Videos
|
Odisha

ବିଶ୍ବପ୍ରସିଦ୍ଧ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

Ritu Das
Browse all articles by Ritu Das
·2 years ago·2 min read
ବିଶ୍ବପ୍ରସିଦ୍ଧ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଅର୍ଗସ ବ୍ୟୁରୋ: ଶୁକ୍ରବାର ହେଉଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ଛତିଶାନିଯୋଗ ବୈଠକ ଓ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ ମଧ୍ୟ ଶେଷ ହୋଇଛି। ତେବେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦର୍ଜୀ ସର୍ଦ୍ଦାର ପ୍ରକାଶ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଠାକୁରଙ୍କ ପାଇଁ ୧୭ ଟି ଶେଯ, ୨୧ଟି ମାଣ୍ଡି, ୨ଟି ମୃଦଙ୍ଗ ମାଣ୍ଡି, ୨ଟି ପାଲିଙ୍କି ଚାଳି ସହ ଗୋଟିଏ ଲେଖାଏଁ ତରାସ, ସୁନା ବିଞ୍ଚଣା, ଖଣ୍ଡା, ଛୁରୀ ଓ ତିନୋଟି ରୂପା ଆଲଟ କାମ ଜାରି ରହିଛି। 

ଏଥିସହ ଚାନ୍ଦୁଆ, ପତାକା, ଧଳା ଚାପ ମଣ୍ଡଳୀ ଓ ନାଲି ଚାପ ମଣ୍ଡଳୀ ମଧ୍ୟ ତିଆରି କରାଯିବ। ତେଵେ ସମସ୍ତ କାମ ଅକ୍ଷୟ ତୃତୀୟା ପୂର୍ବଦିନ ସମ୍ପନ୍ନ ହୋଇ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ବୋଲି ଦର୍ଜୀ ସର୍ଦ୍ଦାର କହିଛନ୍ତି। ସେପଟେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ତିନୋଟି ରଥକାଠର ଅନୁକୂଳ ସହ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ରଥ ଖଳାରେ ଚାଳି ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। 

ଅନ୍ୟପଟେ ପବିତ୍ର ଅକ୍ଷୟ ତୃତୀୟା ଦିନ ରଥକାଠ ପୂଜାର୍ଚ୍ଚନା ହୋଇ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ପୂଜାର୍ଚ୍ଚନା କରାଯାଇ ରଥନିର୍ମାଣ ଆରମ୍ଭ ହେଵ। ଅନ୍ୟପଟେ ନରେନ୍ଦ୍ର ସରୋବରରେ ମହାପ୍ରଭୁଙ୍କ ଜଳକ୍ରୀଡା ପାଇଁ ନରେନ୍ଦ୍ର ପୁଷ୍କରିଣୀ ସଜେଇ ହେଉଥିବା ବେଳେ ଚାପଡଙ୍ଗା ଗୁଡିକର ମରାମତି କାର୍ଯ୍ୟ ଓ ପଟା ବାଡିଆ କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା ଶୁକ୍ରବାର ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ରାମକୃଷ୍ଣ, ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କ ସମେତ ପଞ୍ଚୁପାଣ୍ଡବ ନରେନ୍ଦ୍ର ପୁଷ୍କରିଣୀରେ 21 ଦିନ ବ୍ୟାପି ନୌକାବିହାର ବା ଜଳକ୍ରୀଡା କରିବେ। ଯାହାକୁ ବାହାର ଚନ୍ଦନଯାତ୍ରା କହିଥାନ୍ତି। 

ସେଥିପାଇଁ ଗତ ଚୈତ୍ର ପୂର୍ଣ୍ଣିମା ଦିନ ନନ୍ଦା, ଭଦ୍ରା ଚାପକୁ ପାଣିର କଢାଯାଇ ରଖାଯିବା ପରେ ଆଜିଠାରୁ ଚାପଡଙ୍ଗାର ନିର୍ମାଣ ଓ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ମହାରଣା ଓ ଭୋଇ ସେବକଙ୍କ ଦ୍ବାରା ନିର୍ମାଣ ଓ ମରାମତି କାର୍ଯ୍ୟ ଜାରି ରହିଛି। ପ୍ରାଥମିକ ପର୍ଯ୍ୟାୟରେ ନନ୍ଦା ଓ ଭଦ୍ରା ଚାପରେ ପଟା ବାଡିଆ ଚାଲିଥିବା ବେଳେ ଆଗକୁ ପର୍ଯ୍ୟାୟକ୍ରମେ ସମସ୍ତ କାମ ଜାରି ରହିବ। ଅନ୍ୟପଟେ ମହାପ୍ରଭୁଙ୍କ ଆଗମନକୁ ନେଇ ନରେନ୍ଦ୍ର ପୁଷ୍କରିଣୀକୁ ମଧ୍ୟ ସୁସଜ୍ଜିତ କରାଯାଉ ଥିବା ବେଳେ ଚିତ୍ରକର ସେବକଙ୍କ ଦ୍ୱାରା ରଙ୍ଗ କାମ ଜାରି ରହିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପବିତ୍ର ଅକ୍ଷୟ ତୃତୀୟା ଓ ଚନ୍ଦନଯାତ୍ରା ପାଇଁ ଛତିଶାନିଯୋଗ ବୈଠକରେ ସମସ୍ତ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି। ନୀତିନିର୍ଘଣ୍ଟ ଅନୁଯାୟୀ ରାତି 3ଟାରୁ ସିଂହଦ୍ଵାର ଫିଟାଯାଇ ଅନ୍ୟାନ୍ୟ ନୀତି ବଢିବା ପରେ ଅକ୍ଷୟ ତୃତୀୟା ଦିନ ଅପରାହ୍ନ ୩ଟାରେ ଦ୍ଵାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା, ଅପରାହ୍ନ ୩ଟା ୩୦ ରେ ବିମାନକୁ ଦିଅଁ ବିଜେ, ଅପରାହ୍ନ ୪ଟାରେ ରଥ ଆଜ୍ଞାମାଳ ବିଜେ ଓ ବିମାନ ଉଠିବ। ରାତି ୧୦ଟା ରେ ଚନ୍ଦନ ଠାକୁର ବାହୁଡ଼ା ବିଜେ କରିବା ନେଇ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି।

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର