Videos
|
Odisha

କୁମୁରୀଗୁଡା ଗାଁ ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

Ritu Das
Browse all articles by Ritu Das
·1 year ago·2 min read
କୁମୁରୀଗୁଡା ଗାଁ ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଅର୍ଗସ ବ୍ୟୁରୋ: କିଛିଦିନ ତଳେ କନ୍ଧମାଳ ଜିଲ୍ଲାରେ ହତ୍ୟା, ଚୋରି, ରାହାଜାନି, ଡକାୟତି ଭଳି ଅପରାଧିକ କାର୍ଯ୍ୟକଳାପ ବଢ଼ିବଢ଼ି ଚାଲିଥିବା ବେଳେ ବୁଧବାର ଫୁଲବାଣୀ ଫିରିଙ୍ଗିଆ ମୁଖ୍ୟରାସ୍ତାର କୁମୁରୀଗୁଡା ଗାଁ ନିକଟରେ ଥିବା ପୀଡିହାକଲି ଜଙ୍ଗଲରୁ ଜଣେ ବିବାହିତ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ପୋଲିସ ଉଦ୍ଧାର କରିଛି I ମୃତ ଯୁବତୀ ଜଣକ ଫିରିଙ୍ଗିଆ ଥାନା ଖଜୁରୀପଡ଼ା ଗାଁର ନବଘନ ବେହେରାଙ୍କ ଝିଅ ସାରଳା ଦିଗାଲ ବୋଲି ଜଣାପଡିଛି। 

ଆଠବର୍ଷ ତଳେ ସେ ଫୁଲବାଣୀ ସଦର ଥାନା ମିନିଆ ପଞ୍ଚାୟତର ଡାଡିକେଜୁ ଗାଁର ଦୟାନିଧି ଦିଗାଲଙ୍କ ପୁଅ କୁନା ଦିଗାଲଙ୍କୁ ବିବାହ କରିଥିଲେ। ସୂଚନା ମୁତାବକ ଗତ 21 ତାରିଖ ଦିନ ଯୁବତୀ ଜଣକ ଘରୁ କୁଆଡେ ଚାଲିଯାଇଥିବା ନେଇ ଯୁବତୀଙ୍କ ଦିଅର, ଭାଇଙ୍କୁ ଫୋନ ଯୋଗେ  କହିଥିଲେ। ପରେ ଯୁବତୀଙ୍କ ବାପଘର ଲୋକେ ବହୁ ଖୋଜାଖୋଜି କଲାପରେ ଯୁବତୀଙ୍କ କୌଣସି ସନ୍ଧାନ ନ ମିଳିବାରୁ ଫୁଲବାଣୀ ସଦର ଥାନାରେ ଯୁବତୀଙ୍କୁ ତାଙ୍କ ସ୍ୱାମୀଙ୍କ ସହ ଶ୍ବଶୁର ଘର ଲୋକେ ଯୌତୁକ ନିର୍ଯାତନା ଦେବାସହ ମାଡମାରିବାରୁ ଯୁବତୀ ଜଣକ କୁଆଡେ ଚାଲିଯାଇଥିବା ନେଇ ଏକ ଲିଖିତ ଏତଲା ଦିଆଯାଇଥିଲା। 

ଏତଲା ଆଧାରରେ ସଦର ଥାନା ପୋଲିସ ଏକ ମାମଲା ରୁଜୁ କରି ଯୁବତୀଙ୍କ ସ୍ୱାମୀଙ୍କୁ ଥାନାକୁ ଆଣି ପଚରାଉଚରା ପରେ ଛାଡି ଦେଇଥିଲେ I ତେବେ ଘଟଣାର ସତର ଦିନପରେ ବୁଧବାର ସକାଳୁ କିଛି ଲୋକ ଏହି ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିବା ବେଳେ ଯୁବତୀଙ୍କ ଶବ ଖଣ୍ଡବିଖଣ୍ଡିତ ହୋଇ ପଡ଼ିଥିବା ଦେଖିଥିଲେ ଓ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଫୁଲବାଣୀ ଏସଡିପିଓ ସୁପ୍ରସନ୍ନ ମଲ୍ଲିକଙ୍କ ସହ ସଦରଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା, ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ନିଜ ନିଜ ଟିମ ସହ ସାଇଣ୍ଟିଫିକ ଟିମର ସହାୟତାରେ ତଦନ୍ତ ଆରମ୍ଭ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। 
ସେପଟେ ଝିଅର ମୃତ୍ୟୁକୁ ବାପା ଘର ଲୋକେ ସହଜରେ ଗ୍ରହଣ କରିପାରୁ ନ ଥିବା ବେଳେ ଝିଅର ସ୍ୱାମୀ ହିଁ ତାକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ଘଟଣା ସ୍ଥଳରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶ୍ରୀ ହରିଶ ବିଶି ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The body of a young | Argus News