Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭାରତର ଅଭିବୃଦ୍ଧି ବିକାଶର ଧାରାକୁ ଆଗକୁ ନେବା ପାଇଁ ହେଲେ ଉତ୍ତର ପୂର୍ବ ରାଜ୍ୟସମୂହର ବିକାଶ ଜରୁରୀ

Odisha

ଭାରତର ଅଭିବୃଦ୍ଧି ବିକାଶର ଧାରାକୁ ଆଗକୁ ନେବା ପାଇଁ ହେଲେ ଉତ୍ତର ପୂର୍ବ ରାଜ୍ୟସମୂହର ବିକାଶ ଜରୁରୀ

Jitendra Dash
Browse all articles by Jitendra Dash
·2 years ago·5 min read
ଭାରତର ଅଭିବୃଦ୍ଧି ବିକାଶର ଧାରାକୁ ଆଗକୁ ନେବା ପାଇଁ ହେଲେ ଉତ୍ତର ପୂର୍ବ ରାଜ୍ୟସମୂହର ବିକାଶ ଜରୁରୀ

ଅର୍ଗସ ବ୍ୟୁରୋ : ପୂର୍ବ ଭାରତର ସାମଗ୍ରିକ ବିକାଶ ପାଇଁ ‘ପୂର୍ବୋଦୟ ମିଶନ’ ଏକ କଳ୍ପନା, ଯାହାର କେନ୍ଦ୍ରବିନ୍ଦୁରେ ରହିଛି ଓଡ଼ିଶା । ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି “ପୂର୍ବୋଦୟ”ର ଭିତ୍ତିଭୂମି ଏବଂ ଶିଳ୍ପାୟନର ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟରେ ଉଭୟ ଅଞ୍ଚଳ ମଧ୍ୟରେ ଯୋଗାଯୋଗ ସ୍ଥାପନାକୁ ପ୍ରାଥମିକତା ଦେଇ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସିଆର ଦେଶ ଗୁଡ଼ିକୁ ସାମିଲ କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଭାରତର ଅଭିବୃଦ୍ଧି ଏବଂ ଅମୃତ କାଳରେ ବିକାଶର ଧାରାକୁ ଆଗକୁ ନେବା ପାଇଁ ହେଲେ “ପୂର୍ବୋଦୟ” ଅର୍ଥାତ୍ ପୂର୍ବ ଏବଂ ଉତ୍ତର ପୂର୍ବ ରାଜ୍ୟସମୂହର ବିକାଶ ଅତ୍ୟନ୍ତ ଜରୁରୀ ବୋଲି ପ୍ରଧାନମନ୍ତ୍ରୀଙ୍କର ପ୍ରଗାଢ ବିଶ୍ୱାସ ରହିଛି ।   

“ପୂର୍ବୋଦୟ” କେବଳ ଭାରତର ପୂର୍ବ ଏବଂ ଉତ୍ତର ପୂର୍ବାଞ୍ଚଳର ଏକତ୍ରୀକରଣ ନୁହେଁ, ବରଂ ନଦୀ ଏବଂ ସମୁଦ୍ରର ନେଟଓ୍ୱାର୍କକୁ ଉପଯୋଗ କରି ଏହି ରାଜ୍ୟଗୁଡ଼ିକୁ ଏସିଆର ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବାଞ୍ଚଳ ସହିତ ଅବିଚ୍ଛେଦ୍ୟ ଭାବରେ ଯୋଡାଯିବାର ଲକ୍ଷ୍ୟ ରଖାଯାଇଛି । ଏହାକୁ ବିଶେଷ ଦୃଷ୍ଟିରେ ରଖି ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସିଆରେ ଆଞ୍ଚଳିକ ଯୋଗାଯୋଗର ରୂପରେଖକୁ ବିକଶିତ କରାଯାଉଛି। 

ଆମ ଉଜ୍ଜ୍ୱଳ ଭବିଷ୍ୟତର ରୂପରେଖ ପ୍ରସ୍ତୁତ କରିବା ପାଇଁ ଆମକୁ ଆମ ଅତୀତରୁ ଶିକ୍ଷା ଲାଭ କରିବା ଜରୁରୀ । କାରଣ, ପ୍ରାଚୀନ ସାମୁଦ୍ରିକ ଐତିହ୍ୟରେ ଭରପୁର ଓଡ଼ିଶାର ପରମ୍ପରା ରାଜ୍ୟର ସମୃଦ୍ଧ ଅତୀତକୁ ଭବିଷ୍ୟତର ଅପାର ସମ୍ଭାବନା ସହ ଯୋଡ଼ିଛି । ପ୍ରାଚୀନ କାଳରୁ ବାଣିଜ୍ୟ, ବ୍ୟବସାୟ, ସଂସ୍କୃତି ଓ ବୀରତ୍ୱର ପ୍ରତୀକ ହୋଇଛି କଳିଙ୍ଗ । ଆମର ବ୍ୟବସାୟୀ ଓ ସାଧବ ପୁଅମାନେ ସୁଦୂର ବାଲି ଓ ଅନ୍ୟାନ୍ୟ ସ୍ଥାନକୁ ଯାତ୍ରା କରିଛନ୍ତି । ମହାନଦୀ, ସୁବର୍ଣ୍ଣରେଖା ଓ ବୈତରଣୀ ନଦୀ ମାର୍ଗରେ ଯାତ୍ରା କରିବା ସହ ସମୁଦ୍ରରେ ବୋଇତ ଚାଳନା କରି ନିଜର ଅସୀମ ଓ ଅନନ୍ୟ ସାହସର ପରାକାଷ୍ଠା ଦେଖାଇଛନ୍ତି । ଏ ଅଞ୍ଚଳରେ ରହୁଥିବା ଲୋକଙ୍କୁ ‘କଳିଙ୍ଗ ସାହସିକ’ ଭାବରେ ସମ୍ମାନର ସହ ସମ୍ବୋଧିତ କରାଯାଉଥିଲା, ପୂର୍ବରୁ ଆମର ସମୁଦ୍ର କୂଳକୁ ‘କଳିଙ୍ଗ ସାଗର’ ବୋଲି ଅଭିହିତ କରାଯାଇଥିଲା। ସାମୁଦ୍ରିକ ଶକ୍ତି ଭାବରେ କଳିଙ୍ଗର ଖ୍ୟାତି ଏତେ ଅଧିକ ଥିଲା ଯେ ମହାକବି କାଳି ଦାସ କଳିଙ୍ଗର ରାଜାଙ୍କୁ ସମୁଦ୍ରର ଅଧିପତି ବୋଲି ସମ୍ବୋଧନ କରିଥିଲେ ।  ବୌଦ୍ଧ ଧର୍ମ ଓଡ଼ିଶା ଉପକୂଳରୁ ହିଁ ଏସିଆର ଅନେକ ଅଞ୍ଚଳରେ ବ୍ୟାପକ ହୋଇଛି । ଐତିହାସିକ ଦୃଷ୍ଟିରୁ ଓଡ଼ିଶାର ଉପକୂଳ ଉପ-ମହାଦେଶର କେତେକ ବ୍ୟସ୍ତବହୁଳ ଐତିହାସିକ ବନ୍ଦର ମାନଙ୍କ ମଧ୍ୟରେ ମାନ୍ୟତା ଅର୍ଜନ କରିବା ଯେତେ ଗୌରବର ବିଷୟ, ସେତେ ଦୁଃଖର ବିଷୟ ଯେ ଶହ ଶହ ବର୍ଷ ଧରି ସମୁଦ୍ର କୂଳ ଏବଂ ସାମୁଦ୍ରିକ ନୌବାଣିଜ୍ୟର ସ୍ମୃତି ଆମେ କେବଳ ସାଇତିକି ରଖିଛେ । 

