ପଲିଥିନ ତଳେ ବିତୁଛି ନଅପ୍ରାଣୀ କୁଟୁମ୍ବଙ୍କ ଜୀବନ

ଅର୍ଗସ ବ୍ୟୁରୋ: ପଲିଥିନ ତଳେ ବିତୁଛି ନଅପ୍ରାଣୀ କୁଟୁମ୍ବଙ୍କ ଜୀବନ। ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ, କି ଘର ନିର୍ମାଣ ପାଇଁ ଶକ୍ତି। ଭଙ୍ଗା ଦଦରା ଘରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ଭାସ୍କରଙ୍କ ଭିନ୍ନକ୍ଷମ ପରିବାର। ସରକାର ଆବାସ ନାଁରେ ବିକାଶର ଡିଣ୍ଡିମ ପିଟୁଥିବା ବେଳେ 24ବର୍ଷର ସ୍ଥିର ସରକାରରେ ଏହା ବାସ୍ତବ ଚିତ୍ର। ଖୋଦ ପଂଚାୟତିରାଜ ମନ୍ତ୍ରୀଙ୍କ ଅଞ୍ଚଳରେ ଆବାସ ଯୋଜନାରୁ ବଂଚିତ ଏହି ଦିବ୍ୟାଙ୍ଗଙ୍କ ପରିବାର। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଫଳଶୁନ। ମିଳୁଛି ତ କେବଳ ପ୍ରତିଶୃତି ଓ ପ୍ରତାରଣା।
ଏ ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ପଂଚାୟତ ଦେବଗଡ଼ ଗାଁର ଭାସ୍କର ପ୍ରଧାନଙ୍କ ପରିବାର। ଭାସ୍କରଙ୍କ ଏକ ମାତ୍ର ରୋଜଗାରିଆ ପୁଅ ବଶିଷ୍ଠ ପ୍ରଧାନ ଆଜକୁ ଆଠ ବର୍ଷ ତଳେ ବାହାରକୁ ମିସ୍ତ୍ରୀ କାମ କରିବାକୁ ଯାଇ ଦୁର୍ଘଟଣାରେ ଗୋଡ଼ ହରାଇ ପୋଙ୍ଗୁ ହୋଇ ପଡିରହିଛନ୍ତି। ବଶିଷ୍ଟଙ୍କ ପୁଅ ମଧ୍ୟ ଦିବ୍ୟାଙ୍ଗ। ଗୋଡ଼ ହାତ କିଛି କାମ କରୁନାହିଁ। ବାଧ୍ୟ ହୋଇ ପରିଣତ ବୟସରେ ଭାସ୍କର ଲୁହା କାମ କରି ଚଳାଉଛନ୍ତି ନଅ ପ୍ରାଣୀ କୁଟୁମ୍ବ । ସରକାରୀ ସହାୟତା କହିଲେ ଏମାନେ ସବୁଥିରୁ ବଞ୍ଚିତ। ନା ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ଅଛି ନା ଦିବ୍ୟାଙ୍ଗଙ୍କୁ ମିଳିଛି କୌଣସି ପ୍ରକାର ସରକାରୀ ସହାୟତା। ପରିବାରର ଏ ଦୟନୀୟ ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଘର ଯୋଗାଇ ଦେବାକୁ ନେହୁରା ହୋଇଛନ୍ତି ଭାସ୍କର । କେବେ ଏ ଭିନ୍ନକ୍ଷମ ପରିବାର ଉପରେ ପଡିବ ସରକାରଙ୍କ ନଜର। କେବେ ଭାସ୍କରଙ୍କ ପରିବାରକୁ ମିଳିବ ଆବସ ଯୋଜନା ତାକୁ ନେଇ ସାଧାରଣରେ ଦାବୀ ହେଉଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
