Videos
|
Odisha

ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛି ସ୍ୱାସ୍ଥ୍ୟ ବିଭାଗ

Ritu Das
Browse all articles by Ritu Das
·2 years ago·2 min read
ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛି ସ୍ୱାସ୍ଥ୍ୟ ବିଭାଗ

ଅର୍ଗସ ବ୍ୟୁରୋ: ସବୁଥିରେ ଦୁର୍ନୀତି। ସରକାରଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଆବାସ, ପାନୀୟଜଳ ଭଳି ବଡ଼ ବଡ଼ ଯୋଜନା ସବୁ ଫେଲ ମାରିଛି। ଖାଲି ମିଛ ଆଉ ପ୍ରହସନ। ୨୪ ଘଣ୍ଟିଆ ବିଦ୍ୟୁତ ସେବା ଯୋଗାଇ ଦିଆଯାଉଛି ବୋଲି ରାଜ୍ୟ ସରକାର ଚାରିଆଡେ ଡିଣ୍ଡିମ ପିଟୁଛନ୍ତି।  କିନ୍ତୁ ଖୋଦ ଶକ୍ତି ମନ୍ତ୍ରୀଙ୍କ ଅଞ୍ଚଳରେ ଫେଲ ମାରିଛି ଯୋଜନା। ରାଜ୍ୟରେ ଶକ୍ତିଶାଳୀ 5T ବ୍ୟବସ୍ଥା। ଟିମ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟାଇମ ଲିଡିଙ୍ଗ ଓ ଟ୍ରାନ୍ସଫରମେସନ କଥା କହୁଥିବା ଏହି 5T ଵ୍ୟଵସ୍ଥା ମଧ୍ୟରେ ଥିବା ସ୍ୱାସ୍ଥ୍ୟ ଓ ବିଦ୍ୟୁତ(ଶକ୍ତି) ବିଭାଗ ମଧ୍ୟରେ ତାଳମେଳ ରହୁନି।

ମୋବାଇଲ ଟର୍ଚ୍ଚ ଲାଇଟରେ ଚାଲିଛି ରୋଗୀ ସେବା। ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିକାଶର ଚିତ୍ର।  ଗତକାଲି ରାତିରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ପ୍ରଶାନ୍ତ ସେଠୀ ନାମକ ଜଣେ ଯୁବକ ଏନଏଚରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡେରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ତେବେ ତାଙ୍କର ଜରୁରୀକାଳୀନ ଚିକିତ୍ସା ବା ପ୍ରାଥମିକ ଚିକିତ୍ସାକୁ ମେଡିକାଲ ଷ୍ଟାଫ ମୋବାଇଲ ଟର୍ଚ୍ଚ ଆଲୁଅରେ କରୁଥିବା ଦେଖାଯାଇଥିଲା। ଏଭଳି ପ୍ରତିଦିନ ରୋଗୀଙ୍କ ସହ ଘଟୁଛି ବୋଲି ଅଭିଯୋଗ ହୋଇଛି। 

 ତେବେ ୨୬ଟି ପଞ୍ଚାୟତର ଅନ୍ୟୁନ ଏକଲକ୍ଷ ଜନସାଧାରଣ ନିର୍ଭର କରୁଥିବା ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜରୁରୀକାଳୀନ ସେବା କରିବା ପାଇଁ ଡିଜି ସେଟ ବା ଜେନେରେଟର ନାହିଁ। ଜଣେ ମେଡିକାଲ ଅଧିକାରୀ କହିଛନ୍ତି ଫୋନ ଯୋଗେ "ଡିଜି ଷ୍ଟାର୍ଟ ହେଉନି। ଅପରପକ୍ଷରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ କହିଛନ୍ତି ଏହି ମେଡିକାଲରେ ଡିଜି ନାହିଁ। ସେ ଜେନେରେଟର ସେଟ ଭଡାରେ ଆଣିବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ତେବେ କିଏ ସତ କହୁଛି କିଏ ମିଛ କହୁଛି ତାକୁ ନେଇ ସନ୍ଦେହ। 
ଏଠାରେ ଜରୁରୀ କାଳୀନ ବିଦ୍ୟୁତ ବ୍ୟବସ୍ଥା ନ ଥିବାରୁ ରୋଗୀମାନେ ବହୁ ଜଟିଳ ପରିସ୍ଥିତିରେ ଚିକିତ୍ସା ହେଉଛନ୍ତି। ଖୋଦ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଜିଲ୍ଲାରେ ବିଦ୍ୟୁତ୍ ସେବା ବ୍ୟାଘାତ ହେଉଛି। ପ୍ରାୟ ୧୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଆଖପାଖ ଅଞ୍ଚଳ ଗୁଡିକରେ ବିଦ୍ୟୁତ୍ ସେବା ବନ୍ଦ ରହୁଛି। ଶକ୍ତିମନ୍ତ୍ରୀ ନିଜ ଜିଲ୍ଲା ଲୋକଙ୍କୁ ଠିକ୍ ଭାବେ ବିଦ୍ୟୁତ ସେବା ଯୋଗାଇ ପାରୁନାହାନ୍ତି  ତ ଅନ୍ୟ ଜିଲ୍ଲାରେ ବିଦ୍ୟୁତ ସେବା କେଉଁ ଭଳି କାର୍ଯ୍ୟକାରୀ ହେଉଥିବ ତାହା ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି। 

ତେବେ ରାଜ୍ୟ ସରକାରଙ୍କ ନିଦ କେବେ ଭାଙ୍ଗୁଛି ସ୍ବାସ୍ଥ୍ୟ ଓ ବିଦ୍ୟୁତ ଭଳି ଜରୁରୀ କାଳୀନ ସେବାର ଅଗ୍ରଗତି ନିମନ୍ତେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

The health department | Argus News