 

ଆମେ ପାଳନ କରୁଥିବା ‘ବାଲିଯାତ୍ରା’ ଆମର ଶତାବ୍ଦୀ ଶତାବ୍ଦୀ ପୁରୁଣା ସାଂସ୍କୃତିକ ଐତିହ୍ୟ ଓ ସମୃଦ୍ଧ ନୌବାଣିଜ୍ୟର ଏକ ଜ୍ୱଳନ୍ତ ଉଦାହରଣ । ଏହି ଗୌରବକୁ କେବଳ ଲେଖକଗଣ  ଲେଖନୀ ଚାଳନା କରି କିମ୍ବା କଣ୍ଠଶିଳ୍ପୀମାନେ ନିଜ ସୁମଧୁର ଗୀତ ମାଧ୍ୟମରେ ବର୍ଣ୍ଣନା କରିନାହାନ୍ତି ବରଂ ଗତ ବର୍ଷ ଇଣ୍ଡୋନେସିଆରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ଉଲ୍ଲେଖ କରି ଆମକୁ ଗର୍ବିତ କରିଛନ୍ତି । କୋଣାର୍କର ସୂର୍ଯ୍ୟମନ୍ଦିରରେ କାରୁକାର୍ଯ୍ୟ ମଧ୍ୟରେ ଅଛି ଏକ ଶିଳା ଚିତ୍ର, ଯେଉଁଥିରେ ଓଡ଼ିଆମାନେ ଜାହାଜରୁ ଏକ ଜିରାଫକୁ ଓହ୍ଲାଇବା ଖୋଦିତ ହୋଇଅଛି, ଏହା ଉତ୍କଳର ପୁରାତନ ନୌବାଣିଜ୍ୟ ସମ୍ବନ୍ଧକୁ ଉଜାଗର କରେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆମେ କେବଳ ଆମର ଅତୀତର ଗୌରବରେ ନିଜକୁ ସୀମିତ ରଖିବା ନାହିଁ । ବାଣିଜ୍ୟ ଓ ସେବା କ୍ଷେତ୍ରରେ ସମୃଦ୍ଧ ଏକ ଅଞ୍ଚଳର ପେଣ୍ଠସ୍ଥଳୀ ହେବା ପାଇଁ ପ୍ରଚେଷ୍ଟା କରିବା ଓ ଆକାଂକ୍ଷା ପୂରଣ କରିବା ପାଇଁ ପ୍ରୟାସରତ ହେବା । ଆମେ ଯେପରି ପ୍ରଥମ ଲାଭାର୍ଥୀ ହେବା ଏବଂ ଆମ ଭବିଷ୍ୟତର ଭାଗ୍ୟ ନିର୍ଦ୍ଧାରଣ କରୁଥିବା ନେତୃତ୍ୱ ହୋଇ ରହିବା, ସେଥିପାଇଁ ଆମକୁ ସାମୂହିକ ଭାବରେ ଶିଳ୍ପ ବିପ୍ଳବ ୪.୦ ସହ ତାଳ ଦେଇ ଚାଲିବା ଜରୁରୀ । ଯୋଗାଯୋଗ ହେଉଛି ମୋଦି ସରକାରଙ୍କ ବୈଦେଶିକ ନୀତିର ଏକ ପ୍ରମୁଖ ସ୍ତମ୍ଭ । ‘ପୂର୍ବୋଦୟ’ ଏବଂ ‘ଆକ୍ଟ ଇଷ୍ଟ’ ନୀତି ବାସ୍ତବରେ ମୋଦି ସରକାରଙ୍କ ଗୋଟିଏ ସୁଦୂରଗାମୀ ଓ ସୁଦୂରପ୍ରଭାବୀ ନୀତି। ଏଥିରେ 'ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ' ଲକ୍ଷ୍ୟ ନେଇ ବାଣିଜ୍ୟ, ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ଏବଂ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ସମ୍ପନ୍ନତା ଆଣିବା ପାଇଁ ସରକାରଙ୍କ ପ୍ରଚେଷ୍ଟା ରହିଛି ।

