ସ୍କୁଲ ଅଛି , କ୍ଲାସରୁମ ଅଛି , ଶିକ୍ଷକ ବି ଅଛନ୍ତି: ଖୋଲା ଆକାଶ ତଳେ ଚାଲିଛି ପାଠପଢ଼ା

ଅର୍ଗସ ବ୍ୟୁରୋ: ସ୍କୁଲ ଅଛି , କ୍ଲାସରୁମ ଅଛି ,ଶିକ୍ଷକ ବି ଅଛନ୍ତି । ହେଲେ ଖୋଲା ଆକାଶ ତଳେ ବସି ଭବିଷ୍ୟତ ଗଢୁଛନ୍ତି କୁନିକୁନି ଛାତ୍ରଛାତ୍ରୀ । ଇଏ ହେଉଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ "ଆଡ଼ଶିଳ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ" ।ଏହି ସ୍କୁଲରେ ଏବେ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଖାପାଖି ୨୪୦ ଜଣ ବିଦ୍ୟାର୍ଥୀ ପାଠପଢୁଛନ୍ତି । ସ୍କୁଲରେ ଥିବା ୪ଟି କ୍ଲାସରୁମ ସମ୍ପୂର୍ଣ୍ଣ ଭାଙ୍ଗି ରୁଜି ଯାଇଥିବା ବେଳେ , ସ୍କୁଲ ବାରଣ୍ଡାର ଅବସ୍ଥା ମଧ୍ୟ ନକହିବା ଭଲ । ବିଦ୍ୟାଳୟ କାନ୍ଥ ଓ ଛାତ ଫାଟି ଆଁ କଲାଣି । ତେବେ ଏତେ ପିଲାଙ୍କୁ ବିପଦ ସଙ୍କୁଳ ଅବସ୍ଥାରେ କ୍ଲାସରୁମରେ ନବସାଇ କିଛି ପିଲାଙ୍କୁ ଗଛମୁଳେ ବସାଇ ପାଠ ପଢାଉଛନ୍ତି ଶିକ୍ଷକ । ନୁତନ ସ୍କୁଲ ଗୃହନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କାର୍ଯ୍ୟ ନହେବାରୁ ଏହି ପରସ୍ଥିତି ଉପୁଜୁଛି ।
ଏହି ବିଦ୍ୟାଳୟରେ ପଢୁଥିବା ପଚାଶ ବର୍ଷ ପୂର୍ବର ପୁରୁଣା ଛାତ୍ର, ଏବେ ସେହି ବିଦ୍ୟାଳୟର ବରିଷ୍ଠ ଶିକ୍ଷକ। ବିଦ୍ୟାଳୟର ସଙ୍ଗୀନ ସ୍ଥିତି ଦେଖି ଓ ପିଲାମାନଙ୍କ ଭବିଷ୍ୟତ କଥା ଭାବି ଦୁଃଖ ପ୍ରକାଶ କରିଛନ୍ତି। କୁନି କୁନି ପିଲାଙ୍କ ଜୀବନକୁ ଅନ୍ଧକାରକୁ ଠେଲି ଦେଇଛନ୍ତି ରାଜ୍ୟ ସରକାର। ସେପଟେ ବ୍ଲକ୍ ପ୍ରଶାସନ କିମ୍ବା ଶିକ୍ଷା ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଆଡିଶିଳି ସ୍କୁଲ ର ସମସ୍ୟା ଦୂର କରିବାକୁ ସାଧାରଣରେ ଦାବୀ ହୋଇଛି।
ଯଦି ଖୋଦ୍ ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିର୍ବାଚନ ମଣ୍ଡଳୀରେ ଏମିତି ଅବସ୍ଥା ତେବେ ଦୁର୍ଗମ ଅଞ୍ଚଳରେ କିଭଳି ସ୍ଥିତି ରହିଥିବ ତାହା ଏଇଠୁ ବେଶ୍ ଅନୁମାନ କରାଯାଇପାରେ। ଶିକ୍ଷା ଅଭିଯାନ ଏଠାରେ ବାଟବଣା ହୋଇଯାଇଥିବା ବେଳେ ଏହି ସ୍କୁଲ ପ୍ରତି ସରକାରଙ୍କ କେବେ ଦୃଷ୍ଟି ପଡୁଛି ତାହା ଉପରେ ସମସ୍ତଙ୍କ ନଜର ।
ଅଧିକ ପଢ଼ନ୍ତୁ ଓଡିଶା ଖବର: