Videos
|
Odisha

ତିଥି, ବାର, ନକ୍ଷତ୍ରକୁ ନେଇ ଆହ୍ବାନ ପୂର୍ଣ୍ଣ ହେବ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା

Ritu Das
Browse all articles by Ritu Das
·2 years ago·2 min read
ତିଥି, ବାର, ନକ୍ଷତ୍ରକୁ ନେଇ ଆହ୍ବାନ ପୂର୍ଣ୍ଣ ହେବ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା

ଅର୍ଗସ ବ୍ୟୁରୋ: ଚଳିତବର୍ଷ ବିବାଦୀୟ ସ୍ଥିତିରେ ରହିଛି ତିନିରଥ ସିଂହଦ୍ବାରକୁ ଯିବା ପୂର୍ବରୁ ରଥ ନିକଟକୁ ଆଜ୍ଞାମାଳ ବିଜେ ନୀତିକୁ ନେଇ। କାରଣ ଗୋଟିଏ ଦିନରେ ପଡୁଛି ନେତ୍ରୋତ୍ସବ,ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଏହାକୁ ନେଇ ଅଡ଼ୁଆ ସ୍ଥିତି ଉପୁଜିଛି। ହାତରେ ଦୁଇ ଦିନ କମ ଥିବାରୁ ନୀତିକାନ୍ତିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସେବାୟତ। ତେବେ ପ୍ରତିବର୍ଷ ଆଜ୍ଞାମାଳ ମହାପ୍ରଭୁଙ୍କ ନିକଟରୁ ଯାଉଥିବା ବେଳେ ଚଳିତବର୍ଷ ତାହା ପଟିଦିଅଁଙ୍କ ଠାରୁ ଯିବ ବୋଲି କହିଛନ୍ତି ପରିଚାଳନା କମିଟିର ସଦସ୍ୟ ମାଧବ ମହାପାତ୍ର । କାରଣ ଚଳିତବର୍ଷ ତିଥିରେ କ୍ଷୟ କାରଣରୁ ଅଣସରନୀତି ୧୩ ଦିନ ପଡୁଛି  । ତେବେ ଯେଉଁଦିନ ନେତ୍ରୋତ୍ସବ ସେହିଦିନ ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା  । ତେଣୁ ଏତେ ଅଧିକ ନୀତି ସୁରୁଖୁରୁରେ କରିବା ସହ ରଥଯାତ୍ରା ପୂର୍ବଦିନ ରଥ ନିକଟକୁ ଆଜ୍ଞାମାଳ ପଟିଦିଅଁଙ୍କ ଠାରୁ ବିଜେ ହେବ ବୋଲି ପରିଚାଳନା କମିଟିର ସଦସ୍ୟ କହିଛନ୍ତି । ଏହାକୁ ତୀବ୍ର ବିରୋଧ କରିଛନ୍ତି ମହାପ୍ରଭୁଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର।

ପଟିଦିଅଁଙ୍କ ଠାରୁ ନୁହେଁ ବରଂ ମହାପ୍ରଭୁଙ୍କ ନିକଟରୁ ଆଞ୍ୟମାଳ ବିଜେ ହେବ ବୋଲି ମହାପ୍ରଭୁଙ୍କ ବାଡଗ୍ରାହୀ କହିଛନ୍ତି। 53 ବର୍ଷ ପରେ ଅର୍ଥାତ ୧୯୭୧ ମସିହାରେ ରଥଯାତ୍ରା ବେଳେ ଏଭଳି ତିଥି ପଡିଥିବାରୁ ଏଥର ସେହି ଆଧାରରେ ହେବ ବୋଲି କହିଛନ୍ତି ପରିଚାଳନା କମିଟିର ସଦସ୍ୟ । ୫୩ ବର୍ଷ ପରେ ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ପଡ଼ିଛି। ୧୩ ଦିନରେ ନୀତିକାନ୍ତି ସାରିବା ବହୁ କାଠିକର କାମ । ଖଳିଲାଗି ସାଙ୍ଗକୁ ଘଣାଲାଗି, ଶ୍ରୀମୁଖ ହୋତା, ଖଡ଼ିଲାଗି, ବନକଲାଗି ଆଦି ନୀତିକାନ୍ତି ରହିଛି।

