନି ନା ?
କାରଣ ବାବୁଲା ସିନା ଭାଗ୍ୟବଶତଃ ବଞ୍ଚି ଯାଇଥିଲେ, ହେଲେ ସେଦିନ ଦେଶୀ ମଦ ପିଇ ଚାଲିଯାଇଥିଲା ୨୦୦ ଜଣଙ୍କ ଜୀବନ । ହଁ ଆଜ୍ଞା, ଆମେ କହୁଛୁ ୧୯୯୨ ମସିହା କଟକର ମଦମୃତ୍ୟୁ ଘଟଣାର କଥା । ଏକ ଭୟାନକ ମଦମୃତ୍ୟୁ ଟ୍ରାଜେଡି ଭାବେ ଆଜିବି କଟକ ଲୋକଙ୍କ ହୃଦୟରୁ ଲିଭିନି । ଏହାକୁ ଏକ ଅତ୍ୟନ୍ତ ବିରଳ ତଥା ଅତ୍ୟନ୍ତ ଦୁଃଖଦାୟକ ଘଟଣା କହିଲେ ଆଦୌ ଭୁଲ ହେବନି ।
ଆସନ୍ତୁ ଦେଖିବା ୧୯୯୨ ମସିହାର ସେହି କାଳ ରାତ୍ରର କାହାଣୀ ସମ୍ପୂର୍ଣ ବିସ୍ତାରରେ ।
ସେଦିନ ଥିଲା 1992 ମସିହା ମେ ମାସ ୧୨ ତାରିଖ ରାତି ୧୧ । କଟକ ବଡ଼ ଡାକ୍ତରଖାନାରେ ଭିଡ ବଢିଚାଲିଥିଲା । ବହୁ ଲୋକ ଦେଶୀ ମଦ ପିଇ ଅସୁସ୍ଥ ହୋଇ ଡାକ୍ତରଖାନା ଆସିଥିଲେ ଓ ସକାଳ ସୁଦ୍ଧା ଖବର ଥିଲା 'କଟକରେ ବିଷାକ୍ତ ମଦ ପିଇ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଓ ୬୦୦ରୁ ଅଧିକ ଭୀଷଣ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି' । ପରେ ପରେ କିଏ ଦୃଷ୍ଟି ଶକ୍ତି ହରାଇ ଥିଲେ ତ କିଏ ପଙ୍ଗୁ ଅବସ୍ଥାରେ ପରିବାର ପାଇଁ ବୋଝ ପାଲଟିଥିଲେ । ତେବେ ଏହି ଘଟଣା ନୂଆ ନଥିଲା କିମ୍ବା ଶେଷ ବି ନୁହେଁ ହେଲେ ମୃତ୍ୟୁ ସଂଖ୍ୟା ବହୁ ଅଧିକ ଥିଲା ।
କଣ ହୋଇଥିଲା କଟକରେ ?
କଟକରେ ମଧ୍ୟ କିଛି ମଦ ବେପାରୀ ଆଇନ ବିରୁଦ୍ଧ ପ୍ରକ୍ରିୟାରେ ଦେଶୀ ମଦ ତିଆରି କରି ବିକ୍ରି କରି ଏପରି କାଣ୍ଡ କରାଇଥିଲେ ଓ ଏଥିରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଓ ୬୦୦ରୁ ଅଧିକ ଭୀଷଣ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଯେଉଁ ମାନଙ୍କ ମଧ୍ୟରେ ଅଧିକାଂଶ ରିକ୍ସା ତଥା ଟ୍ରଲି ଚାଳକ ଓ ଦିନ ମଜୁରିଆ ମାନେ ଥିଲେ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ରନାଥ ଦାସ ଓରଫ୍ ବେଲୁ । ଯିଏ ୨୦୦୦ ମସିହାରେ ଗିରଫ ହୋଇଥିଲା । ଏବଂ ଏଥିପାଇଁ ତାକୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା ।
ଏହାପରେ ପରେ ଅନେକ ମଦମୃତ୍ୟୁର ମାମଲା ସାମ୍ନାକୁ ଆସିଛି । ଦେଶର ବିଭିନ୍ନ ରାଜ୍ୟରେ ମଦମୃତ୍ୟୁର ଅନେକ ମାମଲା ସାମ୍ନାକୁ ଆଶିଛି । ହେଲେ ସବୁଠୁ ଭୟାନକ ତଥା ବୃହତ ମଦମୃତ୍ୟୁ ଘଟଣା ଭାବେ ଇତିହାସରେ ଲେଖି ହୋଇ ରହିଛି କଟକ ୧୯୯୨ର ମଦମୃତ୍ୟୁ ମାମଲା ।
📱 Get Argus News App
✨ତେବେ ଆସନ୍ତୁ ଜାଣିବା କାହିଁକି ଦେଶୀ ମଦ ବିଷାକ୍ତ ହୁଏ ?
