ପାଣିଚିଆ ହେଲା ବିଜେଡି ନେତାଙ୍କ ମାନ ଭଞ୍ଜନ ନେଇ ନବୀନଙ୍କ ଚେଷ୍ଟା

ଭୁବନେଶ୍ୱର: 24 ବର୍ଷର ଶାସକ ଦଳ। କିନ୍ତୁ ଗୋଟିଏ ନିର୍ବାଚନରେ ହାରିବା ପରେ ଅବସ୍ଥା ସଂଗୀନ। ଦିନ ପ୍ରତିଦିନ ବଢ଼ିଚାଲିଛି ଦଳୀୟ କନ୍ଦଳ। ଅସନ୍ତୋଷ ଚରମ ସୀମାରେ। ଦଳ ପରିଚାଳନା ନେଇ ବରିଷ୍ଠ ନେତାଙ୍କ ବିଷୋଦଗାର। ୟା ଭିତରେ ଛିଣ୍ଡି ଛିଣ୍ଡି ଯାଉଥିବା ବିଜେଡିର ଖିଅ ଯୋଡ଼ିବାକୁ କସରତ କରିଛନ୍ତି ଦଳର ସୁପ୍ରିମୋ। ଅସନ୍ତୁଷ୍ଟଙ୍କୁ ମନାଇବାକୁ ଶଙ୍ଖ ଭବନରେ ଆଜି ବିଜେଡି ନେତାଙ୍କର ବଡ଼ ବୈଠକ ଡାକିଥିଲେ ନବୀନ ପଟ୍ଟନାୟକ। କିନ୍ତୁ ଏକତାର ମନ୍ତ୍ର ଦେବାକୁ ନବୀନଙ୍କ ଚେଷ୍ଟାକୁ ପାଣିଚିଆ କରିଦେଲା ଜିଲ୍ଲା ସଭାପତି ବୈଠକ । ବୈଠକକୁ ଯିବା ପୂର୍ବରୁ ଦଳର ପରିଚାଳନାକୁ ନେଇ ଗଣମାଧ୍ୟମରେ ବିଷୋଦଗାର କଲେ ବୌଦ୍ଧ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମହୀଧର ରଣା। କେବଳ ମହୀଧର ନୁହନ୍ତି ଗତ କିଛି ଦିନ ଭିତରେ ଦଳର ପରିଚାଳନା ନେଇ ବଡ଼ ବିସ୍ଫୋରଣ କରିଛନ୍ତି ବରିଷ୍ଠ ନେତା ପ୍ରଦୀପ ମାଝୀ, ବଦ୍ରି ପାତ୍ର, ଅଶ୍ୱିନୀ ପାତ୍ର ଓ ଅବିନାଶ ସାମଲ।
ଆଜି ପ୍ରଥମେ ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରିଥିଲେ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର । ଏହା ପରେ ଅପରାହ୍ନରେ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଥିବା ୧୫ ଜଣିଆ ସମନ୍ୱୟ କମିଟି, ପ୍ରସନ୍ନ ଆଚାର୍ଯ୍ୟଙ୍କ ସଂଯୋଜନାରେ ଥିବା ୧୭ଜଣିଆ ଉପଦେଷ୍ଟା କମିଟି, ଅତନୁ ସବ୍ୟସାଚୀ ନାୟକଙ୍କ ସଂଯୋଜନାରେ ଥିବା ୨୨ଜଣିଆ ସଦସ୍ୟତା ଅଭିଯାନ କମିଟି ଓ ସଞ୍ଜୟ ଦାସବର୍ମାଙ୍କ ସଂଯୋଜନାରେ ଥିବା ୨୧ଜଣିଆ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ କମିଟି ସମେତ ସମସ୍ତ ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରିଛନ୍ତି ନବୀନ । ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ବିଜେଡି ପଦଯାତ୍ରା ଆରମ୍ଭ କରିବାକୁ ଯାଉଥିବା ବେଳେ ବୈଠକରେ ନେତାଙ୍କ ମନୋ ମାଳିନ୍ୟ ଦୂର କରି ସଂଗଠନ ସଜଡ଼ା ଉଦ୍ୟମ କେତେ ସଫଳ ହେଉଛି ତାହା ସମୟ କହିବ...
ଅଧିକ ପଢନ୍ତୁ ଓଡ଼ିଶା ଖବର