ଏହା ପରେ ସେନାପଟା ଲାଗି ରହିଛି। ଯେତିକି ନୀତିକାନ୍ତି ରହିଛି, ତାହା ସରିଲା ବେଳକୁ ଭୋର ହୋଇଯିବ। ଯଦି ନୀତି ଠିକ୍‌ରେ ଚାଲେ, ସେନାପଟା ଲାଗି ଶେଷ ହେବା ସକାଳ ପ୍ରାୟ ୭ଟାରୁ ୮ଟା ହୋଇଯିବ। ପରେ ଅନ୍ୟାନ୍ୟ ନୀତିକାନ୍ତି ସରି ପହଣ୍ଡି ହେଲା ବେଳକୁ ଦ୍ବିପ୍ରହର ହୋଇଯିବ। ପହଣ୍ଡି ସରି ରଥଟଣା ହେଲା ବେଳକୁ ସଂଧ୍ୟା ହୋଇ ଯାଇଥିବ। ତେଣୁ ତା ପରଦିନ ରଥଟଣା ହେବ ବୋଲି ବିନାୟକ ଦାସ ମହାପାତ୍ର କହିଛନ୍ତି। ଅନ୍ୟପଟେ ରଥଯାତ୍ରା ନୀତିକାନ୍ତିକୁ ଶୃଙ୍ଖଳିତ କରିବା ସହ ମହାପ୍ରଭୁଙ୍କ ପରମ୍ପରା କିଭଳି ଉଦଜୀବିତ ରହିବ ସେନେଇ ଭାରତୀୟ ଜନତା ପାର୍ଟି ସରକାର ସମ୍ବେଦନଶୀଳ ରହିବ ବୋଲି କହିଛନ୍ତି ବରିଷ୍ଠ ସେବାୟତ ସୋମନାଥ ଖୁଣ୍ଟିଆ। 

ଏଭଳି ଅଡ଼ୁଆ ସ୍ଥିତିରେ ଚଳିତବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ଦୁଇଦିନରେ ଶେଷ ହେବ ବୋଲି ସେବାୟତମାନେ ମତ ଦେଇଛନ୍ତି।  ସମୟ ଅଭାବ ଓ ନୀତି ଶୃଙ୍ଖଳା ପାଇଁ ନବଯୌବନ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏଥର ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ବି ୯ ଦିନରେ ଶେଷ ହେବ। ନବମ ଦିନରେ ଶ୍ରୀବିଗ୍ରହ ରଥାରୁଢ଼ ହୋଇ ବାହୁଡ଼ାଯାତ୍ରା କରିବେ। ୧୯୭୧ ମସିହା ରଥଯାତ୍ରା ତଥ୍ୟ ଆଧାରରେ ଚଳିତବର୍ଷ ରଥଯାତ୍ରା ହେବାକୁ ଯାଉଛି, ତେବେ ୧୯୭୧ ମସିହାରେ କେଉଁ ଆଧାରରେ ରଥଯାତ୍ରା ହୋଇଥିଲା, ତାହାର ତଥ୍ୟ  ଏଯାବତ  ଶ୍ରୀମନ୍ଦିର ପ୍ରଶାସନ ଉପସ୍ଥାପନ କରିନାହିଁ। ତେଣୁ ଖୁବଶୀଘ୍ର ଛତିଶାନିଯୋଗ ବୈଠକ ଓ ପରିଚାଳନା କମିଟି ବୈଠକ ବସି ଏସମ୍ପର୍କରେ ଆଲୋଚନା କରିବାକୁ ସେବାୟତମାନେ କହିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

The Lord's journey | Argus News