ଗତ ୧୦ ବର୍ଷ ମଧ୍ୟରେ ଘୋଷଣା କରାଯାଇଥିବା କନେକ୍ଟିଭିଟି ପ୍ରକଳ୍ପଗୁଡ଼ିକ ଉପରେ ନଜର ପକାଇଲେ ସରକାର କିପରି ଅଧିକ ଆର୍ଥିକ ଏକତ୍ରିକରଣ ପାଇଁ ବିଭିନ୍ନ ଉପାୟରେ କାର୍ଯ୍ୟ କରିଛନ୍ତି ତାହାର ଏକ ଅଭୁତପୂର୍ବ ବିବରଣୀ ଦେଖିବାକୁ ମିଳିଥାଏ । କନେକ୍ଟିଭିଟି ପ୍ରକଳ୍ପ ଗୁଡିକ କେବଳ ସଡ଼କ ଏବଂ ନଦୀ ଦ୍ୱାରା ପରିଚାଳିତ ନୁହେଁ ବରଂ ଶକ୍ତି ଗ୍ରିଡ୍, ଏୟାରୱେଭ୍ ଏବଂ ଲଜିଷ୍ଟିକ୍ସ ଦକ୍ଷତା ଏବଂ ମାନବ ସମ୍ବଳର ଦକ୍ଷତା ବିକାଶ ପରି କାର୍ଯ୍ୟକ୍ରମକୁ ଆଗକୁ ନେଇଥାଏ । ଓଡ଼ିଶାରେ ବିଗତ ୯ ବର୍ଷରେ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ପେଟ୍ରୋକେମିକାଲ ଏବଂ ଷ୍ଟିଲ୍ କ୍ଷେତ୍ରରେ ୩ ଲକ୍ଷ କୋଟିରୁ ଉର୍ଦ୍ଧ ନିବେଶ ମଧ୍ୟ ଏହି ପ୍ରକ୍ରିୟାକୁ ତ୍ଵରାନ୍ନିତ କରିଛି। ସାଗର ଏବଂ  ସାଗରମାଳା ; ମୋଦିଙ୍କ ବୈଦେଶିକ ଏବଂ ଘରୋଇ ନୀତିର ଦୃଢତାକୁ ପାରସ୍ପରିକ ମଜଭୂତ୍  କରିଛି ।  ସିକ୍ୟୁରିଟି ଆଣ୍ଡ ଗ୍ରୋଥ୍ ଫର୍ ଅଲ୍ (SAGAR) ଭାରତ ମହାସାଗର ଏବଂ ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି ଏବଂ ସମୃଦ୍ଧିର ଏକ ସ୍ଥାନ ଭାବେ ପରିକଳ୍ପନା କରେ ଏବଂ ସାଗରମାଳା ପାରାଦୀପ, ଧାମରା ଏବଂ ଗୋପାଳପୁର ପରି ସ୍ଥାନରେ ବନ୍ଦର ଆଧାରିତ ବିକାଶ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥାଏ । ବନ୍ଦର ଆଧୁନିକୀକରଣ, ଯୋଗାଯୋଗ, ଶିଳ୍ପାୟନ ଓ ଉପକୂଳ ସମୂହର ବିକାଶ ଦିଗରେ ୫୭,୩୭୯ କୋଟି ଟଙ୍କାର ୪୬ଟି ପ୍ରକଳ୍ପ ସହ ଓଡ଼ିଶା ସାମୁଦ୍ରିକ ହବରେ ପରିଣତ ହେବାକୁ ଯାଉଛି । ଭାରତରେ ସବୁଠୁ ଅଧିକ ପଣ୍ୟ କାରବାର ହେଉଥିବା ପାରାଦୀପ ବନ୍ଦର ଏହାର ପୁନରୁଦ୍ଧାରର ପ୍ରତୀକ । ବଡ଼ ବଡ଼ ଜାହାଜ ପରିଚାଳନା ପାଇଁ ଆନୁଷଙ୍ଗିକ  ସୁବିଧାର ବିକାଶ ଏବଂ ଅତ୍ୟାଧୁନିକ ସିଙ୍ଗଲ୍ ପଏଣ୍ଟ ମୁରିଂ ସିଷ୍ଟମର କାର୍ଯ୍ୟକାରିତା ପାରାଦୀପକୁ ବିଶ୍ୱ ସାମୁଦ୍ରିକ ଲଜିଷ୍ଟିକ୍ କ୍ଷେତ୍ରର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଅବସ୍ଥାପିତ କରିଛି ।  

ଭାରତମାଳା ବିହାର ଓ ଝାଡ଼ଖଣ୍ଡ ଭଳି ଆଭ୍ୟନ୍ତରୀଣ ଅଞ୍ଚଳର ଶିଳ୍ପଗୁଡ଼ିକୁ ଏହି ବନ୍ଦର ସହିତ ସଂଯୋଗ କରିଥାଏ । ଭାରତର ପରିବହନ ବ୍ୟବସ୍ଥାର ମେରୁଦଣ୍ଡ କୁହାଯାଉଥିବା ରେଳବାଇକୁ ପୂର୍ବୋଦୟ ରାଜ୍ୟଗୁଡ଼ିକରେ ଅହେତୁକ ପ୍ରୋତ୍ସାହନ ମିଳିଛି । ଏହି ବିଭିନ୍ନ ପ୍ରକଳ୍ପଗୁଡ଼ିକ ‘ପ୍ରଧାନମନ୍ତ୍ରୀ ଗତି ଶକ୍ତି’ ପ୍ରକଳ୍ପରେ ସାମଗ୍ରିକ ଭାବରେ ମିଶ୍ରଣ କରାଯାଇ ମଲ୍ଟି-ମୋଡାଲ୍ ସଂଯୋଗ ହାସଲ କରାଯିବ । ଯାହା ଫଳରେ ଲଜିଷ୍ଟିକ୍ସର ଖର୍ଚ୍ଚ ବ୍ୟାପକ ଭାବରେ ହ୍ରାସ ହେବ । 

ଓ୍ୱାନ ଡ୍ରିଷ୍ଟିକ୍ଟ, ଓ୍ୱାନ ପ୍ରଡକ୍ଟ, କଳିଙ୍ଗନଗରରେ ଇସ୍ପାତ ହବର ବିକାଶ, ପାରାଦୀପ ବନ୍ଦର ବିଶୋଧନାଗାର ପ୍ରକଳ୍ପ ଭଳି ପଦକ୍ଷେପ ଶିଳ୍ପ ଅଭିବୃଦ୍ଧିରେ ସହାୟକ ହେବ । ଏପରିକି ଉତ୍ତର-ପୂର୍ବ ଭାରତର ଦୁର୍ଗମ ଅଂଚଳକୁ ମଧ୍ୟ ଉଡାନ ଯୋଜନା ମାଧ୍ୟମରେ ଯୋଡାଯାଇଛି । ଏହା ଦ୍ୱାରା ଉଭୟ ବ୍ୟବସାୟୀ ଏବଂ ଲୋକଙ୍କ ମଧ୍ୟରେ ସଂଯୋଗୀକରଣକୁ ପ୍ରୋତ୍ସାହନ ମିଳିଛି । ଓଡ଼ିଶା ଭଳି ରାଜ୍ୟଗୁଡ଼ିକର ନୀତି ଓ ଶିକ୍ଷା ; ସାମୁଦ୍ରିକ ଲଜିଷ୍ଟିକ୍ ଏବଂ ଟେକ୍ନୋଲୋଜି ଆଧାରିତ ଯୋଗାଣ ପରିଚାଳନା କେନ୍ଦ୍ର ପାଇଁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରୁଛି । ସଡ଼କପଥ, ରେଳପଥ, ଆକାଶପଥ ଏବଂ ଜଳପଥର ସମ୍ପ୍ରସାରଣ ଏବଂ ଅତ୍ୟାଧୁନୀକରଣ ଏହି ଅଞ୍ଚଳର ଅର୍ଥନୀତିରେ ଜୀବନ ଭରିବ ଏବଂ ଏହାକୁ ଭାରତର ଅନ୍ୟାନ୍ୟ ଅଞ୍ଚଳ ଏବଂ ଦକ୍ଷିଣ ପୂର୍ବ ଏସିଆ ସହିତ ଅଧିକ ଘନିଷ୍ଠ କରିବ । 

ଏହି ପରିପ୍ରେକ୍ଷୀରେ ଆଜିଠାରୁ ଆରମ୍ଭ ହେଉଥିବା ଦୁଇ ଦିନିଆ କାର୍ଯ୍ୟକ୍ରମ “ପୂର୍ବୋଦୟ ସମ୍ଭାବନା : ଆଞ୍ଚଳିକ ଯୋଗାଯୋଗ ଉପରେ ପ୍ରତିଫଳନ” ଆଞ୍ଚଳିକ ପୁନରୁଦ୍ଧାର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତୀୟ ଶିଳ୍ପ ମହାସଂଘ ; ଏନର୍ଜି ଫୋରମ ଇଣ୍ଡିଆ ସହିତ ମିଶି “ପୂର୍ବୋଦୟ”ର ଲାଭ ଉଠାଇବା ଏବଂ ଏହାକୁ ବିଶ୍ୱର ବ୍ୟବସ୍ଥା ସହ ଯୋଡ଼ିବା ପାଇଁ ଏକ କାର୍ଯ୍ୟକାରୀ ଚିନ୍ତାଧାରା ଏବଂ ରଣନୀତି ପ୍ରସ୍ତୁତ କରିଛନ୍ତି । ଭାରତର ବୈଦେଶିକ ନୀତିରେ ଯୋଗାଯୋଗକୁ ଗୁରୁତ୍ୱ, ବାଣିଜ୍ୟରେ ପରିବହନ ଏବଂ ଶକ୍ତି କରିଡରର ଭୂମିକା ଏବଂ ସମ୍ଭାବ୍ୟ ଅଣ-ପାରମ୍ପରିକ ସୁରକ୍ଷା ବିପଦର ମୁକାବିଲା ଭଳି ପ୍ରମୁଖ ବିଷୟବସ୍ତୁ ଉପରେ ଭାରତ ଏବଂ ଏହାର ପଡ଼ୋଶୀ ରାଜ୍ୟର ନୀତି ନିର୍ଦ୍ଧାରକ, ଶିକ୍ଷାବିତ୍ ଏବଂ ବ୍ୟବସାୟିକ ସଂସ୍ଥାମାନେ ଆଲୋଚନା କରିବେ । ଭାରତର ମୂଳ ଲକ୍ଷ୍ୟ ଆତ୍ମନିର୍ଭରକୁ ପ୍ରୋତ୍ସାହିତ କରିବା ଏବଂ ଏହାର ଅର୍ଥନୀତି ସହ ସମନ୍ୱୟ ରକ୍ଷା କରିବା ପାଇଁ ଉକ୍ତ ବ୍ୟକ୍ତିବିଶେଷମାନେ ରାଜନୈତିକ, ଅର୍ଥନୈତିକ ଓ ରଣନୈତିକ ଦୃଷ୍ଟିକୋଣରୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ, ଯାହା ଆଜିର ଦିନରେ ବେଶ୍ ପ୍ରାସଙ୍ଗିକ ଓ ମହତ୍ତ୍ୱପୂର୍ଣ୍ଣ।   

Sponsored
The development of the North Eastern states is essential for the growth and development of India | Argus News