ବ୍ଲାକ ରୋଜ୍ ବୁଡି ଘଟଣାର CBI ତଦନ୍ତ ଦାବି ପୁଣି ଧରିଲା ଜୋର

Key Points
- ବ୍ଲାକ ରୋଜ୍ ବୁଡି ଘଟଣାର CBI ତଦନ୍ତ ଦାବି ପୁଣି ଧରିଲା ଜୋର
- ଲାଇସେନ୍ସ ନଥିବା ଜାହାଜରେ ଲୁହାପଥର କାରବାରର ଖୋଲିବ ଗୁମର !
- ହାଇକୋର୍ଟରେ ବି ସିବିଆଇ ତଦନ୍ତ ଦାବିରେ ଜନସ୍ବାର୍ଥ ମାମଲାର ଚାଲିଛି ବିଚାର
- କେଉଁ ସ୍ବାର୍ଥରେ ବ୍ଲାକ୍ ରୋଜ୍ ତଦନ୍ତ ଫାଇଲକୁ ଚାପି ଦେଇଥିଲେ ବିଜେଡି ସରକାର ?
ଅର୍ଗସ ବ୍ୟୁରୋ: ସାମ୍ନାକୁ ଆସିବ ବ୍ଲାକ୍ ରୋଜ ଜାହାଜରେ ବେଆଇନ ଭାବେ ଲୁହାପଥର କାରବାର କରୁଥିବା ମୁଖ୍ୟ କାର୍ପଟଦାରଙ୍କ ଚେହେରା। ଲାଇସେନ୍ସ ନଥିବା ଯାହାଜରେ ବିଦେଶକୁ ୨୪ ହଜାର ମେଟ୍ରିକ୍ ଟନ୍ ଲୁହାପଥର ଚାଲାଣ ପଛର ମାଷ୍ଟ ମାଇଣ୍ଡ କିଏ, ସାମ୍ନାକୁ ଆସିବ ସତ ? ରାଜ୍ୟରେ ବଦଳିଛି ସରକାର ଏଥିସହ ବ୍ଲାକରୋଜ୍ ବୁଡ଼ି ମାମଲାର ସିବିଆଇ ତଦନ୍ତ ଦାବି ହୋଇଛି ଜୋରଦାର ।
ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ୩୦ ଅଗଷ୍ଟ ୨୦୨୩ରେ ଏନେଇ ଏକ ଜନସ୍ୱାର୍ଥ ମାମଲା ଦାୟାର କରିଥିଲେ। ଏଥିସହ ଗତ ଜୁନ୍ ୨୨ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପତ୍ର ଲେଖି ବ୍ଲାକ୍ ରୋଜ୍ ବୁଡ଼ି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତର ସମସ୍ତ ଦସ୍ତାବିଜ ସିବିଆକୁ ହସ୍ତାନ୍ତର ପାଇଁ ନିବେଦନ କରିଥିଲେ ପ୍ରଦୀପ।
୦୯.୦୯.୨୦୦୯ରେ ପାରାଦ୍ବୀପ ବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇ ବ୍ଲାକ୍ରୋଜ ଜାହାଜ ବୁଡ଼ି ଯାଇଥିଲା। ଏନେଇ ବନ୍ଦର କର୍ତ୍ତୃପକ୍ଷ ପାରାଦ୍ବୀପ ମେରାଇନ୍ ଥାନାରେ ଏକ FIR ଦାୟର କରିଥିଲା I ପରେ ରାଜ୍ୟ କ୍ରାଇମ୍ ବ୍ରାଞ୍ଚ ଏହାର ତଦନ୍ତ ଭାର ନେଇଥିଲା। ସେପଟେ ମାମଲାର ସିବିଆଇ ତଦନ୍ତ ଦାବିରେ ଓଡ଼ିଶା ହାଇକୋର୍ଟରେ ଦୁଇଟି ଆବେଦନ କରାଯାଇଥିଲା। ସିବିଆଇ ମାମାଲର ତଦନ୍ତ ଲାଗି ପ୍ରସ୍ତୁତ ଥିବା ହାଇକୋର୍ଟଙ୍କୁ ଜଣାଇଥିଲା। ତେବେ ବିଭିନ୍ନ କାରଣ ପାଇଁ ହାଇକୋର୍ଟ ଆବେଦନକୁ ଖାରଜ କରିଦେଇଥିଲେ। ଏହାପରେ ଓଡ଼ିଶା ସରକାରଙ୍କୁ ଦୁଇଥର ଚିଠି ଲେଖି (୩୦.୦୯.୨୦୧୯ ଓ ୦୯.୧୨.୨୦୧୯) କ୍ରାଇମ୍ ବ୍ରାଞ୍ଚ ଦ୍ଵାରା ହୋଇଥିବା ସମସ୍ତ ତଦନ୍ତର ଦସ୍ତାବିଜ ମାଗିବା ସହ ଘଟଣାର ପୂର୍ଣାଙ୍ଗ ତଦନ୍ତ ଅନୁମତି ମାଗିଥିଲା ସିବିଆଇ। କିନ୍ତୁ ରାଜ୍ୟ ସରକାର କୌଣସି ଦସ୍ତାବିଜ ସିବିଆଇକୁ ଦେଇନଥିଲେ।
ପରେ ସୂଚନା ଅଧିକାର ଆଇନ୍ ବଳରେ ଜଣାପଡ଼ିଲା ଯେ, ବ୍ଲାକ୍ରୋଜ ଏକ ଚୋରା ଜାହାଜ। ଏହାର କୌଣସି ଲାଇସେନ୍ସ ନାହିଁ। ଏଥିରେ ୨୪ ହଜାର ମେଟ୍ରିକ୍ ଟନ୍ ଲୁହା ପଥର ଚୋରାରେ ବିଦେଶକୁ ପଠାଯାଉଥିଲା। ରେଟ୍ରର ମାଇନ୍ସ ଓ ଏ.ବି. ମିନେରାଲ ଏହି ଚୋରା ଲୁହା ପଥର ବିଦେଶକୁ ପଠାଉଥିବା ଜଣାପଡ଼ିଥିଲା। ଏବେ ପ୍ରଶ୍ନ ଉଠୁଛି ମାମଲାର ତଦନ୍ତ ଦାୟିତ୍ବ ସିବିଆଇକୁ କାହିଁକି ଦେବାକୁ ଚାହୁଁନଥିଲେ ବିଜେଡି ସରକାର ?
📱 Get Argus News App
✨ଜାହାଜରେ ବିଦେଶକୁ ଚାଲାଣ ହେଉଥିବା ଏହି ବେଆଇନ୍ ଲୁହାପଥର କାରବରର ମୁଖ୍ୟ କାର୍ପଟଦାର କିଏ ? ସିବିଆଇ ତଦନ୍ତରେ ଖୋଲିବକି ସେମାନଙ୍କର ମୁଖା ? କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଓ ପାରାଦ୍ଵୀପ ପୋର୍ଟ ଟ୍ରଷ୍ଟ ମାମଲାର ତଦନ୍ତ ଦାୟିତ୍ବ ସିବିଆଇକୁ ଦେବା ପାଇଁ ସତ୍ୟପାଠ ଦାଖଲ କରିଥିବାବେଳେ ସିବିଆଇ ନିଜ ଆଡୁ ତଦନ୍ତ ପାଇଁ ଆଗ୍ରହ ପ୍ରକାଶ କରି ମଧ୍ୟ ସତ୍ୟପାଠ ଦାଖଲ କରିଛି। ଏବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଓ ହାଇକୋର୍ଟଙ୍କ ଫାଇସଲାକୁ ଅପେକ୍ଷା।
ଆହୁରି ପଢନ୍ତୁ ଓଡିଶା ଖବର...