ଦେଶୀ ମଦ ପରିସ୍ରବଣ ବା ଡିଷ୍ଟିଲେସନ ପ୍ରକ୍ରିୟାରେ ପ୍ରସ୍ତୁତ ହୁଏ ଅର୍ଥାତ ଗୁଡ଼, ଆଖୁ, ଫଳର କିଛି ଅଂଶକୁ ବହୁଦିନ ମାଟି ତଳେ ରଖାଯାଇ ପରିସ୍ରବଣ ମାଧ୍ୟମରେ ଦେଶୀ ମଦ ପ୍ରସ୍ତୁତ କରାଯାଏ , ଯାହା ପ୍ଲାଷ୍ଟିକ୍ ଥାଳି କିମ୍ବା କାଚ ବୋତଲରେ ବିଦେଶୀ ମଦ ଠାରୁ ବହୁ କମ ପାଇସାରେ ବିକ୍ରି ହୁଏ କିନ୍ତୁ ଏହାକୁ ନିରାପଦରେ ଡିଷ୍ଟିଲ୍ କରିବା ପାଇଁ ଏକ ପ୍ରକୃଷ୍ଟ ତାପମାତ୍ରା ଆବଶ୍ୟକ, କାରଣ ଯଦି ଏହା ଏକ ନିର୍ଦ୍ଦିଷ୍ଟ ତାପମାତ୍ରାର ସ୍ତରରୁ ଉପରକୁ ଉଠେ ତେବେ ମିଥାଇଲ୍ ଆଲକୋହଲ୍ କିମ୍ବା ମିଥାନୋଲ ସୃଷ୍ଟି ହୋଇପାରେ ।
ମିଥାଇଲ ଆଲକୋହଲ କିମ୍ବା ମିଥାନୋଲ ମଣିଷ ପାଇଁ ଅତ୍ୟଧିକ ବିଷାକ୍ତ ଅଟେ ଏବଂ ମାତ୍ର 10ml ଖାଇବା ଦ୍ଵାରା ମଣିଷ ଦୃଷ୍ଟି ଶକ୍ତି ହରାଇପାରେ ଏବଂ ଯଦି 30ml କିମ୍ବା ଅଧିକ ହୁଏ ତେବେ ପରିସ୍ଥିତି ସାଂଘାତିକ । ଏପରିକି ୟୁରିଆଠାରୁ ଆରମ୍ଭ କରି ମୂଷା ବିଷ ପର୍ଯ୍ୟନ୍ତ ସମସ୍ତ ସମ୍ଭାବ୍ୟ ରାସାୟନିକ ପଦାର୍ଥକୁ ମଧ୍ୟ ଦେଶୀ ମଦ ତିଆରି ପାଇଁ ବ୍ୟବହାର କରାଯାଉଛି ବୋଲି ଶୁଣିବାକୁ ମିଳେ ।
ବ୍ରିଟିଶ ଦିନରୁ ମଦ ସେବନ ଏକ ବ୍ୟାପକ ଅଭ୍ୟାସରେ ପରିଣତ ହୋଇଛି, ବେଆଇନ ମଦ ବ୍ୟବସାୟୀଙ୍କ ରାକେଟ୍କୁ ଆଗକୁ ବଢାଇଛି । ତେବେ ବଜାରରେ ଚାହିଦା ଅଧିକା ଥିବାରୁ କମ ସମୟରେ ଅଧିକ ଦେଶୀ ମଦ ତିଆରି ପାଇଁ କିଛି ମଦ ବେପାରୀ ପାଇଁ ବିଭିନ୍ନ ଆଇନ ବିରୁଦ୍ଧ ପ୍ରକ୍ରିୟାରେ ଦେଶୀ ମଦ ତିଆରି କରି ବିକ୍ରି କରନ୍ତି ଆଉ ତାଙ୍କ ମଦ ବିଷାକ୍ତ ହେବାର ଆଶଙ୍କା ଅଧିକ ଥାଏ ।